ଏପ୍ରିଲ୍‌ରୁ ହଟିବ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି, ପୁରୁଣା ସ୍ଥାନରେ ଆସିବ ନୂଆ ଗାଡ଼ି

Advertisment
ଏପ୍ରିଲ୍‌ରୁ ହଟିବ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି, ପୁରୁଣା ସ୍ଥାନରେ ଆସିବ ନୂଆ ଗାଡ଼ି

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ୍‌ ୧ରୁ ରାସ୍ତାରୁ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି ହଟିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ, ପରିବହନ ନିଗମ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଖରେ ଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ବିଶେଷ କରି ବସ୍‌ ଓ କାର୍‌ଗୁଡ଼ିକୁ ହଟାଯିବ। ସେହି ସ୍ଥାନରେ ନୂଆ ଗାଡ଼ି ଅଣାଯିବ ବୋଲି ସେ କହିଛନ୍ତି।

ଗାଡ଼ି ଜନିତ ପ୍ରଦୂଷଣକୁ କମ୍ କରିବା ଲାଗି ସରକାର ବିଭିନ୍ନ ବିକଳ୍ପ ଉପରେ କାମ କରୁଛନ୍ତି। ଇଥାନଲ୍‌, ମିଥାନଲ୍, ବାୟୋ-ସିଏନଜି, ବାୟୋ-ଏଲ୍‌ଏନ୍‌ଜିର ବ୍ୟବହାର ବଢ଼ାଇବା ଓ ଇଲେକ୍ଟ୍ରିକ୍ ଗାଡ଼ି କିଭଳି ଅଧିକ ସଂଖ୍ୟାରେ ଗଡ଼ିବ ତାହା ଉପରେ ସରକାର ଜୋର ଦେଉଛନ୍ତି। ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ିଗୁଡ଼ିକୁ ହଟାଇବା ଦ୍ବାରା ଯାନ ଜନିତ ପ୍ରଦୂଷଣ ଅନେକାଂଶରେ ହ୍ରାସ ପାଇବ ବୋଲି ଗଡ଼କରୀ କହିଛନ୍ତି। ଏଭଳି ପୁରୁଣା ଗାଡ଼ିଗୁଡ଼ିକର ପଞ୍ଜୀକରଣ ରଦ୍ଦ କରାଯିବ ଏବଂ ସେଗୁଡ଼ିକୁ ସ୍କ୍ରାପ୍‌ରେ ପରିଣତ କରାଯିବ। ସଶସ୍ତ୍ର କିମ୍ବା ସ୍ବତନ୍ତ୍ର ଗାଡ଼ି ଯାହା ପ୍ରତିରକ୍ଷା କାର୍ଯ୍ୟରେ କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତ ଓ ଆଭ୍ୟନ୍ତରୀଣ ନିରାପତ୍ତା ମୁକାବିଲା ଦିଗରେ ବ୍ୟବହାର ହେଉଛି ସେଭଳି ଗାଡ଼ି ପାଇଁ ଏହି ନିଷ୍ପତ୍ତି ଲାଗୁ ହେବନାହିଁ।

୨୦୭୦ ସୁଦ୍ଧା ନେଟ୍ ଜିରୋ କାର୍ବନ ଲକ୍ଷ୍ୟ ହାସଲ କରିବା ଲାଗି ପରିବହନ କ୍ଷେତ୍ରରୁ ନିର୍ଗମନ ହେଉଥିବା ଅଙ୍ଗାରକାମ୍ଳକୁ ତୁରନ୍ତ ହ୍ରାସ କରିବାକୁ ପଡ଼ିବ। ସେଥିପାଇଁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଲାଇବାକୁ ହେବ ଏବଂ ବ୍ୟକ୍ତିଗତ ଗାଡ଼ି ବ୍ୟବହାରକୁ ନିରୁତ୍ସାହିତ କରିବାକୁ ପଡ଼ିବ ବୋଲି ଗଡ଼କରୀ କହିଛନ୍ତି। ଦେଶରେ ବିଏସ୍‌-୬ ମାନଦଣ୍ଡ ପୂରଣ କରୁଥିବା ଫ୍ଲେକ୍ସ ଗାଡ଼ି ତିଆରି କରିବା ଲାଗି ଗାଡ଼ି କଂପାନିଗୁଡ଼ିକୁ ମଧ୍ୟ ସେ କହିଛନ୍ତି। ପରିବହନ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରି ସେ କହିଛନ୍ତି ଯେ ଚୀନ୍‌ରେ ଲଜି‌ଷ୍ଟିକ୍ସ ଖର୍ଚ୍ଚ ହାର ୮-୧୦ ପ୍ରତିଶତ, ୟୁରୋପୀୟ ଦେଶଗୁଡ଼ିକରେ ୧୨ ପ୍ରତିଶତ, ଆମେରିକାରେ ୧୨ ପ୍ରତିଶତ ଥିବା ବେଳେ ଭାରତରେ ତାହା ୧୪-୧୬ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ଏହି ହାରକୁ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ଅର୍ଥାତ ୧୦ ପ୍ରତିଶତ ତଳକୁ ହ୍ରାସ କରିବା ଲାଗି ଆମର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe