ମୁମ୍ବାଇ: ଗତ ସପ୍ତାହରୁ ସେୟାର ବଜାରରେ ଆରମ୍ଭ ହୋଇଥିବା ହ୍ରାସର ଧାରା ଜାରି ରହିଛି। ପାଞ୍ଚଟି ଦିନ ଭିତରେ ନିବେଶକମାନେ ମୋଟ ୮.୪୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଲେଣି। ଆଜି ନିବେଶକମାନେ ୨.୮୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି।
ଚଳିତ ମାସ ୧୭ରୁ ୨୪ ତାରିଖ ମଧ୍ୟରେ ପାଞ୍ଚ ଦିନ କାରବାର ହୋଇଥିଲା। ପ୍ରତି ଦିନ ବମ୍ବେ ଷ୍ଟକ ବଜାର ସେନ୍୍ସେକ୍ସ ତଳକୁ ଖସିଥିଲା। ଆଜି ସେନ୍ସେକ୍ସରେ ୫୩୬ ପଏଣ୍ଟ୍ ହ୍ରାସ ପାଇ ୩୬,୩୦୫ ପଏଣ୍ଟ୍ରେ ବନ୍ଦ ହୋଇଛି। ଏହା ପୂର୍ବରୁ ଗତ ୧୭ ତାରିଖରେ ସେନ୍ସେକ୍ସ ୫୦୫ ପଏଣ୍ଟ ତଳକୁ ଖସିଆସିଥିଲା। ବିଗତ ପାଞ୍ଚଟି କାରବାର ଦିନରେ ସେନ୍୍ସେକ୍ସରେ ମୋଟ ୧୭୮୫ ପଏଣ୍ଟ୍ର ହ୍ରାସ ହୋଇଛି।
ଚିନ୍ତାର ବିଷୟ ହେଉଛି ଯେ ସେୟାର ବଜାରରେ ଦେଖାଦେଇଥିବା ଝଡ଼ର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସେବି ଗତକାଲି କହିଥିଲେ। ସେମାନଙ୍କ କଥା ନିବେଶକଙ୍କ ମନୋବଳ ବଢ଼ାଇପାରିନାହିଁ। ଏହି ଦୁଇ ସଂସ୍ଥା ନିଜ ପ୍ରତିଶ୍ରୁତି ରଖିବାରେ ବିଫଳ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ଚଳିତ ମାସରେ ବିଦେଶୀ ନିବେଶକମାନେ ସେୟାର ବଜାରରୁ ୧୫,୩୬୫ କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଓ ରପ୍ତାନି ତୁଳନାରେ ଆମଦାନି ବହୁତ ବଢ଼ିଯିବାରୁ ବିଦେଶୀ ନିବେଶକମାନେ ସେୟାର ବଜାରରୁ ନିଜ ପୁଞ୍ଜି ପ୍ରତ୍ୟାହାର କରିନେଉଛନ୍ତି। କାରଣ ଭାରତୀୟ ସେୟାର ବଜାର ଯେଉଁ ରିଟର୍ଣ୍ଣ ଦେବ ବୋଲି ସେମାନେ ଆଶା ରଖିଥିଲେ ତାହା ଆଉ ମିଳିବନି ବୋଲି ସେମାନେ ଜାଣିପାରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us