ବିଦ୍ୟୁତ୍‌ ବ୍ୟବହାରରେ ୧୦% ବୃଦ୍ଧି: ଏପ୍ରିଲ୍‌ ପରେ ଚାହିଦା ଆହୁରି ବଢ଼ିବ

Advertisment
ଏପ୍ରିଲ ପ୍ରଥମାର୍ଦ୍ଧରେ ବିଜୁଳି ବ୍ୟବହାର ୧୦% ବୃଦ୍ଧି

ନୂଆଦିଲ୍ଲୀ: ଖରାଦିନ ପାଖେଇ ଆସୁଥିବା ବେଳେ ଦେଶରେ ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଇଛି। ୨୦୨୨ ଏପ୍ରିଲ୍‌ରୁ ୨୦୨୩ ଫେବ୍ରୁଆରି ମଧ୍ୟରେ ୧,୩୭,୫୫୭ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର ହୋଇଛି। ୨୦୨୧-୨୨ ବର୍ଷ ସାରାରେ ଏତେ ଅଧିକ ବିଦ୍ୟୁତ ବ୍ୟବହାର ହୋଇନଥିଲା। ପୂର୍ବବର୍ଷ ତୁଳନାରେ ବିଦ୍ୟୁତ ବ୍ୟବହାର ୧୦% ବଢ଼ିଛି। ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ବିଦ୍ୟୁତ ଚାହିଦା ୧୦ ପ୍ରତିଶତରୁ ଅଧିକ ସ୍ତରରେ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଚଳିତ ବର୍ଷ ଏପ୍ରିଲ୍‌ର ଚାହିଦା ୨୨୯ ଗିଗାୱାଟ୍‌ ରହିବ ବୋଲି ସରକାର ଆକଳନ କରିଛନ୍ତି ଯାହା ୨୦୨୨ ଏପ୍ରିଲ୍‌ରେ ୨୧୫.୮୮ ଗିଗାୱାଟ୍‌ ଥିଲା।

ଆଗକୁ ଯେଭଳି ବିଦ୍ୟୁତ ସଙ୍କଟ‌ ଦେଖାନଦିଏ ତାହା ନିଶ୍ଚିତ କରିବା ଲାଗି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି। ବିଭିନ୍ନ ବିଭାଗ ଓ ଅଂଶୀଦାରଙ୍କ ସହ ଏନେଇ ଆଲୋଚନା ହୋଇଛି। କୋଇଲା ଉତ୍ପାଦନ ଓ ରେଳ ଜରିଆରେ ତାହାର ପରିବହନକୁ ନିରବଚ୍ଛିନ୍ନ ରଖିବା ନେଇ ଆଲୋଚନା ହୋଇଛି। କୋଇଲା ଅଭାବକୁ ଦୂର କରିବା ଲାଗି ଆମଦାନି କରାଯାଉଥିବା କୋଇଲା ସହ ଦେଶ ଭିତର କୋଇଲାକୁ ମିଶାଇ ବ୍ୟବହାର କରିବାକୁ ପାୱାର ପ୍ଲାଣ୍ଟ୍‌ଗୁଡ଼ିକୁ କୁହାଯାଇଛି।

ଯଦି ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ ତେବେ ଶିଳ୍ପ ସଂସ୍ଥା ଓ ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ବିଦ୍ୟୁତ ଚାହିଦା ବଢ଼ିବାର ସମ୍ଭାବନା ରହିଛି। ଅତ୍ୟଧିକ ଗରମ ହେଲେ ଲୋକମାନେ ଘରେ ଏୟାର କଣ୍ଡିସନର, ଫ୍ରିଜ୍, କୁଲର ଓ ଅନ୍ୟାନ୍ୟ ଶୀତଳତା ପ୍ରଦାନକାରୀ ଆପ୍ଲାଏନ୍‌ସେସ୍‌ର ବ୍ୟବହାର ବଢ଼ାଇବେ। ସେଥିପାଇଁ ଅଧିକ ବିଦ୍ୟୁତ ଶକ୍ତି ଦରକାର। ଏପ୍ରିଲ୍‌ ପରେ ବିଦ୍ୟୁତ ଚାହିଦାରେ ଯେଉଁ ବୃଦ୍ଧି ହେବ ତାହାର ମୁକାବିଲା କଷ୍ଟକର ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe