ଡିସେମ୍ବର ପୂର୍ବରୁ ଏଟିଏମ୍‌ରୁ ମିଳିବନି ୨୦୦ ଟଙ୍କିଆ

Advertisment
ଡିସେମ୍ବର ପୂର୍ବରୁ ଏଟିଏମ୍‌ରୁ ମିଳିବନି ୨୦୦ ଟଙ୍କିଆ

ନୂଆଦିଲ୍ଲୀ: ଏଟିଏମ୍‌ରୁ ୨୦୦ ଟଙ୍କିଆ ନୋଟ୍‌ ପାଇବାକୁ ଆଶା ରଖିଥିବା ଲୋକମାନଙ୍କୁ ଆହୁରି ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିବ। ଚଳିତ ବର୍ଷ ଡିସେମ୍ବର ପୂର୍ବରୁ ଏହି ନୋଟ୍‌ ଏଟିଏମ୍‌ରେ ଉପଲବ୍ଧ ହୋଇପାରିବ ନାହିଁ।
ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ୨୦୦ ଟଙ୍କିଆ ନୋଟ୍‌ ଏଟିଏମ୍‌ରୁ ପାଇବା ପାଇଁ ନୂଆବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ।
୫୦୦ ଟଙ୍କିଆ ଏବଂ ୧୦୦ ଟଙ୍କିଆ ନୋଟ୍‌ ଭିତରେ ଥିବା ଅନ୍ତରକୁ ଦୂର କରିବା ପାଇଁ ଚଳିତ ବର୍ଷ ଅଗଷ୍ଟରେ ନୂଆ ୨୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ କରାଯାଇଥିଲା। ବୋଧହୁଏ ଏହି ନୋଟ୍‌ ପର୍ଯ୍ୟାପ୍ତ ପରିମାଣର ଛପା ହୋଇନାହିଁ। ସେଥିପାଇଁ କେତେକ ବ୍ୟାଙ୍କ ଶାଖା ଜରିଆରେ ଲୋକମାନେ ଏହି ନୋଟ୍‌ ପାଉଛନ୍ତି। ଏଟିଏମ୍‌ରେ ଏହି ନୋଟ୍‌ ଭର୍ତ୍ତି କରିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ବଡ଼ ଧରଣର ପ୍ରକ୍ରିୟା ଆରମ୍ଭ ହୋଇନାହିଁ।
ଏଟିଏମ୍‌ ମେସିନ୍‌ ପରିଚାଳନା କରୁଥିବା କଂପାନିଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ ୨୦୦ ଟଙ୍କିଆ ନୋଟ୍‌ ପାଇଁ ଏଟିଏମ୍‌ଗୁଡ଼ିକୁ ରିକାଲିବ୍ରେଟ୍‌ (ପ୍ରସ୍ତୁତ କରିବା) ନିମନ୍ତେ ବ୍ୟାଙ୍କଗୁଡ଼ିକ ସେମାନଙ୍କୁ କିଛି ନିର୍ଦେଶ ଦେଇନାହାନ୍ତି। ବ୍ୟାଙ୍କଗୁଡ଼ିକଠାରୁ ନିର୍ଦେଶ ପାଇବା ପରେ ଏଟିଏମ୍‌ଗୁଡ଼ିକର ରିକାଲିବ୍ରେସନ୍‌ କରାଯିବ। ସେଥିପାଇଁ ସମୟ ଲାଗିବ। ଏକ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏଟିଏମ୍‌ ରିକାଲିବ୍ରେସନ୍‌ ଯେତେ ସହଜ ମନେ ହେଉଛି, ବାସ୍ତବରେ ତାହା ସେତେ ସହଜ ନୁହେଁ। ଏଥିପାଇଁ ବହୁତ ସମୟ ଦରକାର ପଡ଼େ। ବିମୁଦ୍ରାକରଣ ପରେ ଲୋକମାନଙ୍କ ପାଖରେ ଏଟିଏମ୍‌ ଜରିଆରେ ନୂଆ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ପହଞ୍ଚାଇବା ପାଇଁ ଏଟିଏମ୍‌କୁ ରିକାଲିବ୍ରେଟ୍‌ କରିବା ନିମନ୍ତେ କର୍ମଚାରୀମାନେ ଦିନରାତି ପରିଶ୍ରମ କରିଥିଲେ।
ସବୁ ଏଟିଏମ୍‌ ମେସିନ୍‌ ଭିତରେ କ୍ୟାସେଟ୍‌ ରହିଛି ଯାହା ଭିତରେ ନୋଟ୍‌ଗୁଡ଼ିକୁ ରଖାଯାଏ। ଗୋଟିଏ ମେସିନ୍‌ରେ ତିନିରୁ ଚାରିଟି ଲେଖାଏଁ କ୍ୟାସେଟ୍‌ ରହିଥାଏ। ନୋଟ୍‌୍‌ର ଆକାର ଅନୁସାରେ କ୍ୟାସେଟ୍‌ଗୁଡ଼ିକୁ ବଦଳାଇବାକୁ ପଡ଼େ। ଏହା ବ୍ୟତୀତ ସଫ୍ଟଓୟାରରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼େ। ବର୍ତମାନ ଏଟିଏମ୍‌ଗୁଡ଼ିକରେ ଥିବା କ୍ୟାସେଟ୍‌ରେ ୧୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ରହୁଛି।
୨୦୦ ଟଙ୍କିଆ ପାଇଁ ଏଟିଏମ୍‌ଗୁଡ଼ିକୁ ରିକାଲିବ୍ରେଟ୍‌ କରିବା ନିମନ୍ତେ ବ୍ୟାଙ୍କଗୁଡ଼ିକ ତରବର ହେଉନାହାନ୍ତି। ଏଥିରୁ ଏହା ଜଣାପଡୁଛି ଯେ ସେମାନଙ୍କ ପାଖରେ ଆବଶ୍ୟକ ପରିମାଣର ୨୦୦ ଟଙ୍କିଆ ନୋଟ୍‌ ପହଞ୍ଚିପାରୁନାହିଁ ଯାହାକୁ ସେମାନେ ଏଟିଏମ୍‌ ଜରିଆରେ ବଣ୍ଟନ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe