Image Courtesy of TheTimes of India
ନୂଆଦିଲ୍ଲୀ: ବାଣିଜ୍ୟିକ ବ୍ୟବହାର ଲାଗି କୋଇଲା ଖଣି ନିଲାମର ଦ୍ବିତୀୟ ପର୍ଯ୍ୟାୟ ବିଷୟରେ ଆଜି ଘୋଷଣା କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ୬୭ଟି ଖଣି ନିଲାମ ପାଇଁ ରଖାଯାଇଛି। ସେଥିରେ ଓଡ଼ିଶାର ୧୪ଟି ଖଣି ରହିଛି। ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଥିବା କୋଇଲା ଖଣି ନିଲାମ କରାଯିବ। ଏଥିରେ ଉଭୟ କୋକିଂ, ନନ୍-କୋକିଂ, ସମ୍ପୂର୍ଣ୍ଣ ବିକଶିତ, ଆଂଶିକ ବିକଶିତ, କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଖଣି ରହିଛି। ଏଥର ନିଲାମ ହେଉଥିବା ଖଣିଗୁଡ଼ିକ ମଧ୍ୟରୁ ୬୦ଟି ନନ୍-କୋକିଂ ଓ ୭ଟି କୋକିଂ କୋଇଲା ଖଣି ରହିଛି। ପ୍ରଥମ ପର୍ଯ୍ୟାୟ କୋଇଲା ଖଣି ନିଲାମରେ ୧୯ଟି ଖଣି ବିକ୍ରି ହୋଇଥିଲା। ଏହା ଦ୍ବାରା ରାଜ୍ୟଗୁଡ଼ିକୁ ୭୦୦୦ କୋଟି ଟଙ୍କାର ରାଜସ୍ବ ମିଳିବ ବୋଲି ଆକଳନ କରାଯାଇଛି।
କୋଇଲା ଖଣି ନିଲାମର ଦ୍ବିତୀୟ ପର୍ଯ୍ୟାୟ ବିଷୟରେ ଘୋଷଣା କରି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ଆମେ ଦେଶର ଅର୍ଥନୈତିକ ବିକାଶକୁ ଆଗକୁ ବଢ଼ାଇବା ଲାଗି କୋଇଲାକୁ ବ୍ୟବହାର କରୁଛୁ। ଭାରତୀୟ କୋଇଲା କ୍ଷେତ୍ରରେ ଅନେକ ସୁଯୋଗ ରହିଛି। ତାହାକୁ ହାସଲ କରିବା ଲାଗି ମୁଁ ନିବେଶକମାନଙ୍କୁ ଆମନ୍ତ୍ରିତ କରୁଛି। କୋଇଲା ଖଣି ନିଲାମରେ ‘ରୋଲିଂ ଅକ୍ସନ’ ବିକଳ୍ପ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। ପ୍ରଥମ ଖଣିଜ ସମ୍ପଦ ଭାବେ କୋଇଲାରେ ଏହି ମଡେଲ୍ ବ୍ୟବହାର ହେବ। ଏଥିରେ ସବୁ ସମୟରେ କିଛି ଖଣି ନିଲାମ ପାଇଁ ଉପଲବ୍ଧ ରହିବ। ଖଣିଗୁଡ଼ିକ ବିଷୟରେ ସବିଶେଷ ବିବରଣୀ ସରକାର ଅପ୍ଲୋଡ୍ କରିବେ। କଂପାନିଗୁଡ଼ିକ ନିଜର ପ୍ରାଥମିକତା ଅନୁସାରେ ଖଣି ଚୟନ କରିପାରିବେ। ଏହା ଏକ ନିରନ୍ତର ପ୍ରକ୍ରିୟା ହେବ ଏବଂ ଏହା ଦ୍ବାରା ଖଣି ନିଲାମ ତ୍ବରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି। ଘରୋଇ ସଂସ୍ଥା ଓ ଉଦ୍ୟୋଗଗୁଡ଼ିକ ଲାଗି କୋଇଲା ଖଣି ଉପଲବ୍ଧ କରିବା ପାଇଁ ସରକାର ଏହି ନିଲାମ କରୁଥିବା ବେଳେ ରାଷ୍ଟ୍ରାୟତ୍ତ କୋଲ୍ ଇଣ୍ଡିଆର ଇ-ନିଲାମ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କୋଲ୍ ଇଣ୍ଡିଆର ସମସ୍ତ ଇ-ନିଲାମ ୱିଣ୍ଡୋକୁ ସମନ୍ବିତ କରାଯିବ। ଏକ ପ୍ରକାର ମାନର କୋଇଲା ପାଇଁ ମୂଲ୍ୟ ସମାନ ରଖାଯିବ।
Follow Us