୨୦୩୦ ସୁଦ୍ଧା ଦେଶରେ ୬ଜି: ୫ଜି ତୁଳନାରେ ସ୍ପିଡ୍ ୧୦୦ ଗୁଣା ଅଧିକ ରହିବ

Advertisment
୨୦୩୦ ସୁଦ୍ଧା ଦେଶରେ ୬ଜି: ୫ଜି ତୁଳନାରେ ସ୍ପିଡ୍ ୧୦୦ ଗୁଣା ଅଧିକ ରହିବ

ନୂଆଦିଲ୍ଲୀ: ଦେଶରେ ୫ଜି ଟେଲିକମ୍ ସେବା ଆରମ୍ଭ ହେବାର ମାତ୍ର ଛଅ ମାସ ହୋଇଥିବା ବେଳେ ଏହାର ପରବର୍ତ୍ତୀ ପିଢ଼ି ଅର୍ଥାତ ୬ଜି ଲାଗି କାମ ଆରମ୍ଭ ହୋଇଛି। ୨୦୩୦ ସୁଦ୍ଧା ଦେଶରେ ୬ଜି ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଥିବା ଭିଜନ ଡକ୍ୟୁମେଣ୍ଟ୍‌ରେ ତାହା ଉଲ୍ଲେଖ ରହିଛି। ୬ଜି ପ୍ରକଳ୍ପ ଚିହ୍ନଟ କରିବା, ପାଣ୍ଠି, ଗବେଷଣା ଓ ପ୍ରଯୁକ୍ତି ମୂତୟନ ଲାଗି ଭାରତ ୬ଜି ପ୍ରକଳ୍ପ ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ପ୍ରକଳ୍ପର ଅଗ୍ରଗତି ଉପରେ ନଜର ରଖିବା ଲାଗି ସରକାର ଏକ ଶୀର୍ଷ ପରିଷଦ ଗଠନ କରିଛନ୍ତି।

୬ଜି ସମାଧାନ ଲାଗି ପ୍ରଯୁକ୍ତିଠାରୁ ଆରମ୍ଭ କରି ସମାଧାନ ପର୍ଯ୍ୟନ୍ତ ସବୁ କିଛିରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହେବାକୁ ଭାରତ ଚାହୁଛି। ସେଥିପାଇଁ ଏହି ପ୍ରଯୁକ୍ତିରେ ଗବେ‌ଷଣାକୁ ବ୍ୟାପକ କରାଯାଇଛି। ଟେଲିକମ୍ ମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ୫ଜି ସେବା ଆରମ୍ଭ କରିବାର ଛଅ ମାସ ପରେ ଆମେ ୬ଜି କଥା କହୁଛୁ। ଏଥିରୁ ଭାରତର ବିଶ୍ବାସ ସ୍ତର କ’ଣ ତାହା ଜଣାପଡ଼ୁଛି। ୪ଜି ପୂର୍ବରୁ ଭାରତ ଟେଲିକମ୍ ପ୍ରଯୁକ୍ତିକୁ କେବଳ ବ୍ୟବହାର କରୁଥିଲା। ସେଗୁଡ଼ିକୁ ବାହାରୁ ମଗାଉଥିଲା। ଏବେ କିନ୍ତୁ ଟେଲିକମ୍ ପ୍ରଯୁକ୍ତିର ଏକ ବଡ଼ ରପ୍ତାନିକାରୀ ଭା‌ବେ ଭାରତ ଉଭା ହୋଇଛି ବୋଲି ସେ କହିଛନ୍ତି। ୬ଜିକୁ ନେଇ ଭାରତ ପାଖରେ ୧୨୬ ପାଖାପାଖି ପେଟେଣ୍ଟ୍‌ ଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

ଆଜି ଜାରି ହୋଇଥିବା ଭିଜନ ଡକ୍ୟୁମେଣ୍ଟ୍‌ରେ ଉଲ୍ଲେଖ ରହିଛି ଯେ ୬ଜିକୁ ରିମୋଟ୍‌ରେ କାରଖାନା ଚଲାଇବା, ସେଲ୍‌ଫ ଡ୍ରାଇଭିଂ କାର୍‌, ସ୍ମାର୍ଟ ଓୟାରେବଲ୍‌ ଆଦିରେ ବ୍ୟବହାର କରିବାକୁ ଉଦ୍ୟମ କରାଯିବ। ୬ଜିକୁ ନେଇ ହେବାକୁ ଥିବା ଗବେଷଣାରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ସେବା ପ୍ରଦାନକାରୀମାନଙ୍କୁ ଯୋଡ଼ାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe