ଭୁବନେଶ୍ୱର/ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଚାଲିଥିବା ଟ୍ରକ୍ ଧର୍ମଘଟ ଷଷ୍ଠ ଦିନରେ ପହଞ୍ଚିଛି। ବୁଧବାର ଠାରୁ ନିତିଦିନିଆ ବ୍ୟବହାର ହେଉଥିବା ସାମଗ୍ରୀଗୁଡ଼ିକର ପରିବହନ ପ୍ରଭାବିତ ହେବା ଆରମ୍ଭ ହୋଇଛି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଟ୍ରକ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଆନ୍ତଃ ରାଜ୍ୟ ମାଲ୍ ଯୋଗାଣ ୬୦-୭୦% କମିଯାଇଛି। ଖବର ମିଳିଛି ଯେ, ବ୍ରିଟାନିଆ, ନେସ୍ଲେ ଓ ଡାବର୍ ଭଳି କଂପାନି ସେମାନଙ୍କ ଉତ୍ପାଦଗୁଡ଼ିକୁ ଗ୍ରାହକମାନଙ୍କ ପାଖରେ ପହଞ୍ଚାଇ ପାରୁନାହାନ୍ତି। ସେଥିପାଇଁ କିଛି କଂପାନି ନିଜର ଉତ୍ପାଦନ ବନ୍ଦ କରିଦେଲେଣି। ଟ୍ରକ୍ ଧର୍ମଘଟର ପ୍ରଭାବ ଅନ୍ୟ ଶିଳ୍ପ କ୍ଷେତ୍ର ଉପରେ ପଡ଼ିବା ଆରମ୍ଭ ହୋଇଯାଇଛି। ପୋଷାକ, ଔଷଧ ଓ ସେରାମିକ୍ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ କଞ୍ଚାମାଲ ପାଇବାରେ ଅସୁବିଧା ସାମ୍ନା କରୁଛନ୍ତି। ରପ୍ତାନିକାରୀମାନେ ନିଜ ସାମଗ୍ରୀକୁ ବନ୍ଦର ପର୍ଯ୍ୟନ୍ତ ପହଞ୍ଚାଇ ପାରୁନାହାନ୍ତି। ସାରା ଦେଶରେ ୯୩ ଲକ୍ଷ ଟ୍ରକ୍ର ଚଳାଚଳ କରୁଥିଲା। ସେଥି ମଧ୍ୟରୁ ୮୦% ଟ୍ରକ୍ର ଚଳାଚଳ ବନ୍ଦ ହୋଇଗଲାଣି। କିନ୍ତୁ ଟୋଲ୍ ପ୍ଲାଜାଗୁଡ଼ିକରୁ ମିଳିଥିବା ତଥ୍ୟ ଭିନ୍ନ ଚିତ୍ର ଦର୍ଶାଉଛି। ସେହି ତଥ୍ୟରୁ ଜଣାପଡ଼ିଛି ଯେ ଏବେବି ଅଧାରୁ ଅଧିକ ଟ୍ରକ୍ ରାସ୍ତାରେ ଚାଲୁଛି। ଓଡ଼ିଶାରେ ୨ ଲକ୍ଷ ଟ୍ରକ୍ ରହିଛି। ସେଗୁଡ଼ିକର ଚଳାଚଳ ବନ୍ଦ ହୋଇଗଲାଣି ବୋଲି ଗତକାଲି ରାଜ୍ୟ ଟ୍ରକ୍ ମାଲିକ ସଂଘର ସଭାପତି ବିଭୂତି ପ୍ରସାଦ ଦାସ ଓ ସାଧାରଣ ସମ୍ପାଦକ ରବି ଶତପଥୀ ସୂଚନା ଦେଇଥିଲେ। ଆଜି ସର୍ବଭାରତୀୟ ମୋଟର ପରିବହନ କଂଗ୍ରେସର କୋର୍ କମିଟି ଅଧ୍ୟକ୍ଷ ବାଲ୍ ମଲ୍କିତ୍ ସିଂହ କହିଛନ୍ତି ଯେ, ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଟ୍ରକ୍ ମାଲିକମାନେ ନିଜ ଜିଦ୍ରୁ ଓହରିବେ ନାହିଁ। ସରକାରଙ୍କ ତରଫରୁ ମଧ୍ୟ ସେମାନଙ୍କ ସହିତ କୌଣସି ଆଲୋଚନା କରାଯାଉନାହିଁ। ଟ୍ରକ୍ ଧର୍ମଘଟକୁ ସର୍ବଭାରତୀୟ ଟାୟାର ଲିଡର୍ ମହାସଂଘ ସମର୍ଥନ ପ୍ରଦାନ କରିଛି। ଏହି ଧର୍ମଘଟକୁ ଶୀଘ୍ର ଶେଷ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଅନ୍ୟ କେତେକ ଶିଳ୍ପ ସଂଘ ମଧ୍ୟ ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି। କେତେକ ସଂଘ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ଉଲ୍ଲେଖଯୋଗ୍ୟ, ଟ୍ରକ୍ ମର୍ଧଘଟ ଯୋଗୁଁ ସର୍ବଭାରତୀୟ ସ୍ତରରେ ୨୦ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ହୋଇସାରିଲାଣି। ଓଡ଼ିଶାରେ ସରକାର ଦିନକୁ ୩୫୦ କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି।
ନିତିଦିନିଆ ସାମଗ୍ରୀ ପରିବହନ ବାଧାପ୍ରାପ୍ତ
Advertisment
Follow Us