Zee News
ନୂଆଦିଲ୍ଲୀ: ଦେଶରେ ପଞ୍ଚାୟତଗୁଡ଼ିକର ବିକାଶ ପାଇଁ ଆଗାମୀ ଚାରି ବର୍ଷରେ ୫,୯୧୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ୩,୭୦୦ କୋଟି ଟଙ୍କା କେନ୍ଦ୍ର ସରକାର ଏବଂ ୨,୨୧୧ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ। କେନ୍ଦ୍ର ସରକାର ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନ ସମ୍ପର୍କିତ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏଥିରୁ ଓଡ଼ିଶାକୁ ୮୮.୭୩ କୋଟି ଟଙ୍କା ମିଳିବ। ଏଥିପାଇଁ ଓଡିଶା ସମେତ ୭ଟି ରାଜ୍ୟକୁ ଚଳିତ ଆର୍ଥିକ ବର୍ଷରୁ ୧,୨୧୩.୫୭ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ନିକଟରେ କେନ୍ଦ୍ର ପଞ୍ଚାୟତିରାଜ ସଚିବ ସୁନୀଲ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ଦ୍ବାରା ୨୦୨୨-୨୩ ରୁ ୨୦୨୫-୨୬ ପର୍ଯ୍ୟନ୍ତ ସଂଶୋଧିତ ଆରଜିଏଏସଏର ଉପରେ ଖର୍ଚ୍ଚ ବିଷୟରେ ଆଲୋଚନା ହୋଇଥିଲା। କମିଟିରେ ଓଡିଶା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ସିକିମ୍ ପାଇଁ ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ପଞ୍ଚାୟତଗୁଡିକର ବିକାଶ ପାଇଁ ପଞ୍ଚାୟତିରାଜ ସଂସ୍ଥାର ପ୍ରତିନିଧିମାନଙ୍କକୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏଥି ପାଇଁ ନୂଆ ମଡ୍ୟୁଲ ପ୍ରସ୍ତୁତ କରାଯାଇଛି। ରାଜ୍ୟମାନଙ୍କର ପ୍ରସ୍ତାବ ଅନୁସାରେ ନୂଆ ପଞ୍ଚାୟତ ଭବନଗୁଡିକର ନିର୍ମାଣ, କମନ ସର୍ଭିସ ସେଣ୍ଟର(ସିଏସସି)ର ସ୍ଥାପନା ତଥା ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣର ବନ୍ଦୋବସ୍ତ କରାଯିବ।
Follow Us