କରୋନା ନିୟନ୍ତ୍ରଣକୁ ଆସିଲେ ବିମାନ କଟକଣା ହଟିବ

Advertisment
କରୋନା ନିୟନ୍ତ୍ରଣକୁ ଆସିଲେ ବିମାନ କଟକଣା ହଟିବ

(Photo Credits: ANI)

ନୂଆଦିଲ୍ଲୀ: ବିମାନର ସ୍ଥାନୀୟ ଓ ଆନ୍ତର୍ଜାତିକ ଉଡ଼ାଣ ଉପରେ ଲଗାଯାଇଥିବା କଟକଣାକୁ ସରକାର ତରବରିଆ ଭାବେ ହଟାଇବାକୁ ଚାହୁନାହାନ୍ତି। କରୋନା ନିୟନ୍ତ୍ରଣ ମଧ୍ୟକୁ ଆସିବା ପରେ କଟକଣା ହଟିବ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି। କରୋନା ମୁକାବିଲା ଲାଗି ଦେଶରେ ଲକ୍‌ଡାଉନ୍ ଅବଧିକୁ ମେ' ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆ ସମେତ ଅନ୍ୟ ପ୍ରମୁଖ ଘରୋଇ ବିମାନ କଂପାନିଗୁଡ଼ିକୁ ମେ' ୪ ଠାରୁ ବୁକିଙ୍ଗ୍‌ ଆରମ୍ଭ କରି‌ଥିଲେ। ଏହା ଜଣାପଡ଼ିବା ପରେ ବୁକିଙ୍ଗ୍‌ ଗ୍ରହଣ ନକରିବାକୁ କଂପାନିଗୁଡ଼ିକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ପରାମର୍ଶ ଦେଇଛନ୍ତି। ତେବେ ତାଙ୍କର ଏହି ମନ୍ତବ୍ୟ ପରେ ବିମାନ ଟିକଟ ବୁକିଙ୍ଗ୍‌ କେବେ ଆରମ୍ଭ ହେବ ତାହାକ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ବୋଧହୁଏ ତାହାକୁ ଦୂର କରିବା ଲାଗି ଆଜି ଶ୍ରୀ ପୁରୀ ପୁଣି ଥରେ କହିଛନ୍ତି ଯେ, କରୋନା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବା ପରେ ଟିକଟ ବୁକିଙ୍ଗ୍‌ରେ ଲଗାଯାଇଥିବା କଟକଣା ହଟାଇ ନିଆଯିବ।

ବୁକିଙ୍ଗ୍‌ ଗ୍ରହଣ ନକରିବା ଲାଗି ସେ ରବିବାର ବିମାନ କଂପାନିଗୁଡ଼ିକୁ ପରାମର୍ଶ ଦେଇଥିଲେ। ଏକ ଟୁଇଟ୍‌ କରି ସେ ଲେଖିଛନ୍ତି ଯେ, ମୁଁ ପୁଣି ଥରେ ଜଣାଇବାକୁ ଚାହୁଛି ଯେ କୋଭିଡ୍‌-୧୯କୁ ନେଇ ସୃଷ୍ଟି ହୋଇଥିବା ସ୍ଥିତି ଲାଗି ବିମାନ ଉପରେ କଟକଣା ଲଗାଯାଇଛି। ଏହି ଭୂତାଣୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଗଲା ବୋଲି ଯେବେ ବିଶ୍ବାସ ସୃଷ୍ଟି ହେବ ଏବଂ ଭାରତୀୟଙ୍କ ପ୍ରତି ତାହା ଆଉ ବିପଦ ନୁହେଁ ବୋଲି ଜଣାପଡ଼ିବ ସେବେ ଏହି କଟକଣାକୁ ହଟାଇ ନିଆଯିବ। କେତେକ କଂପାନି ସରକାରଙ୍କ କଥାକୁ ଅଣଦେଖା କରି ଟିକଟ ବୁକିଙ୍ଗ କରିବା ସହ ଯାତ୍ରୀଙ୍କ ଠାରୁ ଟଙ୍କା ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟରୁ ନିବୃତ୍ତ ରହିବା ଲାଗି ବିମାନ କଂପାନିଗୁଡ଼ିକ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ନିର୍ଦେଶାବଳୀ ଜାରି କରାଯାଇଛି।

ସରକାରଙ୍କ ଦିଶାନିର୍ଦେଶ ଜାରି ହେବା ପରେ ଏୟାର ଇଣ୍ଡିଆ ବୁକିଙ୍ଗ୍‌ ଗ୍ରହଣ କରିବା ବନ୍ଦ କରିଦେଇଥିଲା। କିନ୍ତୁ ଘରୋଇ ବିମାନ କଂପାନିଗୁଡ଼ିକ ସେହି ଦିଶାନିର୍ଦେଶକୁ ଅଣଦେଖା କରି ବୁକିଙ୍ଗ୍‌ ଗ୍ରହଣ କରୁଥିଲେ। ତେଣୁ ବାଧ୍ୟ ହୋଇ ସରକାରଙ୍କୁ ନିର୍ଦେଶାବଳୀ ଜାରି କରିବାକୁ ପଡ଼ିଛି। ବିମାନ ଚଳାଚଳ ସ୍ବାଭାବିକ କରିବା ଲାଗି କଂପାନିଗୁଡ଼ିକୁ ଯଥେଷ୍ଟ ସମୟ ପୂର୍ବରୁ ସୂଚନା ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଲକ୍‌ଡାଉନ୍ ଘୋଷଣା ହେବା ପରେ ସମସ୍ତ ଯାତ୍ରୀବାହୀ ବିମାନ ଉଡ଼ାଣ ରଦ୍ଦ କରାଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ଅନୁମତିରେ କେବଳ ମାଲ ପରିବହନକାରୀ ଏବଂ କିଛି ସ୍ବତନ୍ତ୍ର ବିମାନ ଆକାଶରେ ଉଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe