ନଭେମ୍ବରରୁ ୫୦୦ ଟ୍ରେନ୍‌ର ଗତି ବଢ଼ିବ

ନଭେମ୍ବରରୁ ୫୦୦ ଟ୍ରେନ୍‌ର ଗତି ବଢ଼ିବ

ନୂଆଦିଲ୍ଲୀ: ଦେଶର ୫୦୦ଟି ଦୂରଗାମୀ ଟ୍ରେନ୍‌ର ଗତି ଆସନ୍ତା ମାସଠାରୁ ବୃଦ୍ଧି ପାଇବ। ଏହା ଦ୍ୱାରା ଯାତାୟାତ ସମୟ ମଧ୍ୟ ହ୍ରାସ ପାଇବ।
ରେଳବାଇ ପକ୍ଷରୁ ‘ଅଭିନବ ଟାଇମ୍‌ଟେବୁଲ୍‌’ର ପ୍ରଚଳନ ମଧ୍ୟ କରାଯିବ। ନଭେମ୍ବରର ଟାଇମ୍‌ ଟେବୁଲ୍‌ (ସମୟ ସାରଣୀ)ରେ ଦୂରଗାମୀ ଟ୍ରେନ୍‌ଗୁଡ଼ିକର ନୂତନ ସମୟ ପ୍ରକାଶ ପାଇବ। ଟ୍ରେନ୍‌ଗୁଡ଼ିକର ଗତିକୁ ବଢ଼ାଇ ଯାତାୟାତ ସମୟରେ ରେଳବାଇ ପକ୍ଷରୁ ୧୫ ମିନିଟ୍‌ରୁ ଆରମ୍ଭ କରି ୨ ଘଣ୍ଟା ପର୍ଯ୍ୟନ୍ତ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ନୂତନ ସମୟ ସାରଣୀରେ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତି ରେଳ ଡିଭିଜନ୍‌୍‌କୁ ଦୁଇରୁ ଚାରି ଘଣ୍ଟାର ସମୟ ପ୍ରଦାନ କରାଯିବ। ଅଭିନବ ସମୟ ସାରଣୀ ପ୍ରଚଳନ କରିବା ପାଇଁ ଗତ ମାସରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ରେଳବାଇକୁ ନିର୍ଦେଶ ଦେଇଥିଲେ। ରେଳବାଇ ପକ୍ଷରୁ ଏକ୍ସପ୍ରେସ୍‌ ଏବଂ ମେଲ୍‌ ଟ୍ରେନ୍‌ଗୁଡ଼ିକର ଗତିକୁ ବଢ଼ାଇ ସେଗୁଡ଼ିକୁ ସୁପର-ଫାଷ୍ଟ୍‍ ଟ୍ରେନ୍‌ ଭାବେ ବିକଶିତ କରାଯାଇଛି। ନୂଆ ବ୍ୟବସ୍ଥାରେ ଭୋପାଳ-ଯୋଧପୁର ଏକ୍ସପ୍ରେସ୍‌ ୯୫ ମିନିଟ୍‌ ଆଗୁଆ ପହଞ୍ଚିବ। ସେହିପରି ଗୌହ୍ଵାଟି-ଇନ୍ଦୋର ସ୍ପେସିଆଲ୍‌ ଟ୍ରେନ୍‌ ୨୩୩୦ କିମି ଯାତ୍ରାକୁ ୧୧୫ ମିନିଟ୍‌ ଆଗୁଆ ଶେଷ କରିବ।
ରେଳବାଇ ପକ୍ଷରୁ ଷ୍ଟେସନରେ ରହଣୀ ସମୟକୁ କମ୍‌ କରାଯାଇଛି। ଯେଉଁ ଷ୍ଟେସନ୍‌ଗୁଡ଼ିକରେ ଯାତ୍ରୀ ସଂଖ୍ୟା କମ୍‌ ସେଠାରେ ଟ୍ରେନ୍‌ ରହିବ ନାହିଁ।

ଟ୍ରେନ୍‌ର ଗତି ବଢ଼ାଇବା ପାଇଁ ରେଳବାଇ ନିଜର ଭିତ୍ତଭୂମିରେ ଉନ୍ନତି ଆଣିଛି। ସ୍ୱୟଂକ୍ରିୟ ସିଗ୍‌ନାଲ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହା ବ୍ୟତୀତ ନୂତନ ଲିଙ୍କେ-ହଫ୍‌୍‌ମ୍ୟାନ୍‌-ବଶ୍‌ କୋଚ୍‌ ବ୍ୟବହାର କରାଯାଉଛି ଯାହା ଟ୍ରେନ୍‌ର ଗତିକୁ ଘଣ୍ଟା ପିଛା ସର୍ବାଧିକ ୧୩୦ କିମି ପର୍ଯ୍ୟନ୍ତ ପହଞ୍ଚାଇପାରିବ। ଟ୍ରେନ୍‌ ଗତି ଉପରେ ଲଗାଯାଇଥିବା ସ୍ଥାୟୀ କଟକଣା ବ୍ୟବସ୍ଥାକୁ ମଧ୍ୟ ରେଳବାଇ ସମୀକ୍ଷା କରିବାକୁ ଯୋଜନା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe