୫ଜିର ସମ୍ଭାବନା ଓ ବିପଦ

Advertisment

୬ମାସରେ ୨୦୦ ସହରରେ ଉପଲବ୍ଧ ହେବ: ଅଶ୍ବିନୀ

୬ମାସରେ ୨୦୦ ସହରରେ ଉପଲବ୍ଧ ହେବ: ଅଶ୍ବିନୀ

ମହଙ୍ଗା ହେବ କି ୫ଜି ସେବା ?

ନୂଆଦିଲ୍ଲୀ: ଭାରତରେ ଆଜିଠାରୁ ୫ଜି ପ୍ରଯୁକ୍ତିର ଯୁଗ ଆରମ୍ଭ ହୋଇଛି। ୨୦୧୯ ବେଳକୁ ଦକ୍ଷିଣ କୋରିଆ ଏବଂ ଆମେରିକା ଭଳି ଦେଶରୁ ଆରମ୍ଭ ହୋଇଥିବା ଉକ୍ତ ନୂଆ ପିଢ଼ିର ଟେଲିକମ ପ୍ରଯୁକ୍ତି ଏବେ ବିଶ୍ବର ପାଖାପାଖି ୭୦ରୁ ଅଧିକ ଦେଶରେ ଉପଲବ୍ଧ ହେଲାଣି। ଗୋଟିଏ ନୂଆ ପ୍ରଯୁକ୍ତି ଆସିଲେ ତାହାର କିଛି ଲାଭ ଏବଂ କିଛି କ୍ଷତି ଥାଏ। ବିଶେଷଜ୍ଞମାନେ ଏ ନେଇ ଭିନ୍ନ ଭିନ୍ନ ମତ ରଖିଥାନ୍ତି। ଭାରତରେ ଏହି ସେବା ଆଜିଠାରୁ ଦେଶର ୧୩ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବାରୁ ଏହାର ସମ୍ଭାବନା ଓ ବିପଦର ଦିଗଗୁଡ଼ିକ କ’ଣ ରହିଛି ସେ ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏଠାରେ ସେଗୁଡ଼ିକ ପ୍ରଦାନ କରାଯାଇଛି।

ନୂଆ ନୂଆ ପ୍ରଯୁକ୍ତିର ବହୁଳ ବ୍ୟବହାର
ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଦୀର୍ଘଦିନ ହେଲା ବିଶ୍ବରେ ଟେଲିକମ୍‌ ଅପରେଟର, ଇଣ୍ଟରନେଟ୍ କମ୍ପାନି ଏବଂ ମୋବାଇଲ ଫୋନ ନିର୍ମାତାମାନେ ଅପେକ୍ଷା କରି ରହିଛନ୍ତି। ବିଶ୍ବରେ ସଂପ୍ରତି ଶିଳ୍ପ ବିପ୍ଳବର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି। ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍‌ସ (ଆଇଓଟି) ଭଳି ନୂଆ ନୂଆ ପ୍ରଯୁକ୍ତିର ବ୍ୟବହାର ଦେଖିବାକୁ ମିଳୁଛି। ଏସବୁ ନୂଆ ପ୍ରଯୁକ୍ତିକୁ କାର୍ଯ୍ୟକାରୀ କରିବାରେ ୫ଜି ଯଥେଷ୍ଟ ସହାୟକ ହେବ।

୧୦ ଗୁଣା ଅଧିକ ବେଗର ସେବା
୫ଜି ପ୍ରଯୁକ୍ତିର ଏକ ବଡ଼ ଉପକାରିତା ହେଲା ମୋବାଇଲ ଫୋନ ଓ କମ୍ପ୍ୟୁଟରରେ ଯୋଗାଯୋଗ ବ୍ୟବସ୍ଥାର ବେଗ ବଢ଼ିଯିବ। ୨ଜି, ୩ଜି ଏବଂ ୪ଜି ପ୍ରଯୁକ୍ତିରେ ସିନେମା, ଭିଡ଼ିଓ, ମ୍ୟୁଜିକ୍ ଡାଉଲନୋଡ ଏବଂ ଷ୍ଟ୍ରିମିଂ ସେବା ପାଇଁ ବହୁ ଅଧିକ ସମୟ ଲାଗୁଥିଲା। କିନ୍ତୁ ୫ଜି ପ୍ରଯୁକ୍ତି ଆସିବା ପରେ ସିନେମା, ଭିଡ଼ିଓ ଏବଂ ମ୍ୟୁଜିକ ଆଦିର ଡାଉନଲୋଡ୍ କିଛି ସେକେଣ୍ଡ ମଧ୍ୟରେ ହୋଇଯିବ। ବିଶେଷକରି ଦ୍ରୁତଗତିରେ ଆଗକୁ ବଢ଼ୁଥିବା ଗେମିଂ ଇଣ୍ଡଷ୍ଟ୍ରିକୁ ଏହା ବିଶେଷ ସହାୟକ ହେବ। ୪ଜି ତୁଳନାରେ ୫ଜିରେ ୧୦ ଗୁଣା ଅଧିକ ବେଗରେ ସେବା ମିଳିବ ବୋଲି ଆଶା କରାଯାଉଛି। ଏଥିସହିତ ଖଣି ଖନନ, ୱେୟାରହାଉସିଂ, ଟେଲିମେଡିସିନ, ମାନ୍ୟୁଫାକଚରିଂ, ମେସିନ କମ୍ୟୁନିକେସନ୍ସ ଆଦି ବିଶେଷ ଭାବେ ଉପକୃତ ହେବ।

ଲ‌ାଟେନ୍ସି କମିବ
ପୂର୍ବ ପ୍ରଯୁକ୍ତି ତୁଳନାରେ ୫ଜି ପ୍ରଯୁକ୍ତିରେ ଲାଟେନ୍ସି (‌ସେବା ଆରମ୍ଭ ପାଇଁ ‌ଆବଶ୍ୟକ ସମୟ) କମିଯିବ। ଏଥିସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍‌ସ ଏବଂ ଭର୍ଚୁଆଲ ରିଅଲିଟି ଭଳି ନୂଆ ଓ ଅତ୍ୟାଧୁନିକ ପ୍ରଯୁକ୍ତିକୁ ଏହା ଆହୁରି ସହଜ କରିବ। ‌ଗ୍ରାହକଙ୍କୁ ଉନ୍ନତମାନର ବ୍ରାଉଜିଂ ଅନୁଭୂତି ଏହା ପ୍ରଦାନ କରିବ।

ଯୋଗାଯୋଗରେ ଉନ୍ନତି
୫ଜିରେ କେବଳ ଡାଟା ଟ୍ରାନ୍ସଫର ଦ୍ରୁତବେଗରେ ହେବନାହିଁ, ଡିଭାଇସ ବା ଉପକରଣଗୁଡ଼ିକ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାରେ ଏହା ଉନ୍ନତି ଆଣିବ। ସେଲ୍ୟୁଲାର ଡିଭାଇସ ଏବଂ ‌ୱେୟାରଲେସ ୱାଇଫାଇ ମଧ୍ୟରେ ସେବାକୁ ଅଧିକ ସହଜ କରିବ।

ବିମାନ ଉଡ଼ାଣ ପ୍ରତି ବିପଦ ଦେଖାଦେଇପାରେ
ଚଳିତବର୍ଷ ଜାନୁଆରିରେ ୫ଜି ସେବା ଆରମ୍ଭ ପାଇଁ ପ୍ରୟାସ କରିବା ବେଳେ ଆମେରିକାକୁ ଏୟାର ଇଣ୍ଡିଆ ସମେତ ଅନ୍ୟମାନେ ବିମାନ ବାତିଲ କରିଥିଲେ। ଏହାର ପ୍ରମୁଖ କାରଣ ଥିଲା ବିମାନ ଉଡ଼ାଣରେ ନୂଆ ପ୍ରଯୁକ୍ତି ଅସୁବିଧା ସୃଷ୍ଟି କରିବ। ବିମାନ କେତେ ଉଚ୍ଚତାରେ ଉଡ଼ୁଛି ତାହା ଜାଣିବା ପାଇଁ ସି-ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ ବ୍ୟବହାର ହୋଇଥାଏ। ବର୍ତ୍ତମାନ ୫ଜି ସେବା ପାଇଁ ମଧ୍ୟ ଏହି ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ ପ୍ରଦାନ କରାଯାଇଛି। ତେଣୁ ବିମାନର ଉଚ୍ଚତା ଜାଣିବା କ୍ଷେତ୍ରରେ ଏହି ପ୍ରଯୁକ୍ତି ପ୍ରତିବନ୍ଧକ ସୃଷ୍ଟି କରିବା ଆଶଙ୍କା ବ୍ୟକ୍ତ କରି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଡିଜିସିଏ ନିକଟରେ ଏ ନେଇ ଏକ ଚିଠି ଟେଲିକମ୍‌ ବିଭାଗକୁ ଲେଖିଛି।

publive-image Sambad

ସାଇବର ସୁରକ୍ଷା ବିପଦ
୫ଜି ପ୍ରଯୁକ୍ତି ସାଇବର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି। ୫ଜି ପ୍ରଯୁକ୍ତି ସହ ଜଡ଼ିତ ଉପକରଣ ଗୁଡ଼ିକ ସାଇବର ଅପରାଧୀଙ୍କ ପାଇଁ ସହଜ ଟାର୍ଗେଟ ପାଲଟିବ। ଏହାଦ୍ବାରା ତଥ୍ୟ ଚୋରି ହେବାର ଆଶଙ୍କା ରହିଛି।

ଶୀଘ୍ର ବ୍ୟାଟେରି ସରିବ
୫ଜି ପ୍ରଯୁକ୍ତିର ଅନ୍ୟ ଏକ ଅସୁବିଧା ହେଲା ‌‌ସେଲ୍ୟୁଲାର ଡିଭାଇସ ବା ମୋବାଇଲ ଫୋନକୁ ଏହା ଶୀଘ୍ର ଖରାପ କରିଦେବ। ବ୍ୟାଟେରି ଶୀଘ୍ର ସରିବା ସହିତ ମୋବାଇଲ ‌ଫୋନର ଆୟୁଷ କମ୍ ଦିନ ରହିବ। ଏହାବ୍ୟତୀତ ଦେଶରେ ଅଳ୍ପ କେତୋଟି ନିର୍ମାତା ୫ଜି ପ୍ରଯୁକ୍ତିର ବ୍ୟବହାରଯୋଗ୍ୟ ମୋବାଇଲ ‌ଫୋନ ନିର୍ମାଣ କରୁଛନ୍ତି।

୫ଜି ଫୋନ କିଣିବାକୁ ହେବ
୫ଜି ସେବାର ଲାଭ ପାଇବାକୁ ହେଲେ ଲୋକଙ୍କୁ ଉକ୍ତ ପ୍ରଯୁକ୍ତିକୁ ଗ୍ରହଣ କରିପାରୁଥିବା ‌ସ୍ମାର୍ଟଫୋନ ଓ ଟାବଲେଟ୍ କିଣିବାକୁ ହେବ। ଏକ ରିପୋର୍ଟରୁ ଜଣାଯାଇଛି ଯେ ଭାରତରେ ମାତ୍ର ୯.୭ ପ୍ରତିଶତ ସ୍ମାର୍ଟଫୋନରେ ୫ଜି ପ୍ରଯୁକ୍ତି ଚାଲିପାରିବ। ଦେଶରେ ଯେତେବେଳେ ୪ଜି ସେବା ଆରମ୍ଭ ହେଲା ‌କମ୍ପାନିଗୁଡ଼ିକ ଲୋକଙ୍କୁ ନୂଆ ସିମ୍‌ ଦେବା ଆରମ୍ଭ କରିଥିଲେ। କିନ୍ତୁ ୫ଜି ପ୍ରଯୁକ୍ତିର ବ୍ୟବହାର ପାଇଁ ନୂଆ ସିମ୍‌ର ଆବଶ୍ୟକତା ପଡ଼ିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଯଦିଓ ୫ଜି ପ୍ରଯୁକ୍ତି ସୁବିଧା ଥିବା ଫୋନରେ ୪ଜି ସିମ କାର୍ଯ୍ୟ କରିବ ତଥାପି ନୂଆ ପ୍ରଯୁକ୍ତିର ଲାଭ ପୂର୍ଣ୍ଣମାତ୍ରାରେ ପାଇବେ ନାହିଁ। ତେଣୁ ୫ଜି ଫୋନର ପୂରା ଲାଭ ପାଇବାକୁ ହେ‌ଲେ ୫ଜି ସିମ୍‌ର ଆବଶ୍ୟକତା ଦେଖାଦେବ।

୬ମାସରେ ୨୦୦ ସହରରେ ଉପଲବ୍ଧ ହେବ: ଅଶ୍ବିନୀ

publive-image

ନୂଆଦିଲ୍ଲୀ: ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ ହୋଇଛି। ତେବେ ଆସନ୍ତା ୬ ମାସ ମଧ୍ୟରେ ଦେଶର ୨୦୦ରୁ ଅଧିକ ସହରରେ ଉକ୍ତ ସେବା ଉପଲବ୍ଧ ହେବ। ଦେଶର ୮୦ରୁ ୯୦ ପ୍ରତିଶତ ଅଞ୍ଚଳରେ ଉକ୍ତ ସେବାକୁ ୨ ବର୍ଷ ମଧ୍ୟରେ ଉପଲବ୍ଧ କରାଇବା ନେଇ ଆଶା ରଖାଯାଇଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଆସନ୍ତାବର୍ଷ ଅଗଷ୍ଟ ୧୫ ସୁଦ୍ଧା ବିଏସଏନଏଲ ୫ଜି ସେବା ସୁଲଭ ମୂଲ୍ୟରେ ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି। ୫ଜି ସେବା ଆରମ୍ଭ ପାଇଁ ଆଜିର ଦିନକୁ ଭାରତ ନିମନ୍ତେ ଏକବିଂଶ ଶତାବ୍ଦୀର ଐତିହାସିକ ଦିନ ବୋଲି ସେ କହିଛନ୍ତି। ନୂଆ ପ୍ରଯୁକ୍ତି ଭାରତର ଟେଲିକମ୍‌ କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe