୧୨୪ ପ୍ରସ୍ତାବରୁ ୭୬ଟିର ବାଟ ଖୋଲିଲା

ପୁଞ୍ଜିନିବେଶ ସମୀକ୍ଷା:୫୫ ପ୍ରକଳ୍ପକୁ ସିଙ୍ଗିଲ ଓ୍ଵିଣ୍ଡୋରେ ମଞ୍ଜୁରି ମିଳିଛି

୧୨୪ ପ୍ରସ୍ତାବରୁ ୭୬ଟିର ବାଟ ଖୋଲିଲା

୧.୨୫ ଲକ୍ଷ କୋଟିର ନିବେଶ, ୯୬୭୦୦ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର,: ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ଶିଳ୍ପାୟନରେ ଅଗ୍ରଗତି ଦେଖାଦେଇଛି। ଏଥିପାଇଁ ପୁଞ୍ଜିନିବେଶ ସହିତ ନିଯୁକ୍ତି ସୁଯୋଗ ବି ବଢ଼ିଛି। ଏହି ନିବେଶ ହାର ଦେଶରେ ସର୍ବାଧିକ। ତେବେ ଶିଳ୍ପ ନିମନ୍ତେ ଆସୁଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ସହିତ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛି ଅନ୍ତଃ ବିଭାଗୀୟ ମନ୍ତ୍ରିସ୍ତରୀୟ କମିଟି।
ଆଜି ସଚିବାଳୟରେ ଶିଳ୍ପ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ବୈଠକରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଢ଼ୀ କହିଲେ ଯେ ମୁମ୍ବାଇ, ବେଙ୍ଗଲୁରୁ, ଭୁବନେଶ୍ୱର ଆଦି ସ୍ଥାନରେ ଆୟୋଜିତ ପୁଞ୍ଜିନିବେଶ ସମ୍ମିଳନୀଗୁଡ଼ିକରେ ଶିଳ୍ପ ସ୍ଥାପନ ପାଇଁ ନିବେଶକଙ୍କଠାରୁ ୧୨୪ଟି ଆଗ୍ରହ ମିଳିଥିଲା। ଏଥିମଧ୍ୟରୁ ପ୍ରାୟ ୭୬ଟି ଆଗ୍ରହକୁ ପ୍ରକଳ୍ପ ପ୍ରସ୍ତାବରେ ପରିଣତ କରାଯାଇଛି। ଏଭଳି ଆଗ୍ରହ ହାର ହେଉଛି ୬୧ ପ୍ରତିଶତ। ଜାତୀୟ ସ୍ତରରେ ଏହା ସର୍ବାଧିକ ସଫଳତା। ସେଥିମଧ୍ୟରୁ ୫୫ଟି ଶିଳ୍ପ ପ୍ରସ୍ତାବକୁ ରାଜ୍ୟ ଏବଂ ଜିଲ୍ଲା ସ୍ତରୀୟ ସିଙ୍ଗଲ୍‌ ଓ୍ଵିଣ୍ଡୋ ଅନୁମୋଦନ ବୈଠକରେ ମଞ୍ଜୁରି ମିଳିଛି। ଆଉ ୫ଟି ପ୍ରସ୍ତାବକୁ ବିଭାଗୀୟ ମଞ୍ଜୁରି ଦିଆଯାଇଛି। ଅବଶିଷ୍ଟ ପ୍ରସ୍ତାବଗୁଡ଼ିକୁ ଯାଞ୍ଚ କରୁଛି ଇପିକଲ୍‌ ଏବଂ ସଂପୃକ୍ତ ବିଭାଗ। ଏଗୁଡ଼ିକର ମଞ୍ଜୁରି ପ୍ରକ୍ରିୟା ଖୁବଶୀଘ୍ର ସରିବ ବୋଲି ମୁଖ୍ୟ ସଚିବ କହିଥିଲେ। ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରେ ୧୦ଟି ଖାଦ୍ୟ ପ୍ରକ୍ରିୟାକରଣ, ୮ଟି ନିର୍ମାଣ, ୮ଟି ଧାତବ ଓ ଖଣିଜ, ୭ଟି ପର୍ଯ୍ୟଟନ, ୭ଟି ସାର, ପେଟ୍ରୋକେମିକାଲ୍‌ ଏବଂ ପ୍ଲାଷ୍ଟିକ ସମ୍ବନ୍ଧୀୟ ଶିଳ୍ପ। ଅବଶିଷ୍ଟ ୨୧ଟି ପ୍ରକଳ୍ପ ସ୍ୱାସ୍ଥ୍ୟ, ଭିତ୍ତିଭୂମି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଇଲେକ୍ଟ୍ରୋନିକ୍ସ, ଶକ୍ତି, ସବୁଜ ଶକ୍ତି, ପୋଷାକପତ୍ର ଏବଂ ବୟନ ଶିଳ୍ପ ସଂପର୍କିତ ପ୍ରକଳ୍ପ। ଏ ସମସ୍ତ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କାର ପୁଞ୍ଜିନିବେଶ ଏବଂ ୯୬୭୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ରାଜସ୍ୱ ବିଭାଗ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ଇଡ୍‌କୋ ସିଏମ୍‌ଡି ସଂଜୟ ସିଂ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe