ଭୁବନେଶ୍ବର: ବଜାରରେ ସୁନା ଦର ହୁ ହୁ ହୋଇ ବଢ଼ିଚାଲିଛି। ଭୁବନେଶ୍ବର ବଜାରରେ ଆଜି ପ୍ରଥମ ଥର ପାଇଁ ୨୨ କ୍ୟାରେଟ୍ ସୁନା ଦର ୧୦ ଗାମ୍ ପିଛା ୧ ଲକ୍ଷ ଟଙ୍କା ଟପି ୧, ୦୧,୧୦୦ ଟଙ୍କାରେ ପହଞ୍ଚିଛି। ସୋମବାର ତୁଳନାରେ ସୁନା ଦରରେ ୧୨୫୦ ଟଙ୍କା ବୃଦ୍ଧି ଘଟିଛି। ୨୨ କ୍ୟାରେଟ୍ ସୁନାରେ ସାଧାରଣତଃ ଗହଣା ନିର୍ମାଣ ହୋଇଥାଏ। ବର୍ଦ୍ଧିତ ଦର ସହିତ ଗଢ଼ା ମୂଲ୍ୟ ଏବଂ ଜିଏସ୍ଟିକୁ ମିଶାଇଲେ ଗହଣା ପାଇଁ ଗ୍ରାହକଙ୍କୁ ସୁନା କିଣିବା ବହୁ ମହଙ୍ଗା ହୋଇଯାଇଛି।
ଚଳିତମାସ ଗତ ଚାରି ତାରିଖରେ ୨୨ କ୍ୟାରେଟ୍ ସୁନା ଦର ଭୁବନେଶ୍ବର ବଜାରରେ ୧୦ ଗ୍ରାମ୍ ପିଛା ୧୦୦ ଟଙ୍କାର ସାମାନ୍ୟ ହ୍ରାସ ଘଟିଥିଲା। ଏହାକୁ ଛାଡ଼ିଦେଲେ ଅନ୍ୟ ଦିନଗୁଡ଼ିକରେ ସୁନା ଦର ବଢ଼ିଛି। ଏଥିଯୋଗୁ ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ଭୁବନେଶ୍ବରରେ ପ୍ରାୟ ୫୦୦୦ ଟଙ୍କା ମହଙ୍ଗା ହୋଇଯାଇଛି। ସେହିଭଳି ଭୁବନେଶ୍ବର ବଜାରରେ ମଙ୍ଗଳବାର ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୩୬୦ ଟଙ୍କା ବୃଦ୍ଧି ଘଟି ରେକର୍ଡ ୧,୦୮,୯୩୦ ଟଙ୍କାରେ ପହଞ୍ଚିଛି। ପ୍ରତିଶତ ହିସାବରେ ଦେଖିଲେ ସେପ୍ଟେମ୍ବର ମାସର ପ୍ରଥମ ୯ ଦିନରେ ସୁନା ଦର ୪.୧୭ ପ୍ରତିଶତ ବଢ଼ିଛି।
ବଜାରରେ ରୁପା ଦର ମଧ୍ୟ ବଢ଼ିବାରେ ଲାଗିଛି। ଗତକାଲି ଭୁବନେଶ୍ବର ବଜାରରେ କିଲୋଗ୍ରାମ ପିଛା ରୁପା ଦର ୨୦୦୦ ଟଙ୍କା ବୃଦ୍ଧି ଘଟି ରେକର୍ଡ ୧,୪୦,୦୦୦ ଟଙ୍କା ଛୁଇଁଛି। ମଙ୍ଗଳବାର ରୁପା ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ରୁଷ୍-ୟୁକ୍ରେନ ଯୁଦ୍ଧ, ବିଶ୍ବ ବାଣିଜ୍ୟରେ ଟ୍ରମ୍ପଙ୍କ ଶୁଳ୍କ ପ୍ରଭାବ ଓ ଅନ୍ୟାନ୍ୟ ଅନିଶ୍ଚିତତା କାରଣରୁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଉଛି। ସୁନାରେ ନିବେଶକୁ ନିବେଶକମାନେ ଅଧିକ ସୁରକ୍ଷିତ ମନେ କରୁଛନ୍ତି। ଫଳରେ ବଜାରରେ ସୁନା ଚାହିଦା ବୃଦ୍ଧି ପାଉଛି। ଏହାର ପ୍ରଭାବ ଦର ଉପରେ ପଡ଼ୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
Follow Us