odishaassembly.nic.in
ଭୁବନେଶ୍ବର: ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷ ଆଜି ୬୦୯ କୋଟି ଟଙ୍କାର ପାଞ୍ଚଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ଲୋକସେବା ଭବନରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ଦିଆଯାଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜିର ବୈଠକରେ ରିଲାଏବଲ୍ ସ୍ପଞ୍ଜ୍ ପ୍ରାଇଭେଟ୍ ଲିମିଟେଡ୍, ଗ୍ରୋୱେଲ୍ ଫିଡସ୍ ପ୍ରାଇଭେଟ୍ ଲିମିଟେଡ୍, ଶ୍ରବଣ ସିପିଂ ସର୍ଭିସେସ୍ ଲିମିଟେଡ୍, ଚିଲିକା ଡିଷ୍ଟିଲାରିଜ୍ ଓ ଏସ୍ଓଏମ୍ ଡିଷ୍ଟିଲାରିଜ ଆଣ୍ଡ୍ ବ୍ରିୱେରିଜ୍ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ର ପ୍ରକଳ୍ପକୁ ମଞ୍ଜୁରି ମିଳିଛି।
ରିଲାଏବଲ୍ ସ୍ପଞ୍ଜ ତରଫରୁ ୨୫୦ କୋଟି ଟଙ୍କା ବିନିଯୋଗରେ ଏକ ୨.୫ ଏମ୍ଟିପିଏ କ୍ଷମତାର ଲୁହା ପଥର ବେନିଫିକେସନ୍ ପ୍ଲାଣ୍ଟ୍ ଓ ୨ ଏମ୍ଟିପିଏ କ୍ଷମତାର ପେଲେଟ୍ ପ୍ଲାଣ୍ଟ୍ ସ୍ଥାପନ କରାଯିବ। ଏହି ପ୍ରକଳ୍ପରେ ୨୫୦ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗ୍ରୋୱେଲ୍ ଫିଡସ୍ ତରଫରୁ ୬୫.୮୨ କୋଟି ଟଙ୍କା ବିନିଯୋଗରେ ଚିଙ୍ଗୁଡ଼ି ଖାଦ୍ୟ ଏବଂ ମତ୍ସ୍ୟ ଖାଦ୍ୟ ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ଏହି ପ୍ରକଳ୍ପରେ ୭୦୦ ଲୋକଙ୍କୁ ନିଯୁକ୍ତି ମିଳିବ। ଶ୍ରବଣ ସିପିଙ୍ଗ ସର୍ଭିସେସ୍ ରାଜ୍ୟରେ ୧୦୦ କୋଟି ଟଙ୍କା ବିନିଯୋଗ କରି କେନ୍ଦ୍ରପଡ଼ାର ମହାକାଳପଡ଼ା ବ୍ଲକ୍ରେ ଥିବା ଯଦୁପୁର ଠାରେ ଏକ ଲଜିଷ୍ଟିକ୍ସ ପାର୍କ ସ୍ଥାପନ କରିବ। ଏଥିରେ ୨୫୦ ଲୋକଙ୍କୁ ନିଯୁକ୍ତି ମିଳିବ। ଚିଲିକା ଡିଷ୍ଟିଲାରିଜ୍ ୯୯.୯୭ କୋଟି ଟଙ୍କା ବିନିଯୋଗ କରିବ ଯେଉଁ ପ୍ରକଳ୍ପରେ ୧୭୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏସ୍ଓଏମ୍ ଡିଷ୍ଟିଲାରିଜ୍ ଆଣ୍ଡ୍ ବ୍ରିୱେରିଜ୍ ଓଡ଼ିଶା ୯୩ କୋଟି ଟଙ୍କା ବିନିଯୋଗ କରି ଏକ ଡିଷ୍ଟିଲାରି ୟୁନିଟ୍ ସ୍ଥାପନ କରିବ। ସେଥିରେ ୧୨୬ ଜଣଙ୍କୁ ନିଯୁକ୍ତି ମିଳିବ।
ଏହି ସବୁ ପ୍ରକଳ୍ପ ଯେଭଳି ଶୀଘ୍ର ସ୍ଥାପନ ହେବ ସେଥିପାଇଁ ଆବଶ୍ୟକ ସୁବିଧା ଯୋଗାଇଦେବା ଲାଗି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ବିଭିନ୍ନ ବିଭାଗକୁ ନିର୍ଦେଶ ଦେଇଛନ୍ତି। ପ୍ରଦୂଷଣ ନିୟମ ଯେଭଳି କଡ଼ାକଡ଼ି ଭାବେ ପାଳନ କରାଯିବ ସେଥିପ୍ରତି ଧ୍ୟାନ ଦେବା ଲାଗି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କୁହାଯାଇଛି। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଡ୍କୋ ସିଏମ୍ଡି ସଞ୍ଜୟ କୁମାର ସିଂହ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Follow Us