୫ରୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା: ଭୁବନେଶ୍ବର, କଟକ ସାମିଲ, ଜିଓ, ଏୟାରଟେଲ ସେବା ଯୋଗାଇବେ

Advertisment
୫ରୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା: ଭୁବନେଶ୍ବର, କଟକ ସାମିଲ, ଜିଓ, ଏୟାରଟେଲ ସେବା ଯୋଗାଇବେ

ଭୁବନେଶ୍ବର: ଦୀର୍ଘଦିନର ପ୍ରତୀକ୍ଷା ପରେ ଓଡ଼ିଶାବାସୀ ଶୀଘ୍ର ୫ଜି ଟେଲିକମ୍ ସେବା ପାଇବେ। ଭୁବନେଶ୍ବର ଏବଂ କଟକ ସମେତ ଅନ୍ୟ କେତେକ ସ୍ଥାନରେ ଏହି ସେବା ଆସନ୍ତା ୫ ତାରିଖରୁ ଆରମ୍ଭ ହେବ। ଏହି ଦିନ ଦୁଇଟି ଘରୋଇ ଟେଲିକମ କମ୍ପାନି ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପକ୍ଷରୁ ରାଜ୍ୟରେ ଗ୍ରାହକଙ୍କୁ ୫ଜି ସେବା ପ୍ରଦାନ ଆରମ୍ଭ ହେବ। ଭୁବନେଶ୍ବରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିସରରେ ଏନେଇ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଉକ୍ତ ସେବାର ଲୋକାର୍ପଣ କରିବେ ବୋଲି ଜଣାଯାଇଛି।

ଏଥିସହିତ ଟେଲିକମ୍ ବିଭାଗ (ଡଟ୍‌) ପକ୍ଷରୁ ଆଜି ସନ୍ଧ୍ୟାରେ ଓଡ଼ିଶାରେ ୫ଜି ସେବା ଆରମ୍ଭ ନେଇ ଏକ ଟ୍ବିଟ୍ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରେ ୫ଜି ସେବା ସହିତ ରାଜ୍ୟର ଗ୍ରାମାଞ୍ଚଳରେ ୧୦୦ ଟେଲିକମ୍ ଟାୱାରର ଉଦ୍‌ଘାଟନ କରିବେ ବୋଲି ସୂଚନା ଦିଆଯାଇଛି। ଏଥିସହିତ ପ୍ରଯୁକ୍ତି କମ୍ପାନି, ଷ୍ଟାର୍ଟଅପ୍‌ ସଂସ୍ଥା, ସିଡଟ୍‌ ଏବଂ ଟେଲିକମ୍ ସେବା ପ୍ରଦାନକାରୀଙ୍କ ପକ୍ଷରୁ ଦୁଇ ଦିନିଆ ଡିଜିଟାଲ ଯୋଗାଯୋଗ ପ୍ରଦର୍ଶନୀ ଆରମ୍ଭ ହେବ। ଟେଲିକମ୍ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ୫ଜି ସେବା ପାଇଁ ଜାନୁଆରି ୨ ତାରିଖ ସୁଦ୍ଧା ୫୦୧ଟି ବିଟିଏସ୍‌ ପ୍ରସ୍ତୁତ ହୋଇସାରିଛି।

ଉଲ୍ଲେଖଯୋଗ୍ୟ ୨୦୨୩ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ପୂର୍ବରୁ ସୂଚନା ଦେଇଥିଲେ। ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ୫ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା। ଏଥିରେ ଦେଶର ୧୨ଟି ସହର ସହିତ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ସାମିଲ ଥିଲା। ୫ଜି ସେବା ଆରମ୍ଭ ହେଲେ ଟେଲିକମ୍ ଏବଂ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ। ଏହାଦ୍ବାରା ଅର୍ଥନୀତି ସୁଦୃଢ଼ ହେବ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe