ଭୁବନେଶ୍ବର: ଓଡ଼ିଶାରେ ୫ଜି ମୋବାଇଲ ସେବାକୁ ୩ ବର୍ଷ ପୂରିଛି। ୨୦୨୩ ଜାନୁଆରି ୫ ତାରିଖରେ ଏହା ଆରମ୍ଭ ହୋଇଥିଲା। ତତ୍କାଳୀନ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରଠାରେ ଏହି ସେବାର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବର ଓ କଟକ ସହରରେ ଏହି ସେବା ଉପଲବ୍ଧ କରାଯାଇଥିଲା। ୨ ବର୍ଷ ମଧ୍ୟରେ ସାରା ରାଜ୍ୟରେ ୫ଜି ସେବା ପହଞ୍ଚିବ ବୋଲି ମନ୍ତ୍ରୀ ‌ସେବା ଆରମ୍ଭ ଅବସରରେ ଘୋଷଣା କରିଥିଲେ। ମନ୍ତ୍ରୀଙ୍କ ଘୋଷଣାକୁ ଇତିମଧ୍ୟରେ ୩ ବର୍ଷ ପୂରଣ ହୋଇଥିଲେ ବି ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଅଞ୍ଚଳରେ ଏହା ପହଞ୍ଚି ପାରିନାହିଁ। ବିଶେଷଜ୍ଞଙ୍କ କହିବାନୁଯାୟୀ ଭୌଗୋଳିକ ଦୃଷ୍ଟିରୁ ପ୍ରାୟ ୬୦ ପ୍ରତିଶତ ଅଞ୍ଚଳରେ ୫ଜି ସେବା ପହଞ୍ଚି ପାରିଛି। ଲୋକସଂଖ୍ୟା ଦୃଷ୍ଟିରୁ ରାଜ୍ୟର ପ୍ରାୟ ୭୦ରୁ ୭୫ ପ୍ରତିଶତଙ୍କ ପାଖରେ ଏହି ସେବା ପହଞ୍ଚିଥିବାବେଳେ ଆହୁରି ୨୫ ପ୍ରତିଶତ ଲୋକ ଏହି ସେବାର ପହଞ୍ଚ ବାହାରେ ଅଛନ୍ତି। 

Advertisment

Health: ପୁଣି ଦେଢ଼ମାସ ଧରି ଅଚଳ ଓମ୍ବାଡ୍ସି ଆମ୍ବୁଲାନ୍ସ: ୧୧୦ ଦିନରେ ୯୦ ଦିନ ବନ୍ଦ୍ ହେଲାଣି

ସୂଚନା ଅନୁଯାୟୀ ୨୦୨୩ ଜାନୁଆରି ୫ରେ ସେବା ଆରମ୍ଭ ଦିନ ରାଜ୍ୟରେ ମୋଟ ୫ଜି ବିଟିଏସ୍‌(ବେସ୍‌ ଟ୍ରାନ୍ସିଭର ଷ୍ଟେସନ) ସଂଖ୍ୟା ୬୨୪ ରହିଥିଲା। ସେହିବର୍ଷ ଶେଷବେଳକୁ ରାଜ୍ୟରେ ୫ଜି ବିଟିଏସ୍‌ ସଂଖ୍ୟା ୧୧୨୬୪ରେ ପହଞ୍ଚିଥିଲା। କିନ୍ତୁ ୨୦୨୪ ଓ ୨୦୨୫ ମସିହାରେ ବିଟିଏସ୍‌ ସଂଖ୍ୟା ପ୍ରଥମ ବର୍ଷ ଭଳି ବୃଦ୍ଧି ପାଇନାହିଁ। ରାଜ୍ୟରେ ବିଟିଏସ୍‌ ସଂଖ୍ୟା ୨୦୨୪ ଶେଷବେଳକୁ ୧୨୬୭୮ରେ ଏବଂ ୨୦୨୫ ଶେଷବେଳକୁ ୧୪୩୬୧ରେ ପହଞ୍ଚିଥିବା ଟେଲିକମ୍‌ ବିଭାଗ ସୂତ୍ରରୁ ଜଣାଯାଇଛି। ଅର୍ଥାତ୍‌ ରାଜ୍ୟରେ ୫ଜି ସେବା ସଂପ୍ରସାରଣ ଧିମେଇଛି ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ୨ ବର୍ଷରେ ସାରା ରାଜ୍ୟରେ ପହଞ୍ଚାଇବା ପାଇଁ ରଖାଯାଇଥିବା ଲକ୍ଷ୍ୟ ୩ ବର୍ଷରେ ମଧ୍ୟ ପୂରଣ ହୋଇ ନପାରିବା ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛି।  

T20 WC : ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହେବ କି ବାଂଲାଦେଶର ମ୍ୟାଚ ?

ରାଜ୍ୟରେ ସଂପ୍ରତି ୨ଟି ଘରୋଇ କମ୍ପାନି ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲ୍‌ ୫ଜି ସେବା ପ୍ରଦାନ କରୁଛନ୍ତି। ସେମାନେ ଯଦି ୫ଜି ନେଟୱର୍କ ବଢ଼ାନ୍ତେ ଏବଂ ଅନ୍ୟ ଦୁଇ କମ୍ପାନି ଭୋଡାଫୋନ ଆଇଡିଆ ଏବଂ ବିଏସ୍ଏ‌ନ୍ଏ‌ଲ୍‌ ଚଳିତବର୍ଷ ଏଥିରେ ସାମିଲ ହୁଅନ୍ତେ ତା’ହେଲେ ଆଗାମୀ କିଛିମାସ ମଧ୍ୟରେ ଏହି ସେବା ରାଜ୍ୟର ଅଧିକ ଲୋକଙ୍କ ନିକଟରେ ପହଞ୍ଚି ପାରନ୍ତା । ୫ଜି ସେବା ଆସିବା ଫଳରେ କୃଷିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ‌ଲୋକେ ଅନେକ ଅତ୍ୟାବଶ୍ୟକ ସେବା ଏହି ପ୍ରଯୁକ୍ତି ଜରିଆରେ ଶୀଘ୍ର ଓ ସହଜରେ ପାଇପାରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେବାକୁ ୩ ବର୍ଷ ପୂରିଥିଲେ ମଧ୍ୟ ଲୋକଙ୍କ ସେହି ଆଶା ଆଶାରେ ରହିଯାଇଛି।