Image Courtesy of The News Minute
ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ଭାରତୀୟ ଅର୍ଥନୀତି ୩୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ୍ ପକ୍ଷରୁ ଆକଳନ କରାଯାଇଛି। ଭାରତର ଅଭିବୃଦ୍ଧି ୯ ପ୍ରତିଶତ ହ୍ରାସ ପାଇବ। ୧୯୫୦ ପରେ ଭାରତ ସବୁଠୁ ଖରାପ ସମୟ ଦେଇ ଗତି କରିବ। କିଛି ମାସ ପୂର୍ବରୁ କ୍ରିସିଲ୍ କହିଥିଲା ଯେ କରୋନା ମହାମାରୀ ପ୍ରଭାବରେ ଭାରତର ଅଭିବୃଦ୍ଧି ୫ ପ୍ରତିଶତ ହ୍ରାସ ପାଇବ। କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଅର୍ଥନୀତିର ଅବନତିକୁ ରୋକିବା ଲାଗି ସରକାର କୌଣସି ପ୍ରତ୍ୟକ୍ଷ ଆର୍ଥିକ ସହାୟତା ଦେଉନାହାନ୍ତି। ସେଥିପାଇଁ ନିଜର ଆକଳନ ବଦଳାଇବାକୁ ବାଧ୍ୟ ହୋଇଥିବା କ୍ରିସିଲ କହିଛି।
ଏହାର ରିପୋର୍ଟ 'ମାଇନସ୍ ନାଇନ୍ ନାଓ' (ଏବେ ବିଯୁକ୍ତ ନଅ)ରେ କୁହାଯାଇଛି ଯେ, ଆସନ୍ତା ଆର୍ଥିକ ବର୍ଷ (୨୦୨୧-୨୨)ରେ ଭାରତୀୟ ଅର୍ଥନୀତିରେ ଦ୍ରୁତ ସୁଧାର ହେବ ଓ ତାହା ୧୦ ପ୍ରତିଶତ ହାରରେ ଆଗକୁ ବଢ଼ିବ। କିନ୍ତୁ, ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ର ଦ୍ବିତୀୟ ଭାଗରେ ଅର୍ଥନୀତିରେ ୧୨ ପ୍ରତିଶତ ହ୍ରାସ ଘଟିବ ବେଲି ଏହା ଜଣାଇଛି। ୨୦୧୯-୨୦ରେ ଭାରତ ଯେଉଁଠାରେ ଥିଲା ସେହି ସ୍ଥିତିକୁ ଫେରିବା ଲାଗି ଅତିକମରେ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହା ପରେ ୨୦୨୫ ପର୍ଯ୍ୟନ୍ତ ଦେଶର ଅଭିବୃଦ୍ଧି ବାର୍ଷିକ ହାରାହାରି ୬.୨ ପ୍ରତିଶତ ରହିବ। ମହାମାରୀ ପୂର୍ବ ସମୟର ସ୍ଥିତିକୁ ଫେରିବାକୁ ହେଲେ ପରବର୍ତୀ ତିନି ବର୍ଷ ପର୍ଯ୍ୟନ୍ତ ଭାରତକୁ ୧୩ ପ୍ରତିଶତ ହାରର ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ ଯାହା କୌଣସି ଚମତ୍କାର ଠାରୁ କମ୍ ନୁହେଁ। ଭାରତ ଆଜି ପର୍ଯ୍ୟନ୍ତ ଏତେ ଉଚ୍ଚ ଅଭିବୃଦ୍ଧି ହାସଲ କରିନାହିଁ। ମୌସୁମୀ ବର୍ଷା ସ୍ବାଭାବିକ ରହିଥିବାରୁ କେବଳ କୃଷି କ୍ଷେତ୍ରରେ ୨.୫ ପ୍ରତିଶତର ଯୁକ୍ତାତ୍ମକ ଅଭିବୃଦ୍ଧି ଦେଖାଦେବ। ଏହାକୁ ବାଦ ଦେଲେ ଅନ୍ୟ ସବୁ କ୍ଷେତ୍ରର ଅଭିବୃଦ୍ଧି କମିବ। ଟ୍ରାକ୍ଟର ଓ ଦୁଇ ଚକିଆ ଗାଡ଼ି ବିକ୍ରିରେ ବୃଦ୍ଧି ହେଉଥିବାରୁ ଗ୍ରାମାଞ୍ଚଳର ସ୍ଥିତିରେ ଦ୍ରୁତ ସୁଧାର ହେଉଛି ବୋଲି ଏହା କହିଛି।
ସରକାରୀ ବ୍ୟୟ ବଢ଼ିବା ବଦଳରେ କମୁଛି
ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ଅର୍ଥନୀତିରେ ବଡ଼ ଧରଣର ହ୍ରାସ ହେବା ପ୍ରାୟ ନିଶ୍ଚିତ। ଅର୍ଥନୀତିଜ୍ଞମାନେ ବାରମ୍ବାର ଏଭଳି ଆକଳନ କରୁଛନ୍ତି। ଏହି ହ୍ରାସକୁ ରୋକିବା ଲାଗି ଏବେ ସରକାରୀ ବ୍ୟୟ ବଢ଼ାଇବା ଜରୁରୀ ହୋଇପଡ଼ିଥିବା ବେଳେ ବିଡ଼ମ୍ବନାର ବିଷୟ ହେଉଛି ସରକାରଙ୍କ ବ୍ୟୟ ହ୍ରାସ ପାଇବାରେ ଲାଗିଛି।। ଚଳିତ ବର୍ଷ ଏପ୍ରିଲ୍-ଜୁଲାଇରେ ସରକାର ୧୦.୫ ଲକ୍ଷ କୋଟି ଟଙ୍କା ବ୍ୟୟ କରିଛନ୍ତି। ଏହି ସମୟରେ ମାତ୍ର ୧.୧ ଲକ୍ଷ କୋଟି ଟଙ୍କାର ପୁ୍ଞ୍ଜି ବ୍ୟୟ ହୋଇଛି। ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ପୁଞ୍ଜି ବ୍ୟୟ ବଢ଼ାଇବା ଜରୁରୀ। ମହାମାରୀ ବ୍ୟାପିବା ପରଠାରୁ ସରକାରୀ ବ୍ୟୟ ଅସ୍ଥିର ରହିଛି। ଏପ୍ରିଲ୍-ମେ'ରେ ବ୍ୟୟ ୨୦.୭ ପ୍ରତିଶତ ବଢ଼ିଥିଲା। ଜୁନ୍ରେ ସରକାରୀ ବ୍ୟୟରେ ୪୫.୭ ପ୍ରତିଶତ ଭଳି ବଡ଼ ଧରଣର ବୃଦ୍ଧି ହୋଇଥିଲା। ଜୁଲାଇରେ ତାହା ୫.୬ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ମହାମାରୀ ପ୍ରଭାବରୁ ମୁକୁଳିବା ଲାଗି ପ୍ରୟାସ କରୁଥିବା ଭାରତ ପାଇଁ ବ୍ୟୟରେ ଏଭଳି ଅସ୍ଥିରତା ଆଦୌଁ ଭଲ ନୁହେଁ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି।
Follow Us