ତେଲ ଟିକସରେ ଭଣ୍ଡାର ଭର୍ତ୍ତି: ପେଟ୍ରୋଲ୍‌, ଡିଜେଲ୍‌ରୁ ବର୍ଷକରେ ୩.୩୫ ଲକ୍ଷ କୋଟି ଆୟ

Advertisment
ପେଟ୍ରୋଲ ପମ୍ପ ବନ୍ଦ କରିପାରିବେନି ଘରୋଇ କମ୍ପାନି, ‌ପେଟ୍ରୋଲିୟମ ମନ୍ତ୍ରାଳୟ ଲଗାଇଲା ଲଗାମ

GoNewsIndia

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷ‌ରେ ପେଟ୍ରୋଲ୍ ଓ ଡିଜେଲ୍‌ରୁ ୩.୩୫ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ କରିଛନ୍ତି। ଆଜି ଲୋକସଭାରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏହି ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କରେ ବୃଦ୍ଧି କରାଯିବା ପରେ ସରକାର ଏତେ ଅଧିକ ଟିକସ ଆୟ କରିଛନ୍ତି। ଗତବର୍ଷ ମହାମାରୀ ବ୍ୟାପିବା ସମୟରେ ତେଲ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇବା ଓ ତେଲ ଚାହିଦା କମ୍ ରହିବା ଯୋଗୁଁ ପେଟ୍ରୋଲ୍ ଉପରେ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କକୁ ଲିଟର ପିଛା ୧୯ ଟଙ୍କା ୯୮ ପଇସା ବୃଦ୍ଧି କରି ୩୨ ଟଙ୍କା ୯୦ ପଇସା କରାଯାଇଥିଲା। ସେହିପରି, ଡିଜେଲ୍‌ରେ ଉତ୍ପାଦନ ଶୁଳ୍କ ୧୫ ଟଙ୍କା ୮୩ ପଇସା ବଢ଼ାଇ ୩୧ ଟଙ୍କା ୮୦ ପଇସା କରାଯାଇଛି। ୨୦୨୦ ଏପ୍ରିଲ୍‌ରୁ ୨୦୨୧ ମାର୍ଚ୍ଚ ୩୧ ମଧ୍ୟରେ ସରକାର ତେଲରୁ ୩ ଲକ୍ଷ ୩୫ ହଜାର କୋଟି ଟଙ୍କା ସଂଗ୍ରହ କରିଛନ୍ତି। ୨୦୧୯-୨୦ରେ ତେଲରୁ ୧.୭୮ ଲକ୍ଷ କୋଟି ଟଙ୍କାର ଆୟ ହୋଇଥିଲା। ଏଥର ଟିକସ ସଂଗ୍ରହ ଆହୁରି ଅଧିକ ହେବାର ସମ୍ଭାବନା ଥିଲା। ମାତ୍ର ଲକ୍‌ଡାଉନ୍ ପ୍ରଭାବରେ ତୈଳ ବିକ୍ରି କମ୍ ରହିବା ଯୋଗୁଁ ଟିକସ ସଂଗ୍ରହ ହ୍ରାସ ପାଇଥିଲା। ୨୦୧୮-୧୯ରେ ତୈଳ ଉତ୍ପାଦନ ଶୁଳ୍କ ଭାବେ ୨.୧୩ ଲକ୍ଷ କୋଟି ଟଙ୍କା ଆୟ ହୋଇଥିଲା।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଚଳିତ ବର୍ଷ ଏପ୍ରିଲ୍‌ରୁ ଜୁନ୍ ମଧ୍ୟରେ ମୋଟ୍‌ ୧.୦୧ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ଶୁଳ୍କ ଆଦାୟ ହୋଇଛି। କେବଳ ପେଟ୍ରୋଲ୍ ଓ ଡିଜେଲ୍‌ରୁ ନୁହେଁ, ଏଟିଏଫ୍‌, ପ୍ରାକୃତିକ ଗ୍ୟାସ୍‌ ଓ ଅଶୋଧିତ ତୈଳରୁ ହୋଇଥିବା ଟିକସ ସଂଗ୍ରହକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ମୋଟ ଉପରେ ୨୦୨୦-୨୧ରେ ୩.୮୯ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ଶୁଳ୍କ ସଂଗ୍ରହ ହୋଇଛି। ୨୦୧୦ ଜୁନ୍ ୨୬ ପରଠାରୁ ପେଟ୍ରୋଲ୍ ଏବଂ ୨୦୧୪ ଅକ୍ଟୋବର ୧୯ ଠାରୁ ଡିଜେଲ୍ ମୂଲ୍ୟକୁ କଂପାନିଗୁଡ଼ିକ ନିଜେ ଧାର୍ଯ୍ୟ କରୁଛନ୍ତି। ସେଥିପାଇଁ ସରକାର ସେମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି। ଏବେ ପ୍ରତିଦିନ ତେଲ କଂପାନିଗୁଡ଼ିକ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ ସଂଶୋଧନ କରୁଛନ୍ତି। ସେଥିପାଇଁ ସେମାନେ ପୂର୍ବ ୧୫ ଦିନରେ ଅଶୋଧିତ ତୈଳର ହାରାହାରି ଦାମ୍ ଏବଂ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଉଛନ୍ତି। ୨୦୧୭ ଜୁନ୍ ୧୬ ପରଠାରୁ ତେଲ ଦରରେ ଦୈନିକ ସଂଶୋଧନ ପ୍ରକ୍ରିୟା ଆରମ୍ଭ ‌ହୋଇଥିଲା।

ଗତବର୍ଷ ମହାମାରୀ ବ୍ୟାପିବା ସମୟରେ ସରକାର ତେଲରେ ଟିକସ ବଢ଼ାଇଥିଲେ। ଏବେ ଅଶୋଧିତ ‌ତେଲ ଦାମ୍ ୭୫ ଡଲାର ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇବା ସତ୍ତ୍ବେ ସରକାର ଟିକସ କମ୍ କରୁନାହାନ୍ତି। ସେଥିପାଇଁ ଦେଶର ପ୍ରାୟ ସବୁ ସ୍ଥାନରେ ପେଟ୍ରୋଲ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଥିବା ବେଳେ ଓଡ଼ିଶା, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଡିଜେଲ୍ ଦାମ୍ ୧୦୦ ଟଙ୍କାରୁ ଅଧିକ ରହିଛି। ଶ୍ରୀ ଚୌଧୁରୀ ଏହି ଅବସରରେ ସୂଚନା ଦେଇଛନ୍ତି ଯେ ୨୦୨୧-୨୨ରେ ପେଟ୍ରୋଲ୍ ଦାମ୍‌ ୩୯ ଥର ଓ ଡିଜେଲ୍ ଦାମ୍ ୩୬ ଥର ବଢ଼ିଛି। ଏହି ସମୟରେ ପେଟ୍ରୋଲ୍ ଦାମ୍‌ ଥରେ ଏବଂ ଡିଜେଲ୍ ଦାମ୍ ଦୁଇ ଥର ହ୍ରାସ ପାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ପେଟ୍ରୋଲ୍ ଦାମ୍ ୭୬ ଥର ବଢ଼ିଥିବା ବେଳେ ୧୦ ଥର ହ୍ରାସ ପାଇଥିଲା। ସେହିପରି ଡିଜେଲ୍ ଦାମ୍ ୭୩ ଥର ବଢ଼ିଥିଲା ଓ ୨୪ ଥର ହ୍ରାସ ପାଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe