୭୦ ଲକ୍ଷ ବେକାର: ଚାରି ମାସରେ ସର୍ବାଧିକ ସହରାଞ୍ଚଳରେ ସ୍ଥିତି ଅଧିକ ଖରାପ

୭୦ ଲକ୍ଷ ବେକାର: ଚାରି ମାସରେ ସର୍ବାଧିକ ସହରାଞ୍ଚଳରେ ସ୍ଥିତି ଅଧିକ ଖରାପ

Livemint

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହର ପୁଣି ଥରେ ଲୋକମାନଙ୍କ ଜୀବିକା ଛଡ଼ାଇ ନେଇଛି। ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାରୁ ଅନେକ ଲୋକ ଜୀବିକା ହରାଇ ବେକାର ହୋଇପଡ଼ିଛନ୍ତି। ଏପ୍ରିଲ୍‌ରେ ଦେଶର ବେକାରି ହାର ଚାରି ମାସ ଭିତରେ ସର୍ବୋଚ୍ଚ ସ୍ତର ୮% ପାଖାପାଖି ବୃଦ୍ଧି ପାଇଛି। ଗତ ମାର୍ଚ୍ଚରେ ଏହି ହାର ୬.୫% ଥିଲା। ଏପ୍ରିଲ୍‌ରେ ତାହା ୭.୯%ରେ ପହଞ୍ଚିଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆ ଇକୋନମି (ସିଏମ୍‌ଆଇଇ) ପକ୍ଷରୁ କୁହାଯାଇଛି।

ସିଏମ୍‌ଆଇଇର ପରିଚାଳନା ନିର୍ଦେଶକ ମହେଶ ବ୍ୟାସ କହିଛନ୍ତି ଯେ ଉପଲବ୍ଧ ଥିବା ନିଯୁକ୍ତି ହ୍ରାସ ପାଇଛି। ବିଭିନ୍ନ ରାଜ୍ୟରେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଯେହେତୁ ଦ୍ବିତୀୟ ଲହରର ପ୍ରାଦୁର୍ଭାବ ଭୟଙ୍କର ରହିଛି ଓ ମେଡିକାଲ୍ ସ୍ବାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ତେଣୁ ମେ' ମାସରେ ମଧ୍ୟ ନିଯୁକ୍ତି ସ୍ଥିତି ଭଲ ରହିନପାରେ ବୋଲି ସେ କହିଛନ୍ତି। ସିଏମ୍ଆଇଇର ତଥ୍ୟରୁ ଜଣାପଡ଼ିଛି ଯେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବେକାରି ହାର ଉତ୍କଟ ରହିଛି। ଶ୍ରମ କ୍ଷେତ୍ରରେ ଯୋଗଦାନର ଅନୁପାତ ଏପ୍ରିଲ୍‌ରେ ୪୦%କୁ ହ୍ରାସ ପାଇଛି। ନିଯୁକ୍ତିରେ ଥିବା ଏବଂ ନିଯୁକ୍ତି ପାଇବାକୁ ଚାହୁଥିବା ଲୋକମାନଙ୍କୁ ‌ମିଶାଇ ଏହି ସଂଖ୍ୟା ନିର୍ଧାରଣ କରାଯାଏ।
ରବିବାର କୋଭିଡ୍‌ରେ ରେକର୍ଡ ୩୬୮୯ ଜଣଙ୍କ ମୃତ୍ୟୁ ହୋଇଛି।

ଭାରତରେ ଦୈନିକ ମାମଲା ଚାରି ଲକ୍ଷରୁ ଅଧିକ ରହୁଥିଲା। ଗତକାଲି ତାହା ସାମାନ୍ୟ ହ୍ରାସ ପାଇଛି। ଗତବର୍ଷ କରୋନା ମହାମାରୀର ପ୍ରଥମ ଲହର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଠୋର ଲକ୍‌ଡାଉନ୍ ଘୋଷଣା କରିିିଥିଲେ ଯାହାର ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଥିଲେ। ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଚଳିତ ବର୍ଷ ଲକ୍‌ଡାଉନ୍‌କୁ ଶେଷ ଅସ୍ତ୍ର ଭାବେ ବ୍ୟବହାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକ ସହ ଆଲୋଚନା ବେଳେ କହିଥିଲେ। ଇତି ମଧ୍ୟରେ ଅନେକ ରାଜ୍ୟ ନିଜ ଆଡ଼ୁ ଲକ୍‌ଡାଉନ୍ ଘୋଷଣା କରିସାରିଲେଣି। କରୋନା ରୋଗୀଙ୍କ ଚିକିତ୍ସା ଲାଗି ସ୍ବାସ୍ଥ୍ୟ ଭିତ୍ତିଭୂମିର ଘୋର ଅଭାବ ଥିବାରୁ ରାଜ୍ୟଗୁଡ଼ିକ ଲଗାଇଥିବା କଟକଣାର ଅବଧି ବଢ଼ାଉଛନ୍ତି।

ଗତବର୍ଷ ମହାମାରୀର ପ୍ରଭାବ ଯୋଗୁଁ ଦେଶର ଅର୍ଥନୀତି ଗୁରୁତର କ୍ଷତି ସହିଛି। ୨୦୨୦-୨୧ର ପ୍ରଥମ ତ୍ରୟମାସରେ ଜିଡିପିରେ ୨୩.୯ ପ୍ରତିଶତର ହ୍ରାସ ଘଟିଥିଲା। ଏହାର ପରବର୍ତୀ ମାସଗୁଡ଼ିକରେ ସେଥିରେ ଅବଶ୍ୟ ସୁଧାର ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ଅଭିବୃ୍ଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିବ ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଥିଲେ। ମାତ୍ର ଭୂତାଣୁର ପ୍ରଭାବ ଏତେ ଅଧିକ ରହିଛି ଯେ ସେହି ଚମତ୍କାର ହୋଇପାରିବ ନା ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ନିଯୁକ୍ତି ସଙ୍କଟ ସ୍ଥିତିକୁ ଆହୁରି ଜଟିଳ କରିଛି। ଦେଶର ବେକାରି ହାର ଗତବର୍ଷ ମେ'ରେ ୨୧% ଭଳି ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଜୁଲାଇରେ ସେଥି‌ରେ ସୁଧାର ହେବା ପରେ ଅଗଷ୍ଟରେ ପୁଣି ବେକାରିଙ୍କ ସଂଖ୍ୟା ବଢ଼ିଥିଲା। ଚଳିତ ବର୍ଷ ଜାନୁଆରି ପରଠାରୁ ସ୍ଥିତିରେ ସୁଧାର ହେଉଥିଲା। କିନ୍ତୁ ଏପ୍ରିଲ୍‌ରେ ପୁଣି ସ୍ଥିତି ବିଗିଡ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe