୩.୭୩ ଲକ୍ଷ କୋଟିର ଅତିରିକ୍ତ ଖର୍ଚ୍ଚ ଦାବି

ସଂସଦର ଅନୁମତି ଲୋଡ଼ିଲେ ସରକାର

୩.୭୩ ଲକ୍ଷ କୋଟିର ଅତିରିକ୍ତ ଖର୍ଚ୍ଚ ଦାବି

legalbites

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୩.୭୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିଛନ୍ତି। ସେଥିପାଇଁ ସଂସଦର ଅନୁମତି ଲୋଡ଼ିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟ‌ରେ ସଞ୍ଚୟ ଜରିଆରେ ସରକାର ୭୪,୫୧୬ କୋଟି ଟଙ୍କା ବାହାର କରିବାକୁ ଥିବା ବେଳେ ୨.୯୯ ଲକ୍ଷ କୋଟି ଟଙ୍କାର ନଗଦ ରାଶି ଯୋଗାଡ଼ କରିବେ।

ଆଜି ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଉପସ୍ଥାପନ କରିଥିବା ଅତିରିକ୍ତ ଖର୍ଚ୍ଚ ଦାବିରୁ ଜଣାପଡ଼ିଛି ଯେ ୫୮,୪୩୦ କୋଟି ଟଙ୍କା ସାର ସବ୍‌ସିଡି ପାଇଁ ଦିଆଯିବ। ଏହା ବାଦ ୨୦୦୦ କୋଟି ବାଣିଜ୍ୟ ମନ୍ତ୍ରଣାଳୟର ବିଭିନ୍ନ ସ୍କିମ୍ ପାଇଁ ଓ ୫୩ ହଜାର କୋଟି ଟଙ୍କା ରପ୍ତାନି ପ୍ରୋତ୍ସାହନ ସ୍କିମ୍ ଲାଗି ପ୍ରଦାନ କରାଯିବ। ଏୟାର ଇଣ୍ଡିଆର ଘରୋଇକରଣ ପରେ ଯେଉଁ ସବୁ ସମ୍ପତ୍ତି ରହିଯାଇଛି ତାହାର ଦେଖାଶୁଣା ଲାଗି ଗଠନ କରାଯାଇଥିବା କଂପାନିକୁ ୬୨ ହଜାର କୋଟି ଟଙ୍କା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ମଧ୍ୟ ଅତିରିକ୍ତ ବ୍ୟୟବରାଦର ଏକ ଅଂଶ। ଏହା ବ୍ୟତୀତ ୫୩,୧୨୩ କୋଟି ଟଙ୍କା ବକେୟା ଥିବା ରପ୍ତାନି ପ୍ରୋତ୍ସାହନ ବାବଦରେ ପ୍ରଦାନ କରାଯିବ ଏବଂ ୨୨,୦୩୯ କୋଟି ଟଙ୍କା ଗ୍ରାମୀଣ ବିକାଶ ମନ୍ତ୍ରଣାଳୟକୁ ଦିଆଯିବ। ସେହି ଟଙ୍କାକୁ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଗ୍ୟାରେଣ୍ଟି ଫଣ୍ଡକୁ ହସ୍ତାନ୍ତର କରାଯିବ।

publive-image

ପ୍ରାୟ ୬୨,୦୫୭ କୋଟି ଟଙ୍କା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଦିଆଯିବ। ସାର ସବ୍‌ସିଡି ପାଇଁ ଯେଉଁ ବ୍ୟୟବରାଦ ରହିଛି ସେଥିରୁ ଫସ୍‌ଫେଟ୍‌ ଓ ପଟାସ୍‌ ସାର ଲାଗି ୪୩,୪୩୦ କୋଟି ଟଙ୍କା ଓ ୟୁରିଆ ସାର ଲାଗି ୧୫ ହଜାର କୋଟି ଟଙ୍କା ଦିଆଯିବ। ଖାଦ୍ୟ ସଂରକ୍ଷଣ ଓ ଗୋଦାମ ଲାଗି ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗକୁ ୪୯,୮୦୫ କୋଟି ଟଙ୍କା ଦିଆଯିବ। ରପ୍ତାନି କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ସ୍କିମ୍ ଲାଗି ବାଣିଜ୍ୟ ବିଭାଗକୁ ୨୪୦୦ କୋଟି ଟଙ୍କା ଦିଆଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୫୦୦୦ କୋଟି ଟଙ୍କା ଓ ଗୃହ ମନ୍ତ୍ରଣାଳୟକୁ ୪୦୦୦ କୋଟି ଟଙ୍କା ପ୍ରଦାନ କରିବା ଯୋଜନା ରହିଛି।

ଚଳିତ ଆର୍ଥିକ ବର୍ଷ ବଜେଟ୍‌ରେ ମୋଟ ୩୪.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। କିନ୍ତୁ ଦୁଇ ଦୁଇ ଥର ସରକାର ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିଥିବାରୁ ଏହା ଠାରୁ ଏଥର ଅଧିକ ବ୍ୟୟ ହେବ ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ଅଗଷ୍ଟରେ ସରକାର ୨୩,୬୭୫ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe