ଏପ୍ରିଲ୍‌ରୁ ୨୦% ଇଥାନଲ୍‌ ମିଶା ପେ‌ଟ୍ରୋଲ୍: ପ୍ରଥମେ ହାତଗଣତି ପେଟ୍ରୋଲ୍‌ ପମ୍ପ୍‌ରେ ମିଳିବ

Advertisment

୨୦୨୫ ସୁଦ୍ଧା ଦେଶବ୍ୟାପୀ ଉପଲବ୍ଧ ହେବ

୨୦୨୫ ସୁଦ୍ଧା ଦେଶବ୍ୟାପୀ ଉପଲବ୍ଧ ହେବ

ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପରେ ଫେରୁଛି ସ୍ବାଭାବିକ ପରିସ୍ଥିତି

The Hans India

ନୂଆଦିଲ୍ଲୀ: ତୈଳ ଆମଦାନି ଉପରେ ରହିଥିବା ନିର୍ଭରଶୀଳତା ହ୍ରାସ କରିବା ଓ ଗାଡ଼ି ଧୂଆଁ ଜନିତ ପରିବେଶ ପ୍ରଦୂଷଣକୁ କମ୍ କରିବା ଲାଗି ଆସନ୍ତା ବର୍ଷ ଏପ୍ରିଲ୍‌ରୁ ଦେଶରେ ୨୦% ଇଥାନଲ୍‌ ମିଶା ପେଟ୍ରୋଲ୍ ବିକ୍ରି କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ହାତଗଣତି ପେଟ୍ରୋଲ୍ ପମ୍ପ୍‌କୁ ଇଥାନଲ୍‌ ମିଶା ପେଟ୍ରୋଲ୍ ଯୋଗାଇ ଦିଆଯିବ। ପରବର୍ତ୍ତୀ ସମୟରେ ଯୋଗାଣରେ ବୃଦ୍ଧି କରାଯିବ। ୧୦% ଇଥାନଲ୍‌ ମିଶା ପେଟ୍ରୋଲ୍‌ ବିକ୍ରି ଲକ୍ଷ୍ୟକୁ ନିର୍ଧାରିତ ସମୟର ପାଞ୍ଚ ମାସ ପୂର୍ବରୁ ଚଳିତ ବର୍ଷ ଜୁନ୍‌ରେ ହାସଲ କରାଯାଇଛି।

୧୦% ଇଥାନଲ୍‌ ମିଶା ପେଟ୍ରୋଲ୍ ଲକ୍ଷ୍ୟ ହାସଲ କରିବା ପରେ ୨୦୨୫ ସୁଦ୍ଧା ୨୦% ଇଥାନଲ୍‌ ମିଶା ପେ‌ଟ୍ରୋଲ୍‌ ବିକ୍ରି ଲକ୍ଷ୍ୟ ହାସଲ କରିବାକୁ କେନ୍ଦ୍ର ସରକାର ଆଶାବାଦୀ ହୋଇପଡ଼ିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ୨୦୨୫ ସୁଦ୍ଧା ଏକ ପଞ୍ଚାମାଂଶ ପେଟ୍ରୋଲ୍‌ ଇଥାନଲ୍‌ରୁ ପ୍ରସ୍ତୁତ ହେବ। ଏହି ଲକ୍ଷ୍ୟକୁ ହାସଲ କରିବା ଲାଗି ଅଳ୍ପ ପରିମାଣର ଯୋଗାଣ ସହ ଏହି ପ୍ରକ୍ରିୟା ୨୦୨୩ ଏପ୍ରିଲ୍‌ରୁ ଆରମ୍ଭ ହେବ। ପେଟ୍ରୋଲ୍‌ରେ ୧୦% ଇଥାନଲ୍‌ ମିଶାଇବା ପରେ ଆମଦାନିରେ ହେଉଥିବା ୪୧,୫୦୦ କୋଟି ଟଙ୍କାର ବିଦେଶୀ ମୁଦ୍ରା ଖର୍ଚ୍ଚ ଓ ୨୭ ଲକ୍ଷ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକାଯାଇପାରିଛି ଓ ସେହି ସମୟରେ ଚାଷୀମାନଙ୍କୁ ୪୦,୬୦୦ କୋଟି ଟଙ୍କା ଦିଆଯାଇଛି। ୨୦% ଇଥାନଲ୍‌ ମିଶ୍ରଣ ଲକ୍ଷ୍ୟ ହାସଲ ହେଲେ ବାର୍ଷିକ ୪୦୦ କୋଟି ଡଲାର ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି। ବାୟୋ ଫୁଏଲ୍‌କୁ ନେଇ ସରକାରଙ୍କ ବଡ଼ ଯୋଜନା ରହିଛି। ତାହାର ଏକ ପ୍ରମୁଖ ଅଂଶ ହେଉଛି ଇଥାନଲ୍‌। ବିଶ୍ବ ବାୟୋଫୁଏଲ୍‌ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାରେ ଏକ ଇଥାନଲ୍‌ କାରଖାନାକୁ ଉଦ୍‌ଘାଟନ କରିଥିଲେ। ଇଣ୍ଡିଆନ ଅଏଲ୍‌ ପକ୍ଷରୁ ୯୦୦ କୋଟି ଟଙ୍କା ବ୍ୟୟରେ ତାହାକୁ ନିର୍ମାଣ କରାଯାଇଛି। ସେଥିରେ ଦୁଇ ଲକ୍ଷ ଟନ୍‌ ନଡ଼ାକୁ କଞ୍ଚାମାଲ ଭାବେ ବ୍ୟବହାର କରି ୩ କୋଟି ଲିଟର ଇଥାନଲ୍‌ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ବାରା ତିନି ଲକ୍ଷ ଟନ୍‌ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗମନକୁ ରୋକାଯାଇପାରିବ ଯାହା ‌ରାସ୍ତାରୁ ବାର୍ଷିକ ୬୩ ହଜାର କାର୍‌ ହଟାଇବା ସହ ସମାନ।

ନିକଟରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଇଥାନଲ୍‌କୁ ପେଟ୍ରୋଲ୍‌ର ବିକଳ୍ପ ବୋଲି କହିଥିଲେ। ସେ ଜଣାଇଛନ୍ତି ଯେ ପେଟ୍ରୋଲର ଲିଟର ପିଛା ଦାମ୍ ୧୦୦ ଟଙ୍କାରୁ ଅଧିକ ରହୁଥିବା ବେଳେ ଏକ ଲିଟର ଇଥାନଲ୍ ମୂଲ୍ୟ ୬୨ ଟଙ୍କା ମଧ୍ୟରେ ରହିଛି। ଫ୍ଲେକ୍ସି-ଇଞ୍ଜିନ ଲାଗିଥିବା ଗାଡ଼ି କେବଳ ଇଥାନଲ୍‌ରେ ଚାଲିପାରିବ। ଆଧୁନିକ ଯୁଗର କାର୍‌ରେ ବ୍ୟବହାର କରିବା ଲାଗି ପେଟ୍ରୋଲ୍ ଭଳି କ୍ୟାଲୋରି ମୂଲ୍ୟ ପ୍ରଦାନ କରୁଥିବା ଇଥାନଲ୍ ଉତ୍ପାଦନ କରିବାକୁ ପଡ଼ିବ। ସେହି ପ୍ରଯୁକ୍ତି ରୁଷ୍ ପାଖରେ ରହିଛି। ଇଣ୍ଡିଆନ ଅଏଲ୍‌ ଓ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ମଧ୍ୟ ସ୍ବୀକାର କରିଛନ୍ତି ଯେ ଇଥାନଲ୍‌ର ମାଇଲେଜ୍‌ ପେଟ୍ରୋଲ୍‌ ସହ ସମାନ ରହିବ। ଦେଶର ବହୁ ରାଜ୍ୟରେ ଇଥାନଲ୍‌ ଉତ୍ପାଦନ ହେଉଛି। ଆସନ୍ତା ପାଞ୍ଚ ବର୍ଷ ଭିତରେ ସରକାର ‌ଇଥାନଲ୍‌ ପମ୍ପ୍‌ ଖୋଲିବାକୁ ଯୋଜନା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe