ଭୁବନେଶ୍ବର: ରାଜ୍ୟ ସରକାର ୨୦୨୦-୨୧ ବଜେଟ୍ରେ ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷି କ୍ଷେତ୍ରର ବ୍ୟୟବରାଦ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର ବୋଲି ବିଶେଷଜ୍ଞମାନେ କହିଛନ୍ତି। ସିୱାଇଏସ୍ଡି ଓ ସେଭ୍ ଦି ଚିଲ୍ଡ୍ରେନ୍ର ମିଳିତ ଆନୁକୂଲ୍ୟରେ ସିୱାଇଏସ୍ଡି ପରିସରରେ ଆୟୋଜନ କରାଯାଇଥିବା ପ୍ରାକ୍ ବଜେଟ୍ ଆଲୋଚନା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଶେଷଜ୍ଞ ଓ ବୁଦ୍ଧିଜୀବୀମାନେ ଏହା କହିଛନ୍ତି। ସେମାନେ କହିଛନ୍ତି, ସରକାର ବାସ୍ତବ ଖର୍ଚ ପ୍ରତି ଧ୍ୟାନ ଦେବା ଦରକାର। ଏହା ବ୍ୟତୀତ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି)ର ମାପଦଣ୍ଡ ଆଧାରରେ ବଜେଟ୍ ପ୍ରସ୍ତୁତ କରିବାକୁ ସେମାନେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ବ୍ୟୟବରାଦ ଓ ଖର୍ଚ୍ଚକୁ ଭିତ୍ତି କରି ପ୍ରତିବର୍ଷ ଏକ ବଜେଟ୍ ଷ୍ଟେଟ୍ମେଣ୍ଟ୍ ଆସିବା ଦରକାର ବୋଲି ବକ୍ତାମାନେ ମତ ଦେଇଛନ୍ତି।
ଓଡ଼ିଶାର ୨୦୨୦-୨୧ ବଜେଟ୍ରେ କ’ଣ ରହିବା ଦରକାର ତାହା ଜାଣିବା ଲାଗି ସିୱାଇଏସ୍ଡି ତରଫରୁ ତୃଣମୂଳ ସ୍ତରର ୪୦୦୦ରୁ ଅଧିକ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଏମ୍ଜିନରେଗାରେ ୧୦୦ ଦିନର କାର୍ଯ୍ୟ ଏବଂ ସର୍ବନିମ୍ନ ମଜୁରୀକୁ ୩୦୦ ଟଙ୍କା କରିବା, ପ୍ରତି ଗ୍ରାମକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଓ ପ୍ରତି ବ୍ଲକ୍ରେ ପରୀକ୍ଷାଗାର ସ୍ଥାପନ କରିବାକୁ ଲୋକମାନେ ପ୍ରସ୍ତାବ ଦେଇଥିଲେ। ପୁଷ୍ଟିସାଧନ କାର୍ଯ୍ୟକ୍ରମଗୁଡ଼ିକର ତଦାରଖ କରିବା ଲାଗି ସ୍ବତନ୍ତ୍ର କମିସନ ଗଠନ କରିବା, ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ବିଜ୍ଞାନ ଶିକ୍ଷକ ନିଯୁକ୍ତ କରିବା ଏବଂ କମ୍ପ୍ୟୁଟର ଶିକ୍ଷାର ମାନ ବଢ଼ାଇବା, ଜୈବିକ କୃଷିକୁ ପ୍ରୋତ୍ସାହନ, ପ୍ରତ୍ୟକ ବ୍ଲକ୍ରେ ଶୀତଳଭଣ୍ଡାର ସ୍ଥାପନ କରିବା ଏବଂ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମଗୁଡ଼ିକର ସାମାଜିକ ସମୀକ୍ଷା କରିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି। ଏହି ଆଲୋଚନା କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସକ ଯୁଗଳ କିଶୋର ମହାପାତ୍ର, ରାଜ୍ୟ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ରବି ନାରାୟଣ ସେନାପତି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ହର ପ୍ରସାଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ, ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ବାଳ, ଯୁଗ୍ମ ସଚିବ ଡକ୍ଟର ସତ୍ୟପ୍ରିୟ ରଥ, ସିୱାଇଏସ୍ଡିର ସହ-ପ୍ରତିଷ୍ଠାତା ଜଗଦ୍ଦାନନ୍ଦ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବିଭିନ୍ନ ପଞ୍ଚାୟତ ପ୍ରତିନିଧି, ସାମାଜିକ ଅନୁଷ୍ଠାନର କର୍ମକର୍ତା, ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।
Follow Us