DNA India
ନୂଆଦିଲ୍ଲୀ: ସ୍ବିସ୍ ବ୍ୟାଙ୍କଗୁଡ଼ିକରେ ଭାରତୀୟଙ୍କ ଜମା ରାଶି କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ବୃଦ୍ଧି ପାଇ ୩୦ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ହୋଇଛି। ଗତ ୧୪ ବର୍ଷ ଭିତରେ ଭାରତୀୟଙ୍କ ଜମା ରାଶି ସର୍ବାଧିକ ସ୍ତରରେ ପହଞ୍ଚିଛି। ୨୦୨୦ ତୁଳନାରେ ୨୦୨୧ରେ ଜମାରାଶିରେ ୫୦% ବୃଦ୍ଧି ହୋଇଛି। ୨୦୨୦ରେ ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ୨୦,୭୦୦ କୋଟି ଟଙ୍କା ଥିଲା। ଜମାରେ ସଞ୍ଚୟ ଖାତା, ପ୍ରତିଭୂତି ଓ ଅନ୍ୟାନ୍ୟ ନିବେଶକୁ ବିଚାରକୁ ନିଆଯାଇଛି।
୨୦୦୬ରେ ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ସର୍ବୋଚ୍ଚ ସ୍ତରରେ ଥିଲା। ଏହା ପରେ ୨୦୧୧, ୨୦୧୩, ୨୦୧୭, ୨୦୨୦ ଓ ୨୦୨୧କୁ ବାଦ ଦେଲେ ଅନ୍ୟ ସବୁ ବର୍ଷ ଜମା ରାଶି ହ୍ରାସ ପାଇଥିଲା। ୨୦୧୯ରେ ସବୁ ବର୍ଗରେ ଜମା ରାଶି ହ୍ରାସ ପାଇଥିବା ବେଳେ ୨୦୨୧ରେ ସବୁ ବର୍ଗରେ ଜମା ବଢ଼ିଛି ବୋଲି ସ୍ବିଜରଲ୍ୟାଣ୍ଡ୍ର କେନ୍ଦ୍ରୀୟ ବ୍ୟାଙ୍କ ସ୍ବିସ୍ ନ୍ୟାସନାଲ୍ ବ୍ୟାଙ୍କ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ସ୍ବିସ୍ ବ୍ୟାଙ୍କରେ ସର୍ବାଧିକ ଜମା ରଖିଥିବା ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ରହିଛନ୍ତି ବ୍ରିଟେନ୍, ଆମେରିକା, ୱେଷ୍ଟ ଇଣ୍ଡିଜ, ଜର୍ମାନି, ଫ୍ରାନ୍ସ, ସିଙ୍ଗାପୁର, ହଂକଂ, ଲକ୍ସେମ୍ବର୍ଗ, ବାହାମାସ, ନେଦରଲ୍ୟାଣ୍ଡ୍, କେମ୍ୟାନ୍ ଦ୍ବୀପ ଓ ସାଇପ୍ରସ୍ ରହିଛି। ଭାରତ ଏହି ତାଲିକାରେ ୪୪ତମ ସ୍ଥାନରେ ରହିଛି। ଏହି ତାଲିକାରେ ଚୀନ୍ ୨୪ତମ ଓ ରୁଷ୍ ୧୫ତମ ସ୍ଥାନରେ ରହିଛନ୍ତି। ପୋଲାଣ୍ଡ, ଦକ୍ଷିଣ କୋରିଆ, ସ୍ବିଡେନ, ବାହାରିନ୍, ଓମାନ, ନ୍ୟୁଜିଲ୍ୟାଣ୍ଡ୍, ନରୱେ, ମରିସସ୍, ବାଲାଂଦେଶ, ପାକିସ୍ତାନ, ହଙ୍ଗେରି ଓ ଫିନ୍ଲ୍ୟାଣ୍ଡ୍ବାସୀଙ୍କ ତୁଳନାରେ ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ଅଧିକ ଜମା ରାଶି ରହିଛି। ଭାରତରେ ସ୍ବିସ୍ ବ୍ୟାଙ୍କରେ ଜମା ଏକ ରାଜନୈତିକ ପ୍ରସଙ୍ଗ। ସ୍ବିସ୍ ବ୍ୟାଙ୍କରେ ବିପୁଳ ପରିମାଣର କଳାଧନ ଜମା ହୋଇଥିବା ନେଇ ଅଭିଯୋଗ ହେଉଛି। ବ୍ୟାଙ୍କ ଗ୍ରାହକଙ୍କ ତଥ୍ୟକୁ ଗୋପନ ରଖିବା ଲାଗି ସ୍ବିଜରଲ୍ୟାଣ୍ଡ୍ର ନୀତି ଟିକସ ଠକେଇ, ଜାଲିଆତି ଓ ଆର୍ଥିକ ହେରଫେର କରୁଥିବା ଲୋକମାନଙ୍କୁ ସୁହାଉଥିବା ମଧ୍ୟ ଅଭିଯୋଗ ହେଉଛି। ଏହି ଅପବାଦରୁ ମୁକ୍ତି ପାଇବା ଲାଗି ସ୍ବିଜରଲ୍ୟାଣ୍ଡ୍ ସରକାର ବିଭିନ୍ନ ଦେଶର ସହିତ ସ୍ବୟଂକ୍ରିୟ ବ୍ୟାଙ୍କ ତଥ୍ୟ ଆଦାନପ୍ରଦାନ ନେଇ ବୁଝାମଣା ସ୍ବାକ୍ଷର କରିଛନ୍ତି। ଭାରତ ସହିତ ମଧ୍ୟ ଏଭଳି ବୁଝାମଣା ହୋଇଛି। କିଛି ବର୍ଷ ହେଲାଣି ଭାରତକୁ ଏହି ତଥ୍ୟ ଆପେ ମିଳୁଛି।
Follow Us