ଏଟିଏମ୍‌ରୁ ଉଠାଇଲେ ୨୨% ଅଧିକ ଟଙ୍କା

Advertisment

ଏପ୍ରିଲ୍‌ରେ ୨ ଲକ୍ଷ ୬୫ ହଜାର କୋଟି ଉଠାଣ

ଏପ୍ରିଲ୍‌ରେ ୨ ଲକ୍ଷ ୬୫ ହଜାର କୋଟି ଉଠାଣ

ରାତି ୯ଟା ପରେ ଏଟିଏମ୍‌ରେ ଟଙ୍କା ଭର୍ତି ହେବନି

ନୂଆଦିଲ୍ଲୀ: ଲୋକମାନଙ୍କ ନଗଦ ଟଙ୍କା ମୋହ ଦୂର ହେଉନାହିଁ। ସେମାନେ ନଗଦ ଟଙ୍କା ଜରିଆରେ କାରବାର କରିବାକୁ ଅଧିକ ପସନ୍ଦ କରୁଥିବା ପୁଣି ଥରେ ପ୍ରମାଣିତ ହୋଇଛି। ବିମୁଦ୍ରାକରଣ ଘୋଷଣା ହେବା ପୂର୍ବରୁ ଲୋକମାନେ ଏଟିଏମ୍‌ରୁ ଯେତିକି ଟଙ୍କା ଉଠାଉଥିଲେ, ଏବେ ତା’ଠାରୁ ଯଥେଷ୍ଟ ଅଧିକ ଟଙ୍କା ଉଠାଉଛନ୍ତି। ଚଳିତ ବର୍ଷ ଏପ୍ରିଲ୍‌ ମାସରେ ଲୋକମାନେ ଏଟିଏମ୍‌ରୁ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ଉଠାଇଛନ୍ତି। ଗତବର୍ଷର ଏପ୍ରିଲ୍‌ ମାସ ଉଠାଣ ତୁଳନାରେ ଏହା ୨୨% ଅଧିକ। ୨୦୧୭ ଏପ୍ରିଲ୍‌ରେ ଲୋକମାନେ ଏଟିଏମ୍‌ରୁ ମୋଟ ୨ ଲକ୍ଷ ୧୬ ହଜାର କୋଟି ଟଙ୍କା ଉଠାଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଦେଶରେ ଥିବା ୬୬ଟି ବ୍ୟାଙ୍କର ଏଟିଏମ୍‌ରୁ ଲୋକମାନେ ଏପ୍ରିଲ୍‌ ମାସରେ ୭୬ କୋଟି ଥର ଟଙ୍କା ଉଠାଇଛନ୍ତି। ଦେଶରେ ଏଟିଏମ୍‌ରୁ ଟଙ୍କା ଉଠାଣ ପରିମାଣ ବଢ଼ିଥିବା ବେଳେ ପିଓଏସ୍‌ରେ ପେମେଣ୍ଟ୍‌, ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ବ୍ୟବହାର ମଧ୍ୟ ବଢ଼ିଛି। ଲୋକମାନେ ପିଓଏସ୍‌ରେ ଡେବିଟ୍‌ କାର୍ଡକୁ ୩୩ କୋଟି ଥର କାରବାର କରି ୪୫,୫୦୦ କୋଟି ଟଙ୍କାର ପେମେଣ୍ଟ୍‌ କରିଛନ୍ତି। ବର୍ଷକ ପୂର୍ବରୁ ସେମାନେ ଡେବିଟ୍‌ କାର୍ଡ ଜରିଆରେ ୩୮ ହଜାର କୋଟି ଟଙ୍କାର ପେମେଣ୍ଟ୍‌ କରିଥିଲେ ଓ କାରବାର ପରିମାଣ ମଧ୍ୟ ୨୨ କୋଟି ଥରରେ ସୀମିତ ଥିଲା। ୨୦୧୮ ଏପ୍ରିଲ୍‌ରେ ଲୋକମାନେ ପିଓଏସ୍‌ ମେସିନ୍‌ରେ କ୍ରେଡିଟ୍‌ କାର୍ଡକୁ ୧୩ କୋଟି ଥର ବ୍ୟବହାର କରି ୪୪,୮୩୪ କୋଟି ଟଙ୍କା ଖର୍ଚ କରିଛନ୍ତି। ୨୦୧୭ ଏପ୍ରିଲ୍‌ରେ ଲୋକମାନେ ୧୦ କୋଟି ଥର କ୍ରେଡିଟ୍‌ କାର୍ଡକୁ ପିଓଏସ୍‌ ମେସିନ୍‌ରେ ବ୍ୟବହାର କରିଥିଲେ ଓ ୩୩,୧୪୨ କୋଟି ଟଙ୍କାର ପେମେଣ୍ଟ୍‌ କରିଥିଲେ।

ଉଲ୍ଲେଖଯୋଗ୍ୟ, ଲୋକମାନେ ପାଖରେ ଏବେ ବିପୁଳ ପରିମାଣର ନଗଦ ଟଙ୍କା ରହିଛି। ସାରା ଦେଶରେ ପ୍ରଚଳନରେ ଥିବା ଟଙ୍କା ପରିମାଣ ୧୮.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ବିମୁଦ୍ରାକରଣ ପରେ ପ୍ରଚଳନରେ ଥିବା ମୁଦ୍ରା ପରିମାଣ ୭.୮ ଲକ୍ଷ କୋଟି ଟଙ୍କାକୁ ଖସିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe