ଆଦାୟ ହୋଇପାରୁନି ୧୯ ଲକ୍ଷ କୋଟି: ଚଳିତବର୍ଷ ୭.୭ ଲକ୍ଷ କୋଟି ଆଦାୟ ଲକ୍ଷ୍ୟ

Advertisment
ଆଦାୟ ହୋଇପାରୁନି ୧୯ ଲକ୍ଷ କୋଟି: ଚଳିତବର୍ଷ ୭.୭ ଲକ୍ଷ କୋଟି ଆଦାୟ ଲକ୍ଷ୍ୟ

Live Law

ନୂଆଦିଲ୍ଲୀ: ଦେଶରେ ମୋଟ ୧୯.୩୫ ଲକ୍ଷ କୋଟି ଟଙ୍କାର ଆୟକର ଆଦାୟ ନହୋଇ ପଡ଼ିରହିଛି। ଉକ୍ତ ରାଶି ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବା ୭.୭ ଲକ୍ଷ କୋଟି ଟଙ୍କା ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆଦାୟ କରିବା ଲାଗି ଆୟକର ବିଭାଗ ଅଣ୍ଟାଭିଡ଼ିଛି। ଗତମାସ ୨୧ ତାରିଖରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ହୋଇଥିବା ଏକ ବୈଠକରେ ଆୟକର ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି।

ବରିଷ୍ଠ ଅଧିକାରୀମାନଙ୍କୁ ପଡ଼ି ରହିଥିବା ମାମଲାଗୁଡ଼ିକର ଫଇସଲା କରିବା ଲାଗି କୁହାଯାଇଛି। ବିଶେଷକରି ଯେଉଁ ମାମଲାରେ ଅଧିକ ପରିମାଣର ଟିକସ ସଂଶ୍ଳିଷ୍ଟ ରହିଛି ସେଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। କେବଳ ସେତିକି ନୁହେଁ, ଆଦାୟ ନହୋଇ ପଡ଼ି ରହିଥିବା ଟିକସ ରାଶିରୁ ୨.୦୫ ଲକ୍ଷ କୋଟି ଟଙ୍କା ନଗଦ ଅର୍ଥ ଆକାରରେ ଆଦାୟ କରିବା ଲାଗି କୁହାଯାଇଛି। କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୬.୪ ପ୍ରତିଶତରେ ରଖିବା ଲାଗି ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ତେଣୁ ବିତ୍ତୀୟ ନିଅଣ୍ଟକୁ ସୀମା ମଧ୍ୟରେ ରଖିବାକୁ ହେଲେ ଟିକସ ଆଦାୟ ରାଶି ବଢ଼ାଇବାକୁ ହେବ। କିନ୍ତୁ ପଡ଼ି ରହିଥିବା ଟିକସ ମଧ୍ୟରୁ ୧୦ ପ୍ରତିଶତରୁ କମ୍‌ ବିଭିନ୍ନ ବର୍ଷରେ ଆଦାୟ ହେବାର ଧାରା ବର୍ତ୍ତମାନ ସୁଦ୍ଧା ଦେଖିବାକୁ ମିଳିଛି। ମାଲି ମକଦ୍ଦମା, କମ୍ପାନି ବନ୍ଦ, ଟିକସପ୍ରଦାନକାରୀଙ୍କୁ ଠାବ କରା ନଯାଇ ପାରିବା, ଟିଡିଏସରେ ଅସଙ୍ଗତି ରହିବା ଆଦି ଯୋଗୁ ଟିକସ ରାଶି ଆଦାୟ ହୋଇପାରି ନଥାଏ। ଏହାବ୍ୟତୀତ ଅଦାଲତ ଏବଂ ଟ୍ରିବ୍ୟୁନାଲ ଆଦି ଦ୍ବାରା ରହିତାଦେଶ ପାଇଁ ମଧ୍ୟ ଟିକସ ଆଦାୟ ହୋଇ ପାରି ନଥାଏ।

ଗତମାସରେ ହୋଇଥିବା ବୈଠକରେ ଟିକସ ଆଦାୟ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଗୁଡ଼ିକର ସମୀକ୍ଷା କରାଯାଇଥିଲା। ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପଡ଼ି ରହିଥିବା ଟିକସ ଆଦାୟ ପାଇଁ ନକ୍ସା ପ୍ରସ୍ତୁତ ହୋଇଛି। ତେଣୁ ଟିକସ ଆଦାୟ ପାଇଁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିମାନଙ୍କୁ ନୋଟିସ ପଠାଯିବ ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି।

ଏକ ସୂଚନା ଅନୁଯାୟୀ, ଆୟକର ବିଭାଗର ମୁମ୍ବାଇ କାର୍ଯ୍ୟାଳୟ ଅଧୀନରେ ୨,୩୧,୬୭୩ କୋଟି ଟଙ୍କା ପଡ଼ି ରହିଥିବାବେଳେ ଦିଲ୍ଲୀରେ ୧,୪୦,୧୯୮ କୋଟି, ଗୁଜରାଟରେ ୪୬,୮୩୩ କୋଟି, ବେଙ୍ଗାଲୁରୁରେ ୩୩,୩୦୨ କୋଟି, ‌ଆନ୍ଧ୍ର ପ୍ରଦଶେ ଓ ତେଲେଙ୍ଗାନାରେ ୩୨,୭୦୯ କୋଟି ଟଙ୍କାର ଆୟକର ଆଦାୟ ନହୋଇ ପଡ଼ି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe