Image Courtesy of India Today
କୋଚି: ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା ସତ୍ତ୍ବେ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ମୋଟ ସାମୁଦ୍ରିକ ଖାଦ୍ୟ ରପ୍ତାନି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଭାରତରୁ ମୋଟ ୧୭ ଲକ୍ଷ ୮୧ ହଜାର ୬୦୨ ଟନ୍ ସାମୁଦ୍ରିକ ଖାଦ୍ୟ ରପ୍ତାନି କରାଯାଇଛି, ଯାହାର ମୂଲ୍ୟ ୬୦,୫୨୩.୮୯ କୋଟି ଟଙ୍କା। ଏଥିରେ ଶୀତଳୀକୃତ ଚିଙ୍ଗୁଡ଼ିର ଯୋଗଦାନ ସବୁଠୁ ଅଧିକ। ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ ଭାରତରୁ ଏହାକୁ ସର୍ବାଧିକ ଆମଦାନି କରିଛନ୍ତି। ୨୦୨୨-୨୩ରେ ଭାରତରୁ ୬୩,୯୬୯.୧୪ କୋଟି ଟଙ୍କା ମୂଲ୍ୟର ୧୭ ଲକ୍ଷ ୩୫ ହଜାର ୨୮୫ ମେଟ୍ରିକ ଟ୍ରନ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି କରାଯାଇଥିଲା।
ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଏମ୍ପେଡା)ର ଅଧ୍ୟକ୍ଷ ଡିଭି ସ୍ବାମୀଙ୍କ କହିବାନୁଯାୟୀ, ଆମେରିକା, ୟୁରୋପୀୟ ସଂଘ, ଇଂଲଣ୍ଡ ଭଳି ବଜାରରେ ଅନେକ ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ଭାରତରୁ ଉପରୋକ୍ତ ମୂଲ୍ୟର ରପ୍ତାନି ଏକ ରେକର୍ଡ। ସାମୁଦ୍ରିକ ଦ୍ରବ୍ୟ ରପ୍ତାନି କ୍ଷେତ୍ରରେ ଶୀତଳୀକୃତ ଚିଙ୍ଗୁଡ଼ିରୁ ସର୍ବାଧିକ ୪୦,୦୧୩.୫୪ କୋଟି ଟଙ୍କା ମିଳିଛି। ୨୦୨୩-୨୪ରେ ଶୀତଳୀକୃତ ଚିଙ୍ଗୁଡ଼ି ରପ୍ତାନି ୭,୧୬,୦୦୪ ଟନ୍ ରହିଛି। ଭାରତର ଦ୍ବିତୀୟ ମୁଖ୍ୟ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଦ୍ରବ୍ୟ ହିସାବରେ ହିମୀକୃତ ମାଛ ରହିଛି। ଏହାର ମୋଟ ରପ୍ତାନି ୫୫୦୯.୬୯ କୋଟି ଟଙ୍କା ହୋଇଛି। ଭାରତର ସବୁଠୁ ବଡ଼ ସାମୁଦ୍ରିକ ଖାଦ୍ୟ ରପ୍ତାନି ବଜାର ଯୁକ୍ତରାଷ୍ଟ୍ର ଆମେରିକା । ଏହା ପଛକୁ ଚୀନ (ହଂକଂ ଓ ତାଇୱାନ ବ୍ୟତୀତ) ଦ୍ବିତୀୟ ସ୍ଥାନରେ ଥିବାବେଳେ ଜାପାନ ତୃତୀୟ, ଭିଏତନାମ ଚତୁର୍ଥ, ଥାଇଲାଣ୍ଡ ପଞ୍ଚମ, କାନାଡ଼ା ଷଷ୍ଠ, ସ୍ପେନ ସପ୍ତମ, ବେଲଜିୟମ ଅଷ୍ଟମ, ଇଟାଲୀ ନବମ ଏବଂ ୟୁଏଇ ଦଶମ ସ୍ଥାନରେ ସ୍ଥାନରେ ରହିଛି।
Follow Us