୧୦%ରୁ କମ୍ କାର୍‌ରେ ୬ ଏୟାରବ୍ୟାଗ୍‌: ୨ ଏୟାରବ୍ୟାଗ୍‌ ଥିବା କାର୍ ଅଧିକ ବିକ୍ରି

Advertisment
୬ ଏୟାରବ୍ୟାଗ୍‌ ମହଲତ ବର୍ଷେ ବଢ଼ିଲା: ୨୦୨୩ ଅକ୍ଟୋବର ୧ରୁ ଲାଗୁ‌ ହେବ, କାର୍‌ ଦାମ୍ ୩୦,୦୦୦ ଟଙ୍କା ବଢ଼ିବ

Tech India

ନୂଆଦିଲ୍ଲୀ: ରାସ୍ତା ଗଡ଼ୁଥିବା କାର୍‌ଗୁଡ଼ିକ ମଧ୍ୟରୁ ୯୦%ରୁ ଅଧିକ କାର୍‌ରେ ୬ଟି ଏୟାରବ୍ୟାଗ୍ ସୁବିଧା ନାହିଁ। ଏହି ସରକ୍ଷା ବ୍ୟବସ୍ଥା କେବଳ କିଛି ଦାମୀ କାର୍‌ ମଧ୍ୟରେ ସୀମିତ ରହିଛି। ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ପ୍ରାଣ ହରାଇବା ପରେ କାର୍‌ରେ ଏୟାରବ୍ୟାଗ୍‌ର ଆବଶ୍ୟକତାକୁ ନେଇ ପୁଣି ବିତର୍କ ଆରମ୍ଭ ହୋଇଛି। ମାତ୍ର ୧୦%ରୁ କମ୍ କାର୍‌ରେ ୬ଟି ଏୟାରବ୍ୟାଗ୍‌ ସୁବିଧା ଥିବା ଜଣାପଡ଼ିଛି। କେନ୍ଦ୍ର ସରକାର ଦୁଇଟି ଏୟାରବ୍ୟାଗ୍ ନିୟମକୁ ବାଧ୍ୟତାମୁଳକ କରିବା ପରେ ବିକ୍ରି ହେଉଥିବା ସବୁ ନୂଆ କାର୍‌ରେ ଦୁଇଟି ଲେଖାଏଁ ଏୟାରବ୍ୟାଗ୍ ରହୁଛି। ଏହା ବ୍ୟତୀତ ଅଧିକ ଏୟାରବ୍ୟାଗ୍‌ ଥିବା ଗାଡ଼ି ମଧ୍ୟ ରହିଛି। କିନ୍ତୁ ଦାମ୍‌ ଅଧିକ ରହିବା ଯୋଗୁଁ ଗ୍ରାହକମାନେ କମ୍‌ ସୁରକ୍ଷା ବ୍ୟବସ୍ଥା ଥିବା ଗାଡ଼ି କିଣୁଛନ୍ତି। ଚଳିତ ବର୍ଷ ଜାନୁଆରିରେ ସବୁ ନୂଆ କାର୍‌ରେ ସାମ୍ନା ଦୁଇ ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ୍‌ ବ୍ୟବସ୍ଥା କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି।

ଭାରତରେ ପ୍ରତି ବର୍ଷ ୫ ଲକ୍ଷ ସଡ଼କ ଦୁର୍ଘଟଣା ହେଉଥିବା ବେଳେ ଏକ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ଗାଡ଼ିରେ ଅଧିକ ଏୟାରବ୍ୟାଗ୍‌ ଲଗାଇଥିଲେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ସରକାର ଭାବୁଛନ୍ତି। ବିଶ୍ବର ମାତ୍ର ୧% ଗାଡ଼ି ଭାରତରେ ଚାଲୁଥିବା ବେଳେ ଦୁର୍ଘଟଣାଜନିତ ମୃତ୍ୟୁରେ ଏହାର ଭାଗ ୧୧ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ୨୦୨୧ରେ ସଡ଼କ ଦୁର୍ଘଟଣାରେ ୧.୬ ଲକ୍ଷ ପାଖାପାଖି ଲୋକ ପ୍ରାଣ ହରାଇଛନ୍ତି। ଗାଡ଼ି‌ର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ୬ଟି ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ କରିବା ସପକ୍ଷରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଯୁକ୍ତି କରୁଛନ୍ତି। ୬ ଏୟାରବ୍ୟାଗ୍‌ ପ୍ରସ୍ତାବକୁ ଗାଡ଼ି ଶିଳ୍ପର କିଛି ବର୍ଗ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହା ଦ୍ବାରା ଗାଡ଼ିର ଦାମ୍ ବଢ଼ିଯିବ ବୋଲି ସେମାନେ କହୁଛନ୍ତି। ସେହି ଯୁକ୍ତି ଅବାସ୍ତବ ବୋଲି ଗଡ଼କରୀ କହିଛନ୍ତି। ୨୦୨୨ ଅକ୍ଟୋବରରୁ ସବୁ କାର୍‌ ପାଇଁ ୬ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ କରିବା ଲାଗି ସରକାର ଯୋଜନା ରଖିଛନ୍ତି। ସଂସଦର ଗତ ଅଧିବେଶନରେ ମନ୍ତ୍ରୀ ଗଡ଼କରୀ କହିଥି‌ଲେ ଯେ ଯଦି କାର୍‌ଗୁଡ଼ିକରେ ୬ଟି ଏୟାରବ୍ୟାଗ୍‌ର ସୁବିଧା ରହିଥାନ୍ତା ତେବେ‌ ୨୦୨୦ରେ ହୋଇଥିବା ଦୁର୍ଘଟଣାରେ ୧୩ ହଜାର ଜୀବନ ବଞ୍ଚିଯାଇଥାନ୍ତା। ମାରୁତି, ହୁଣ୍ଡାଇ ଓ ଟାଟା ମୋଟର୍ସ ପକ୍ଷରୁ ୬ ଏୟାରବ୍ୟାଗ୍‌ ଥିବା ଗାଡ଼ି ବିକ୍ରି କରାଯାଉଛି। ଦାମୀ ଗାଡ଼ିଗୁଡ଼ିକରେ ମର୍ସିଡିସ୍‌-ବେଞ୍ଜ, ଅଡି ଓ ଭଲ୍‌ଭୋ ଆଦି ୬ ଏୟାରବ୍ୟାଗ୍ ପ୍ରଦାନ କରୁଛନ୍ତି। ମର୍ସିଡିସ୍ ବେଞ୍ଜ୍‌ ଏହାର ଏସ୍‌-କ୍ଲାସ୍ ସେଦାନରେ ୯ଟି ଏୟାରବ୍ୟାଗ୍ ପ୍ରଦାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe