୨୨ଟି ଶିଳ୍ପ ପ୍ରକଳ୍ପ ଆରମ୍ଭ: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ, ଉଦ୍‌ଘାଟନ

Advertisment

୧୩,୩୧୧ କୋଟି ଟଙ୍କାର ନିବେଶ ହେବ, ୧୦,୬୭୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

୧୩,୩୧୧ କୋଟି ଟଙ୍କାର ନିବେଶ ହେବ, ୧୦,୬୭୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

୨୨ଟି ଶିଳ୍ପ ପ୍ରକଳ୍ପ ଆରମ୍ଭ: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ, ଉଦ୍‌ଘାଟନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁଇଟି ଶିଳ୍ପ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟ ୨୦ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଧାତବ, ପର୍ଯ୍ୟଟନ, ବୟନ, ପୋଷାକ, ସିମେଣ୍ଟ୍‌, ପ୍ଲାଷ୍ଟିକ୍ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏହି ଶିଳ୍ପ ସଂସ୍ଥାଗୁଡ଼ିକ ସ୍ଥାପନ କରାଯାଉଛି। ଏସବୁ ପ୍ରକଳ୍ପରେ ମୋଟ ୧୩,୩୧୧ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ୧୦,୬୭୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଭାରତର ଏକ ପ୍ରମୁଖ ମା‌ନୁଫାକ୍‌ଚରିଂ ହବ୍‌ ଭାବେ ଓଡ଼ିଶାର ସ୍ଥିତି ଆହୁରି ସୁଦୃଢ଼ ‌ହୋଇପାରିଛି। ମୋ ସରକାର ଓ ୫ଟି ଅଭିଯାନର ପ୍ରଭାବ ସମ୍ପର୍କରେ ସେ କହିଛନ୍ତି ଯେ ଏହା ଦ୍ବାରା ରାଜ୍ୟରେ ନିବେଶ ବ୍ୟବସ୍ଥା ସୁଗମ ହୋଇଛି। ନାଗରିକ ଓ ବ୍ୟବସାୟ ଜଗତ ସରକାରଙ୍କ ଠାରୁ ଅବାଧରେ ଏବଂ ସଠିକ୍ ସମୟରେ ଯେଭଳି ସେବା ପାଇପାରିବେ ତାହାକୁ ନିଶ୍ଚିତ କରାଯାଉଛି। ୨୦୧୯ର ଏପ୍ରିଲ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦେଶର ୧୮ ପ୍ରତିଶତ ପୁଞ୍ଜିନିବେଶ ହାସଲ କରି ଓଡ଼ିଶା ପୁଞ୍ଜିନିବେଶର ଏକ ନମ୍ବର ରାଜ୍ୟ ଭାବେ ଉଭା ହୋଇଛି। ରାଜ୍ୟର ନିବେଶ ପ୍ରସାର ସଂସ୍ଥା ଇପିକଲ୍‌କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ମାନ୍ୟତା ଦିଆଯାଇଛି ବୋଲି ମଧ୍ୟ ସେ କହିଛନ୍ତି।

ଆଜି ଉଦ୍‌ଘାଟିତ ହୋଇଥିବା ଦୁଇଟି ପ୍ରକଳ୍ପ ହେଉଛି ଭୁବନେଶ୍ବର ଲାଇଭ୍‌ଲାଇନ୍ ମଲ୍ଟିଭେଞ୍ଚର୍ସର ଏକ ପଞ୍ଚତାରକା ହୋଟେଲ୍ ଯେଉଁଥିରେ ୧୫୦.୩୮ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ସେହିପରି ଓସିଏଲ୍‌ ଇଣ୍ଡିଆ ପକ୍ଷରୁ ଟାଙ୍ଗି-ଚୌଦ୍ବାର ଠାରେ ୪୪୧.୪୩ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରାଯାଇଥିବା ବାର୍ଷିକ ୨.୫ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସିମେଣ୍ଟ୍‌ ଗ୍ରାଇଣ୍ଡିଂ ୟୁନିଟ୍‌କୁ ମଧ୍ୟ ଉଦ୍‌ଘାଟନ କରାଯାଇଛି।

ଆଜି ୨୦ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଚୌଦ୍ବାରରେ କେଟିଏଲ୍‌ ଲଜିଷ୍ଟିକ୍ସ ୧୮୨.୨୮ କୋଟି ଟଙ୍କା ନିବେଶ କରିବାକୁ ଯାଉଥିବା ବେଳେ ସମ୍ବଲପୁରର ପାଣ୍ଡଲୋଇରେ ଶ୍ୟାମ ମେଟାଲିକ୍ସ ଆଣ୍ଡ୍‌ ଏନର୍ଜି ୭୬.୯୨ କୋଟି ଟଙ୍କା, ଝାରସୁଗୁଡ଼ାରେ ଫନ୍ ଲିଲା ୱାଟରପାର୍କ ୪.୪୯ କୋଟି ଟଙ୍କା, ଗଞ୍ଜାମର ରମ୍ଭାରେ ଲାକେର ଷ୍ଟିଲିଟ୍‌ ପ୍ଲାଷ୍ଟିକ୍ ଇଣ୍ଡଷ୍ଟ୍ରି ୧.୬୦ କୋଟି ଟଙ୍କା, ଯାଜପୁରର କଳିଙ୍ଗନଗରରେ ଜିନ୍ଦଲ ଷ୍ଟେନଲେସ୍ ୬୮୪୦ କୋଟି ଟଙ୍କା, ୟାଜଦାନି ଷ୍ଟିଲ୍ ଆଣ୍ଡ୍‌ ପାୱାର ଲିମିଟେଡ୍ ୨୪୧୫ କୋଟି ଟଙ୍କା, ସୁନ୍ଦରଗଡ଼ର କୁଟ୍ରାରେ ଶିବା ସିମେଣ୍ଟ୍‌ ଲିମିଟେଡ୍‌ ୧୫୨୩.୨୪ କୋଟି ଟଙ୍କା, ଢେଙ୍କାନାଳର ନିମ୍‌ଢ଼ାରେ ଏମ୍‌ଜିଏମ୍‌ ମିନେରାଲ୍ସ ୮୦୧.୮୯ କୋଟି ଟଙ୍କା, ପରଜଙ୍ଗରେ ଜିଏମ୍ ଆଇରନ୍ ଆଣ୍ଡ୍ ଷ୍ଟିଲ୍ କଂପାନି ୬୦୭.୫୨ କୋଟି ଟଙ୍କା ଓ ସୁନ୍ଦରଗଡ଼ର ଟୁମ୍‌କେଲାରେ ବିଆର୍‌ ସ୍ପଞ୍ଜ ଆଣ୍ଡ୍‌ ପାୱାର ଲିମିଟେଡ୍‌ ୨୦୦ କୋଟି ଟଙ୍କା ନିବେଶ କରିବ।

ସେହିପରି, ଖୋର୍ଦ୍ଧାର ଛତାବରରେ ଏକ୍ସିଲେନ୍ସ ଇଞ୍ଜିମ୍ୟାକ୍‌ ୧୨.୨୫ କୋଟି ଟଙ୍କା, ଇନ୍‌ଫୋଭାଲି-୨ରେ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ୍ ୧୧.୪୪ କୋଟି ଟଙ୍କା, ବଲାଙ୍ଗୀରରେ ଆର୍‌ଆର୍‌ ଆମ୍ୟୁଜମେଣ୍ଟ୍‌ ପାର୍କ ୧୦.୪୪ କୋଟି ଟଙ୍କା, ବାଲେଶ୍ବରର ଗଣେଶ୍ବରପୁରରେ ପଲ୍ଲବୀ ପଲିମର୍ସ ୮.୭୬ କୋଟି ଟଙ୍କା, ଚୌଦ୍ବାରରେ ସୁଶାନ୍ତ ମିନେରାଲ୍‌ସ ୬.୫୦ କେ୍ାଟି ଟଙ୍କା, ଖୋର୍ଦ୍ଧାର ଛତାବରରେ ଟିପି ଇନ୍‌ଗ୍ରେଡିଏଣ୍ଟ୍‌ସ୍‌ ୪.୯୧ କୋଟି ଟଙ୍କା, ଲିସା ପ୍ଲାଷ୍ଟିକ୍ସ ୩ କୋଟି ଟଙ୍କା ରାମଦାସପୁରରେ ସୁପୁଫ୍ ଇଣ୍ଡଷ୍ଟ୍ରିଜ୍ ୪.୫୩ କୋଟି ଟଙ୍କା, ଜୟମଙ୍ଗଲରେ ରଙ୍ଗନାଥ ଟ୍ରାନ୍ସଫରମର୍ସ ୨.୪୪ କୋଟି ଟଙ୍କା ଓ ପୁରୀର କୁର୍କିରେ କାରୁବାକି ଏଣ୍ଟରପ୍ରାଇଜେସ୍‌ ୨.୩୧ କୋଟି ଟଙ୍କାର ପୁଞ୍ଜିନିବେଶ କରିବ।

ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ଓ ଇଡ୍‌କୋ ସିଏମ୍‌ଡି ସଞ୍ଜୟ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପି କେ ଜେନା, ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଓ ଇପିକଲ୍‌ର ଏମ୍‌ଡି ଡକ୍ଟର ନିତୀନ ଜାୱଲେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe