ସପ୍ତାହକୁ ୭୦ ଘଣ୍ଟା କାମ: ନାରାୟଣମୂର୍ତ୍ତିଙ୍କ ପ୍ରସ୍ତାବକୁ ନେଇ ଭିନ୍ନ ମତ

Advertisment
ସପ୍ତାହକୁ ୭୦ ଘଣ୍ଟା କାମ: ନାରାୟଣମୂର୍ତ୍ତିଙ୍କ ପ୍ରସ୍ତାବକୁ ନେଇ ଭିନ୍ନ ମତ

ନୂଆଦିଲ୍ଲୀ: ଭାରତ ଭଳି ଦେଶର ଯୁବପିଢ଼ି ସପ୍ତାହକୁ ୭୦ ଘଣ୍ଟା କାର୍ଯ୍ୟ କରିବା ଦରକାର ବୋଲି ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ଏନ୍‌ ଆର୍‌ ନାରାୟଣମୂର୍ତ୍ତି ଦେଇଥିବା ପ୍ରସ୍ତାବକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ମତ ପ୍ରକାଶ ପାଇଛି। କର୍ପୋରେଟ୍ ଜଗତର କିଛି ବିଶିଷ୍ଟ ଲୋକ ଏହାକୁ ସମର୍ଥନ କରିଥିବା ବେଳେ ବହୁ ଲୋକ ବିରୋଧ କରିଛନ୍ତି। ସଫ୍ଟୱେର ଇଞ୍ଜିନିୟରଙ୍କଠାରୁ ଆରମ୍ଭ କରି ମାନବ ସମ୍ବଳ ଅଧିକାରୀ ଓ ଶ୍ରମିକ ସଂଗଠନଗୁଡ଼ିକ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି।

କର୍ଣ୍ଣାଟକ ରାଜ୍ୟ ଆଇଟି କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସୁରଜ ନିଦିୟଙ୍ଗା କହିଛନ୍ତି ଯେ ଅଧିକ ସମୟ କାମ କରିବା ଲାଗି ଲୋକମାନଙ୍କୁ ବାଧ୍ୟ କଲେ ସେମାନେ ଶାରିରୀକ ଓ ମାନସିକ ସ୍ତରରେ କ୍ଳାନ୍ତ ହୋଇପଡ଼ିବେ। ଏହା ସେମାନଙ୍କ ମୌଳିକ ଅଧିକାରକୁ ଛଡ଼ାଇ ନେବା ଭଳି ବୋଲି ସେ କହିଛନ୍ତି। ମାନବ ସମ୍ବଳ ଆନାଲିଷ୍ଟ ବିଏସ୍‌ ମୂର୍ତ୍ତି କହିଛନ୍ତି ଯେ ଭାରତୀୟ କର୍ମଚାରୀଙ୍କ ଉଦ୍ୟମକୁ ସେମାନେ କରୁଥିବା କାମ ବଦଳରେ ଘଣ୍ଟା ହିସାବରେ ଆକଳନ କରାଯାଉଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ। ଚାଟ୍‌ଜିପିଟି ଭଳି ଯୁଗରେ ଏଭଳି ପ୍ରସ୍ତାବ ଆଧୁନିକ ଯୁଗର ଦାସତ୍ବ ଭଳି ବୋଲି ସେ କହିଛନ୍ତି। ନାରାୟଣମୂତ୍ତି ଇନ୍‌ଫୋସିସ୍‌କୁ ସମ୍ଭାଳୁଥିବା ବେଳେ କାହିଁକି ସେହି ବ୍ୟବସ୍ଥା ଲାଗୁ କଲେ ନାହିଁ ବୋଲି ଜଣେ ବ୍ୟକ୍ତି ପ୍ରଶ୍ନ କରିଛନ୍ତି। ଦୀର୍ଘ ସମୟ କାମ କରିବା ଦ୍ବାରା ଶରୀର ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ଜଣେ ହୃଦରୋଗୀ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ବେଙ୍ଗାଲୁରୁର ଡାକ୍ତର ଦୀପକ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଅଧିକ ସମୟ କାମ କଲେ ଯୁବକଯୁବତୀଙ୍କ ମଧ୍ୟରେ ହୃଦଘାତ ଆଶଙ୍କା ବଢ଼ିବ। ତାହା ଏକ ସାଧାରଣ ଘଟଣାରେ ପରିଣତ ହେବ। ୨୪ ଘଣ୍ଟିଆ ଦିନରୁ ୧୨ ଘଣ୍ଟା କାମ କଲେ ଓ ୮ ଘଣ୍ଟା ଶୋଇବା ପରେ ମାତ୍ର ୪ ଘଣ୍ଟା ସମୟ ରହୁଛି। ଅଫିସକୁ ଯିବା ଆସିବା ଲାଗି ଲାଗୁଥିବା ସମୟ, ଖାଇବାପିଇବା ଓ ନିତ୍ୟ କର୍ମ ସାରିବା ପାଇଁ ଚାରି ଘଣ୍ଟା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ଲୋକମାନଙ୍କ ପାଖରେ ଚିତ୍ତବିନୋଦନ ଓ ସାମାଜିକ କାର୍ଯ୍ୟ ଲାଗି କୌଣସି ସମୟ ରହିବ ନାହିଁ ବୋଲି ସେ ସତର୍କ କରାଇଛନ୍ତି। ‌ତେବେ ନାରାୟଣମୂର୍ତ୍ତିଙ୍କ ସପ୍ତାହକୁ ୭୦ ଘଣ୍ଟା କାର୍ଯ୍ୟ ସମୟକୁ ଜେଏସ୍‌ଡବ୍ଲୁର ମୁଖ୍ୟ ସଜ୍ଜନ ଜିନ୍ଦଲ, ଓଲାର ମୁଖ୍ୟ ଭବିଷ ଅଗ୍ରୱାଲ୍‌ ଆଦି ସମର୍ଥନ କରିଛନ୍ତି। ଅନ୍ୟ କିଛି ଶିଳ୍ପପତି କାର୍ଯ୍ୟ ସମୟର ପ୍ରକୃତ ସଂଜ୍ଞା ଜାଣିବାକୁ ଚାହିଛନ୍ତି। ଅଫିସ ବାହାରେ ମଧ୍ୟ ଦେଶ ଗଠନ ଲାଗି କାମ କରାଯାଇପାରିବ। ତାହାକୁ ସେଥିପାଇଁ ବିଚାରକୁ ନିଆଯାଇଛି ନା ନାହିଁ ସେମାନେ ଜାଣିବାକୁ ଚାହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe