ଏଲ୍‌ଆଇସିର ୨୫% ଅଂଶଧନ ବିକ୍ରି ହେବ: ପର୍ଯ୍ୟାୟକ୍ରମେ ବିକ୍ରି ହେବ, ଷ୍ଟକ ବଜାରର ଭଲ ସ୍ଥିତିକୁ ଅପେକ୍ଷା

Advertisment

କ୍ୟାବିନେଟ୍‌ରେ ପ୍ରସ୍ତାବ ଉପସ୍ଥାପନ କରାଯିବ

କ୍ୟାବିନେଟ୍‌ରେ ପ୍ରସ୍ତାବ ଉପସ୍ଥାପନ କରାଯିବ

ଏଲ୍‌ଆଇସିର ୨୫ ହଜାର କୋଟି ପ୍ରିମିୟମ୍‌ ଆୟ, ୨୦୧୯-୨୦ରେ ୫୧ ହଜାର କୋଟିର ବୋନସ ପ୍ରଦାନ

BloombergQuint

ନୂଆଦିଲ୍ଲୀ: ସରକାରୀ ଜୀବନ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ୨୫% ଅଂଶଧନ ବିକ୍ରି କରିବା ଉପରେ ସରକାର ବିଚାର କରୁଛନ୍ତି। ଏଥିପାଇଁ କ୍ୟାବିନେଟ୍ ଅନୁମୋଦନ ଲୋଡ଼ାଯିବ। କରୋନା ମହାମାରୀ ପ୍ରଭାବରେ ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ବଜେଟ୍‌ରେ ଯେଉଁ ନିଅଣ୍ଟ ଦେଖାଦେଇଛି ତାହାକୁ ଏଲ୍‌ଆଇସିର ଅଂଶଧନ ବିକ୍ରି ଜରିଆରେ ଭରଣା କରିବା ଉପରେ ସରକାର ବିଚାର କରୁଛନ୍ତି। ଯେଉଁ ଆଇନ ଅନୁଯାୟୀ ଏଲ୍‌ଆଇସିକୁ ସ୍ଥାପନ କରାଯାଇଛି ସେଥିରେ ସରକାର ପରିବର୍ତ୍ତନ ଆଣିବାକୁ ଚାହୁଛନ୍ତି। ତେବେ ଯେତେବେଳେ ଷ୍ଟକ ବଜାରରେ ସ୍ଥିତି ବହୁତ ଭଲ ଥିବ ସେହି ସମୟରେ ଏଲ୍‌ଆଇସିର ଅଂଶଧନ ବିକ୍ରି କରାଯିବ ବୋଲି ଜଣାପଡ଼ିଛି। ଏକସଙ୍ଗେ ଏତେ ଅଧିକ ପରିମାଣର ‌ସେୟାର ବିକ୍ରି ହେବ ନାହିଁ। ପର୍ଯ୍ୟାୟକ୍ରମେ ୨୫% ସେୟାର ବିକ୍ରି କରାଯିବ।

ଏଲ୍‌ଆଇସି ଅଂଶଧନ ବିକ୍ରିରୁ ଯେଉଁ ଟଙ୍କା ମିଳିବ ତାହା ଜରିଆରେ ସରକାର ବିତ୍ତୀୟ ନିଅଣ୍ଟର ମୁକାବିଲା କରିବାକୁ ଚାହୁଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩.୫ ପ୍ରତିଶତ ଭିତରେ ରଖିବାକୁ ସରକାର ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମାତ୍ର କରୋନା ମହାମାରୀ ପ୍ରଭାବରେ ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଏହି ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇପଡ଼ିବ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ହାର ୨୩.୯ ପ୍ରତିଶତ ହ୍ରାସ ପାଇବା ପରେ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଯେତେବେଳେ ସରକାରଙ୍କ ଆୟ ଠାରୁ ବ୍ୟୟ ଅଧିକ ହୋଇଯାଏ ସେତେବେଳେ ବିତ୍ତୀୟ ନିଅଣ୍ଟ ଦେଖାଦିଏ। ଯେଉଁ ଦେଶର ବିତ୍ତୀୟ ନିଅଣ୍ଟ ଯେତେ‌ କମ୍ ତାହା ସେତେ ଦୃଢ଼ ବୋଲି ବିଚାର କରାଯାଏ।

ଏଲ୍‌ଆଇସି ଅଂଶଧନ ବିକ୍ରିରେ ସାହାଯ୍ୟ କରିବା ଲାଗି ସରକାର ଡିଲୋଇଟି ଟଚ ଟୋମାସୁ ଇଣ୍ଡିଆ ଲିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍‌ ମାର୍କେଟସ୍‌ ଲିମିଟେଡ୍‌କୁ ନିଯୁକ୍ତ କରିଛନ୍ତି। ଏହି ଦୁଇ ସଂସ୍ଥା ଏଲ୍‌ଆଇର ପୁଞ୍ଜି ଢାଞ୍ଚା ଆକଳନ କରିବାରେ ସାହାଯ୍ୟ କରିବେ ଏବଂ କଂପାନିର ଆର୍ଥିକ ହିସାବ କିଭଳି ପ୍ରସ୍ତୁତ ହେବ ତାହା ଜଣାଇବେ। କଂପାନିର କେତେ ପରିମାଣର ଅଂଶଧନ ବିକ୍ରି କରାଯିବ ତାହା ଏକ ମନ୍ତ୍ରୀ ଗୋଷ୍ଠୀ ନିର୍ଧାରଣ କରିବ। କଂପାନିର ପୁଞ୍ଜି ଢାଞ୍ଚାରେ ପରିବର୍ତ୍ତନ ନିଷ୍ପତ୍ତି କ୍ୟାବିନେଟ୍‌ରେ ଗ୍ରହଣ କରାଯିବ। ଏଲ୍‌ଆଇସିର ଅଂଶଧନ ବିକ୍ରି କରିବା ବିଷୟରେ ଚଳିତ ବର୍ଷ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। କିନ୍ତୁ ଏହା ଉପରେ ଅଧିକ ବିବରଣୀ ଦେଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe