୨୫ ସାମଗ୍ରୀ, ୪୫ ସେବାର ଜିଏସ୍‌ଟି କମିବ:ଗୁରୁବାର ଜିଏସ୍‌ଟି ପରିଷଦ ବୈଠକ

Advertisment
୨୫ ସାମଗ୍ରୀ, ୪୫ ସେବାର ଜିଏସ୍‌ଟି କମିବ:ଗୁରୁବାର ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ,: ଖୁବ୍‌ଶୀଘ୍ର ୭୦ରୁ ୮୦ଟି ସାମଗ୍ରୀ ଓ ସେବା ଉପରୁ ଜିଏସ୍‌ଟି ପରିମାଣ ହ୍ରାସ ପାଇବ। ଗୁରୁବାର ହେବାକୁ ଥିବା ଜିଏସ୍‌ଟି ପରିଷଦର ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବାର ସମ୍ଭାବନା ରହିଛି। ପଞ୍ଜୀକରଣ, ରିଟର୍ଣ୍ଣ ଫାଇଲ୍‌ କରିବା ଏବଂ ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ବ୍ୟବସ୍ଥାର ସରଳୀକରଣ ପାଇଁ ମଧ୍ୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ।
୨୫ରୁ ଅଧିକ ସାମଗ୍ରୀ ଏବଂ ୪୦-୪୫ଟି ସେବା ଉପରୁ ଜିଏସ୍‌ଟି ହାର ହ୍ରାସ କରାଯିବ ବୋଲି ଜିଏସ୍‌ଟି ଫିଟ୍‌ମେଣ୍ଟ୍‌ କମିଟିର ଜଣେ ସଦସ୍ୟ ସଙ୍କେତ ପ୍ରଦାନ କରିଛନ୍ତି।
ଜଳସେଚନ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ୫-୬ଟି ଉପକରଣ ଉପରୁ ଟିକସ ହ୍ରାସ କରାଯିବ। ସେଗୁଡ଼ିକ ଏବେ ୧୮% ସ୍ଲାବ୍‌ରେ ରହିଛି ଯାହାକୁ ୧୨% ପର୍ଯ୍ୟନ୍ତ ହ୍ରାସ କରାଯିବ। ସେହିପରି ବାୟୋ ଡିଜେଲ୍‌ ଏବଂ ଇଲେକ୍ଟ୍ରିକ୍‌ ବସ୍‌ ଉପରୁ ଟିକସ ପରିମାଣ ୨୮%ରୁ ହ୍ରାସ କରି ୧୮% କରାଯିବ।
ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍‌ କରିବାରେ ହେଉଥିବା ଅସୁବିଧାଗୁଡ଼ିକୁ ଦୂର କରିବା ପାଇଁ ଆଇନ ସମୀକ୍ଷା କମିଟି କେତେକ ପ୍ରସ୍ତାବ ଦେଇଛି। ଗୁରୁବାର ବୈଠକରେ ସେ ଉପରେ ଆଲୋଚନା କରାଯିବ। ଏହି ସବୁ ପ୍ରସ୍ତାବ ଲାଗୁ ହେଲେ ଜିଏସ୍‌ଟି ନିୟମ ପାଳନ କରିବାରେ ଯେଉଁ ସବୁ ଅସୁବିଧା ରହିଛି ତାହା ଦୂର ହୋଇଯିବ। ବିମାନ ଏବଂ ବ୍ୟାଙ୍କ ଭଳି ବଡ଼ ଧରଣର ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ସିଙ୍ଗଲ୍‌ ରେଜିଷ୍ଟ୍ରେସନ୍‌ (ଏକ ପଞ୍ଜୀକରଣ) ଲାଗୁ କରାଯାଇପାରେ। ଯେଉଁ ସଂସ୍ଥାଗୁଡ଼ିକର କାରବାର ପରିମାଣ ୫ କୋଟି ଟଙ୍କାରୁ ଅଧିକ ଏବଂ ୧୦ରୁ ଅଧିକ ରାଜ୍ୟରେ ସେମାନଙ୍କର କାରବାର ରହିଥିବ, ସେମାନେ ଏହା ଦ୍ୱାରା ଲାଭବାନ ହେବେ।
ସେହିପରି ଜିଏସ୍‌ଟିଆର୍‌ ୧, ୨ ଏବଂ ୩କୁ ମିଶାଇ ଗୋଟିଏ ଫର୍ମରେ ପରିଣତ କରାଯିବ। ଏବେ ପ୍ରତି ମାସରେ ବ୍ୟବସାୟୀମାନଙ୍କୁ ତିନି ପ୍ରକାର ରିଟର୍ଣ୍ଣ ଦାଖଲ କରିବାକୁ ପଡୁଛି। ଆଗାମୀ ଦିନରେ ସେମାନେ କେବଳ ଥରେ ରିଟର୍ଣ୍ଣ ଫାଇଲ୍‌ କରିବେ। ତେବେ ଏଥିପାଇଁ ବ୍ୟବସାୟୀମାନଙ୍କୁ ୬-୮ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। କାରଣ ସଫ୍ଟଓୟାର୍‌ରେ ଆବଶ୍ୟକ ପରିବର୍ତ୍ତନ ହେବା ପରେ ସେମାନେ ଏହି ସୁବିଧା ହାସଲ କରିପାରିବେ।
ଉଲ୍ଳେଖଯୋଗ୍ୟ, ନଭେମ୍ବର ମାସର ଜିଏସ୍‌ଟି ଆଦାୟ ନିରୁତ୍ସାହଜନକ ରହିଥିଲା। ଜିଏସ୍‌ଟି ଲାଗୁ ହୋଇଥିବା ଜୁଲାଇ ମାସରେ ୯୪,୦୬୩ କୋଟି ଟଙ୍କାର ଟିକସ ଆଦାୟ ହୋଇଥିବା ବେଳେ ନଭେମ୍ବର ମାସର ଆଦାୟ ପରିମାଣ ୮୦,୮୦୮ କୋଟି ଟଙ୍କାକୁ ହ୍ରାସ ପାଇଛି। ଇନ୍‌ପୁଟ୍‌ କ୍ରେଡିଟ୍‌ ଦାବିରେ ମଧ୍ୟ ସମସ୍ୟା ରହିଛି। ବ୍ୟବସାୟୀମାନେ ଯେଉଁ ସବୁ ଅସୁବିଧା ସାମ୍ନା କରୁଛନ୍ତି ତାହା ସରକାରଙ୍କୁ ଜଣାଇଛନ୍ତି। ଆଗାମୀ ଜିଏସ୍‌ଟି ପରିଷଦ ବୈଠକରେ ସେ ଉପରେ ଆଲୋଚନା ହେବ। ପ୍ରାକୃତିକ ଗ୍ୟାସ୍‌, ବିମାନ ଇନ୍ଧନ ଏବଂ ଜମିଜମା ବିକ୍ରିକୁ ଜିଏସ୍‌ଟି ଅଧୀନରେ ସାମିଲ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe