ଭାରତ ଛାଡ଼ିବେ ୪୩୦୦ ଧନୀ: ଅଧିକାଂଶ ଯିବେ ୟୁଏଇ

Advertisment
ଭାରତ ଛାଡ଼ିବେ ୪୩୦୦ ଧନୀ: ଅଧିକାଂଶ ଯିବେ ୟୁଏଇ

ନୂଆଦିଲ୍ଲୀ: ଚଳିତ ବର୍ଷ ୪୩୦୦ ଧନୀ ଲୋକ ଭାରତ ଛାଡ଼ିବେ ବୋଲି ହେଲ୍‌ନି ପ୍ରାଇଭେଟ୍ ୱେଲ୍‌ଥ ମାଇଗ୍ରେସନ୍ ରିପୋର୍ଟ ୨୦୨୪ରେ ଆକଳନ କରାଯାଇଛି। ୨୦୨୩ରେ ଏହାଠାରୁ ଅଧିକ ୫୧୦୦ ଧନୀ ଲୋକ ଦେଶ ଛାଡ଼ିଥିଲେ। ଭାରତ ହେଉଛି ବିଶ୍ବର ଅନ୍ୟତମ ପ୍ରମୁଖ ଦେଶ ଯେଉଁଠାରୁ ବହୁ ସଂଖ୍ୟାରେ ଧନୀ ‌ଲୋକ ପ୍ରତିବର୍ଷ ବିଦେଶରେ ବସବାସ କରିବା ଲାଗି ପଳାୟନ କରୁଛନ୍ତି। ଭୂରାଜନୈତିକ ସଙ୍କଟ, ଅର୍ଥନୈତିକ ଅନିଶ୍ଚିତତା ଓ ସାମାଜିକ କାରଣ ଲାଗି ଧନୀ ଲୋକମାନେ ଦେଶ ଛାଡ଼ୁଥିବା ରିପୋର୍ଟରେ କୁହାଯାଇଛି। ଭାରତରୁ ଯାଉଥିବା ଅଧିକାଂଶ ଧନୀ ଲୋକ ବସବାସ କରିବା ଲାଗି ୟୁନାଇଟେଡ୍ ଆରବ ଏମିରେଟ୍‌ସ (ୟୁଏଇ)କୁ ପସନ୍ଦର ସ୍ଥାନ ଭା‌ବେ ଚୟନ କରୁଛନ୍ତି। ଶୂନ ଆୟକର ନୀତି, ଗୋଲ୍‌ଡେନ୍ ଭିସା, ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଲୋକମାନେ ସେହି ଦେଶରେ ରହିବାକୁ ପସନ୍ଦ କରୁଛନ୍ତି। ଚଳିତ ବର୍ଷ ୟୁଏଇ ସାର‌ା ବିଶ୍ବରୁ ୬୭୦୦ ଧନୀ ଲୋକଙ୍କୁ ଆକର୍ଷିତ କରିବ ବୋଲି ଆକଳନ କରାଯାଇଛି। ଭାରତୀୟମାନେ ପର୍ତୁଗାଲ, ଗ୍ରିସ, ସ୍ପେନ୍, ମାଲ୍‌ଟା, ଆଣ୍ଟିଗୁଆ ଓ ବରବୁଦା ଆଦିର ଭିସା ଓ ବସବାସ କାର୍ଯ୍ୟକ୍ରମକୁ ମଧ୍ୟ ପସନ୍ଦ କରୁଛନ୍ତି।

ହେନ୍‌ଲି ରିପୋର୍ଟ ଅନୁସାରେ ଚଳିତ ବର୍ଷ ସାରା ବିଶ୍ବରେ ୧,୨୮,୦୦୦ ଧନୀ ଲୋକ ନିଜ ଦେଶ ଛାଡ଼ି ବସବାସ ଲାଗି ଅନ୍ୟତ୍ର ଯିବେ। ୨୦୨୩ରେ ୧,୨୦,୦୦୦ ଧନୀ ଲୋକ ଦେଶ ଛାଡ଼ିଥିଲେ। ଚଳିତ ବର୍ଷ ଭାରତ ସମେତ ଚୀନ୍, ବ୍ରିଟେନ୍, ଦକ୍ଷିଣ କୋରିଆ, ବ୍ରାଜିଲ୍, ଦକ୍ଷିଣ ଆଫ୍ରିକା, ତାଇୱାନ୍, ଭିଏତ୍‌ନାମ ଓ ନାଇଜେରିଆ ନିଜର ଦେଶର ବହୁ ଧନୀଙ୍କୁ ହରାଇବେ ବୋଳି ଆକଳନ କରାଯାଇଛି। ନିଜ ଦେଶ ଛାଡ଼ୁଥିବା ଧନୀ ଲୋକମାନେ ଆମେରିକା, ସିଙ୍ଗାପୁର, କାନାଡା ଓ ଅଷ୍ଟ୍ରେଲିଆକୁ ନିଜର ନୂଆ ବାସସ୍ଥାନ ଭାବେ ଚୟନ କରୁଛନ୍ତି। ଭାରତୀୟ ଧନୀମାନେ ଦେଶ ଛାଡ଼ିବାର ପ୍ରମୁଖ କାରଣଗୁଡ଼ିକ ହେଉଛି ଉତ୍ତମ ଜୀବନଶୈଳୀ ସୁବିଧା, ସୁରକ୍ଷିତ ପରିବେଶ ଏବଂ ପ୍ରିମିୟମ ମାନର ସ୍ବାସ୍ଥ୍ୟ ଓ ଶିକ୍ଷା ସୁବିଧା। ଅର୍ଥନୈତିକ ଓ ରାଜନୈତିକ ଘଟଣା ମଧ୍ୟ ଅନ୍ୟତମ କାରଣ ବୋଲି କୁହାଯାଉଛି। ଧନୀମାନଙ୍କୁ ହରାଇବା ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe