ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କର ପୁନର୍ବିଚାର ପାଇଁ ଓଇଆର୍‌ସିରେ ୩ ରିଭ୍ୟୁ ପିଟିସନ

Advertisment
ଉପଭୋକ୍ତା ଆଶ୍ବସ୍ତ: ବଢ଼ିବନି ବିଜୁଳି ଦର, ବିଲ୍‌ ପଇଠରେ ବିଳମ୍ବ ହେଲେ ଜରିମାନା ନାହିଁ

New Indian Express

ଭୁ‌ବନେଶ୍ବର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯାଇଛି। ଏହାକୁ ବିଭିନ୍ନ ରାଜନୈତିକ ଦଳ ଏବଂ ବିଦ୍ୟୁତ୍ ଉପଭୋକ୍ତାମାନେ ବିରୋଧ କରିଆସୁଛନ୍ତି। ତେବେ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କର ସମୀକ୍ଷା କରିବା ପାଇଁ ୩ଟି ରିଭ୍ୟୁ ପିଟିସନ୍ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ନିକଟରେ ଗତମାସ ୨୬ ତାରିଖରେ ଆନନ୍ଦ ମହାପାତ୍ରଙ୍କ ପକ୍ଷରୁ ଦାଖଲ କରାଯାଇଛି। ବିଦ୍ୟୁତ ଯୋଗାଣର ହାରାହାରି ମୂଲ୍ୟ ନିର୍ଦ୍ଧାରଣ‌ରେ ବ୍ୟାପକ ତ୍ରୁଟି ଥିବା ଏଥିରେ ଦର୍ଶାଯାଇଛି। ୪ଟି ବିଦ୍ୟୁତ୍ ବଣ୍ଟନ କମ୍ପାନିଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ଖୁଚୁରା ଯୋଗାଣ ଶୁଳ୍କ ଆଦେଶ, ଗ୍ରିଡ୍‌କୋର ବହୂଳ ଯୋଗାଣ ଦର ଆଦେଶ ଏବଂ ଓପିଟିସିଏଲ୍‌ର ସଂଚାରଣ ଶୁଳ୍କ ଆଦେଶକୁ ବିରୋଧ କରି ତିନିଟି ରିଭ୍ୟୁ ପିଟିସନ କରାଯାଇଛି। ଓଇଆରସି ପକ୍ଷରୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ସଂକ୍ରାନ୍ତ ନିର୍ଦ୍ଦେଶନାମା ଗତ ମାର୍ଚ୍ଚ ୨୬ ତାରିଖରେ ଜାରି କରାଯିବା ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଓଇଆରସିର ନିର୍ଦ୍ଦେଶନାମାରେ ଖାଉଟିମାନଙ୍କ ପାଇଁ ଖୁଚୁରା ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା, ବହୁଳ ଯୋଗାଣ ମୂଲ୍ୟ ୟୁନିଟ୍ ପିଛା ୮ ପଇସା ଏବଂ ସଂଚାରଣ ଶୁଳ୍କ ୟୁନିଟ ପିଛା ୩ ପଇସା ବୃଦ୍ଧି କରାଯାଇଛି।

ଗତବର୍ଷ ସେପ୍ଟେମ୍ବରରେ ଖୁଚୁରା ବିଦ୍ୟୁତ୍ ଶୁଳ୍କ ୟୁନିଟ ପିଛା ୨୦ ପଇସା ବୃଦ୍ଧି ହୋଇଥିଲା। ଏହାର କିଛି ମାସ ପରେ ଦ୍ବିତୀୟ ଥର ପାଇଁ ଖୁଚୁରା ବିୁଦ୍ୟତ ଶୁଳ୍କ ୟୁନିଟ ପିଛା ୩୦ ପଇସା ବଢ଼ାଯାଇଛି। ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ହଙ୍ଗାମା ମଧ୍ୟ କରିଥିଲେ। ଏହା ଉପରେ ଶକ୍ତିମନ୍ତ୍ରୀ ଉତ୍ତର ରଖିଥିଲେ। ବର୍ଦ୍ଧିତ ବିଦ୍ୟୁତ ଶୁଳ୍କର ପୁନଃବିଚାର କରିବା ଲାଗି ସରକାର ଓଇଆରସି ନିକଟରେ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି କହିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ରିଭ୍ୟୁ ପିଟିସନ ଦାଖଲ କରାଯାଇ ନଥିବା ଜଣାଯାଇଛି। ଅନ୍ୟପକ୍ଷରେ ଭାରତ ବିକାଶ ପରିଷଦ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ତେବେ ଉକ୍ତ ମାମଲାରେ ଉପଯୁକ୍ତ ପ୍ରକ୍ରିୟା ଅବଲମ୍ବନ କରାଯାଇ ନାହିଁ ବୋଲି ଶୁଣାଣି ବେଳେ ହାଇକୋର୍ଟ କହିଥିଲେ। ଜନସ୍ବାର୍ଥ ମାମଲା ଦାଖଲ ପୂର୍ବରୁ ବିପକ୍ଷ ପାର୍ଟି ଓଇଆରସିକୁ ଏହି ମାମଲାର ସମାଧାନ ପାଇଁ ସୁଯୋଗ ଦିଆଯାଇ ନଥିବା କୋଟଁ ଦର୍ଶାଇଥିଲେ। ତେଣୁ ଗତମାସ ୨୦ ତାରିଖରେ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଦେିଇଥିଲେ।

ଶକ୍ତି କ୍ଷେତ୍ରର ସ୍ବାଧୀନ ବିଶ୍କେଷକ ଆନନ୍ଦ ମହାପାତ୍ରଙ୍କ ପକ୍ଷରୁ ଓଇଆରସିରେ ଦାଖଲ ହୋଇଥିବା ଏହି ପିଟିସନରେ ଆଦେଶରେ ରହିଥିବା ତ୍ରୁଟି ସଂପର୍କରେ ଉଲ୍ଲେଖ କରାଯାଇଛି। ଖୁଚୁରା ବିଦ୍ୟୁତ ଶୁଳ୍କ ଆଦେଶରେ ୧୦ଟି, ବହୁଳ ଯୋଗାଣ ଆଦେଶରେ ୫ଟି ଏବଂ ସଂଚାରଣ ଶୁଳ୍କ‌ ଆଦେଶରେ ୩ଟି ତ୍ରୁଟି ଥିବା ବିଷୟ କୁହାଯାଇଛି। ଆଦେଶରେ ହୋଇଥିବା ତ୍ରୁଟିକୁ ସଂଶୋଧନ କରାଯାଇ ନୂଆ ଆଦେଶ ଜାରି କରା ନଗଲେ ରାଜ୍ୟର ବିଦ୍ୟୁତ କ୍ଷେତ୍ରରେ ସୁଧାର ଆସିପାରିବ ନାହିଁ। ଏପରିକି ରିଭ୍ୟୁ ପିଟିସନର ବିଚାର ଶେଷ‌ ‌ନହେବା ପର୍ଯ୍ୟନ୍ତ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ସ୍ଥଗିତ ରଖିବା ପାଇଁ ସେ ଆବେଦନରେ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe