ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ୍ ଗାଡ଼ି ବା ଇଭିର ଗ୍ରହଣୀୟତା ବୃଦ୍ଧି ପାଉଛି। ମାସକୁ ହାରହାରି ୯୦ ହଜାର ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି ହେଉଛି। ଯଦି ଏହି ଧାରା ବଜୟ ରହିବ ତେବେ ୨୦୨୩-୨୪ରେ ଇଭି ବିକ୍ରି ୨୦ ଲକ୍ଷରୁ ଅଧିକ ହୋଇଯିବ ବୋଲି ଅନୁମାନ କରାଯାଉଛି। ଦେଶରେ ଦୁଇଚକିଆ ଓ ତିନି ଚକିଆ ଇଭି ଅଧିକ ବିକ୍ରି ହେଉଛି। ପ୍ରତି ମାସରେ ବିଭିନ୍ନ କଂପାନିର ନୂଆ ନୂଆ ମଡେଲ୍ ଆସିବା ଓ ଚାର୍ଜିଂ ପଏଣ୍ଟ୍ ସଂଖ୍ୟା ବଢ଼ିବା ସହ ଗାଡ଼ି ଚଲାଇବା ଖର୍ଚ୍ଚ କମ୍ ହୋଇଥିବାରୁ ଲୋକମାନେ ଇଭି କିଣିବାକୁ ଆଗ୍ରହ ଦେଖାଇଛନ୍ତି।
ବାହନ ୱେବସାଇଟ୍ ତଥ୍ୟ ଅନୁସାରେ ମାସିକ ଇଭି ପଞ୍ଜୀକରଣ ସଂଖ୍ୟା ୮୪ ହଜାରରୁ ଅଧିକ ରହିଛି। ଗତ ଫେବ୍ରୁଆରିରେ ୧ ଲକ୍ଷ ୫ ହଜାରରୁ ଅଧିକ ଇଭି ବିକ୍ରି ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ୬,୯୦,୦୦୦ରୁ ଅଧିକ ଦୁଇଚକିଆ ଇଭି ଓ ୩,୭୨,୦୦୦ରୁ ଅଧିକ ତିନିଚକିଆ ଇଭି ବିକ୍ରି ହେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ୨୦୨୩ର ପ୍ରଥମ ତିନି ମାସରେ ଦେଶରେ ୨ ଲକ୍ଷ ୭୮ ହଜାର ଇଭି ବିକ୍ରି ହୋଇଛି।
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ସଂସଦରେ ସୂଚନା ଦେଇଛନ୍ତି ଯେ ୨୦୨୧ରେ ୩ ଲକ୍ଷ ୨୯ ହଜାର ଇଭି ବିକ୍ରି ହୋଇଥିଲା। ୨୦୨୨ରେ ସେଥିରେ ଦୁଇ ଗୁଣାରୁ ଅଧିକ ବୃଦ୍ଧି ଘଟି ୧୦.୨୦ ଲକ୍ଷ ଇଭି ବିକ୍ରି ହୋଇଥିଲା। ସେ କହିଛନ୍ତି ଯେ ସ୍କ୍ରାପିଂ ନୀତି ଲାଗୁ ହେବା ପରଠାରୁ ଗତବର୍ଷ ଜାନୁଆରିରୁ ଚଳିତ ବର୍ଷ ମାର୍ଚ୍ଚ ୨୦ ଭିତରେ ୮,୨୨୦ଟି ପୁରୁଣା ଗାଡ଼ି ସ୍କ୍ରାପ୍ କରାଯାଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୬,୨୪୭ଟି ଗାଡ଼ି ସ୍କ୍ରାପ୍ କରାଯାଇଥିବା ବେଳେ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଥିବା ଗୁଜରାଟରେ ୧,୨୪୪ଟି ଓ ତୃତୀୟ ସ୍ଥାନରେ ଥିବା ଆସାମରେ ୩୫୭ଟି ଗାଡ଼ିକୁ ସ୍କ୍ରାପ୍ କରାଯାଇଛି। ଭାରି ଶିଳ୍ପ ରାଷ୍ଟ୍ରମନ୍ତ୍ରୀ କ୍ରିଷ୍ଣନ ପାଲ୍ ଗୁର୍ଜର କହିଛନ୍ତି ଯେ ସର୍ବାଧିକ ଇଭି ଉତ୍ତରପ୍ରଦେଶରେ ଚାଲୁଛି। ଏହା ପଛକୁ ରହିଛନ୍ତି ମହାରାଷ୍ଟ୍ର ଓ ଦିଲ୍ଲୀ।
Follow Us