ଭୁବନେଶ୍ବର: ଶ୍ରମଶକ୍ତିରେ ମହିଳାମାନଙ୍କ ଯୋଗଦାନ ବଢ଼ିବା ସହିତ ବ୍ୟକ୍ତିଗତ ଆୟକରଦାତା ବର୍ଗରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସର୍ବଭାରତୀୟ ସ୍ତରରେ ଏହି ଧାରା ଦେଖାଦେଇଥିବା ବେଳେ ଓଡ଼ିଶା ସେଥିରେ ପଛରେ ନାହିଁ। ଦେଶର ପ୍ରାୟ ୧୫ ପ୍ରତିଶତ ଆୟକରଦାତା ମହିଳା ହୋଇଥିବା ବେଳେ ଓଡ଼ିଶାରେ ଏହି ହାର ୧୨-୧୬ ପ୍ରତିଶତ ଥିବା ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ରିପୋର୍ଟରେ ଦାବି କରାଯାଇଛି। କେରଳ, ତାମିଲନାଡୁ, ପଞ୍ଜାବ ଓ ପଶ୍ଚିମବଙ୍ଗରେ ମହିଳା ଆୟକରଦାତାଙ୍କ ହାର ଅଧିକ ରହିଛି। କେରଳରେ ଏହି ହାର ୨୨-୨୬ ପ୍ରତିଶତ ଥିବା ବେଳେ ତାମିଲନାଡ଼ୁରେ ତାହା ୨୧-୨୫ ପ୍ରତିଶତ ରହିଛି। ବିହାରରେ ଏହି ହାର ସର୍ବନିମ୍ନ ୫-୭ ପ୍ରତିଶତ ଥିବା ବେଳେ ଉତ୍ତରପ୍ରଦେଶରେ ତାହା ୫-୮ ପ୍ରତିଶତ ରହିଛି। ଆୟକର ରିଟର୍ଣ୍ଣ ଦାଖଲରେ ମହିଳାଙ୍କ ଭାଗ ହିସାବରେ ମହାରାଷ୍ଟ୍ର ସମକକ୍ଷ ରହିଛି ଓଡ଼ିଶା। ଏହା ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡଠାରୁ ଆଗରେ ରହିଛି।
ଏହି ରିପୋର୍ଟରେ କୁହାଯାଇଛି ଯେ ଆୟକର ରିଟର୍ଣ୍ଣ ଦାଖଲରେ ଆଗରେ ଥିବା ରାଜ୍ୟ ଯଥା ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ ଓ କର୍ଣ୍ଣାଟକରେ ଟିକସଦାତାଙ୍କ ସଂଖ୍ୟା କମ୍ ହେଉଥିବା ବେଳେ ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନରେ ବଢ଼ିବାରେ ଲାଗିଛି। ଆୟକର ରିଟର୍ଣ୍ଣ ଦାଖଲରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ତାମିଲନାଡ଼ୁ ଉପର ପାଞ୍ଚଟି ସ୍ଥାନରେ ରହିଛନ୍ତି। ମୋଟ ଆୟକର ରିଟର୍ଣ୍ଣରେ ଏହି ପାଞ୍ଚ ରାଜ୍ୟର ଭାଗ ୪୮ ପ୍ରତିଶତ ରହିଛି। ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁରେ ମୁଣ୍ଡପିଛା ଟିକସ ଜାତୀୟ ହାରଠାରୁ ଅଧିକ ରହିଛି। ସେହି ସମୟରେ ରାଜସ୍ଥାନ, ପଞ୍ଜାବ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା,ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ମୁଣ୍ଡପିଛା ଟିକସ ହାର ଜାତୀୟ ସ୍ତରଠାରୁ କମ୍ ରହିଥିବା ବେଳେ ମୁଣ୍ଡପିଛା ଆୟ ମଧ୍ୟ କମ୍ ରହିଛି।
Follow Us