Image Source: The Hindu
ମୁମ୍ବାଇ: ଚଳିତ ଆର୍ଥିକ ବର୍ଷ ଶେଷ ଅର୍ଥାତ୍ ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ନମ୍ବରକୁ ଯୋଡ଼ିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କଡ଼ା ନିର୍ଦେଶ ଦେଇଛନ୍ତି। ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ (ଆଇବିଏ)ର ୭୩ତମ ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ ସୀତାରମଣ ଏପରି ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟ ଶେଷ ହୋଇନାହିଁ। ବ୍ୟାଙ୍କଗୁଡ଼ିକୁ ଏହି କାର୍ଯ୍ୟକୁ ଏବେ ବି ଆଗେଇ ନେବାକୁ ପଡ଼ିବ। ଅନେକ ବ୍ୟାଙ୍କ ଆକାଉଣ୍ଟ ରହିଛି ଯେଉଁଗୁଡ଼ିକରେ ଆଧାର ସଂଲଗ୍ନ ହୋଇନାହିଁ। ତେଣୁ ଆସନ୍ତା ମାର୍ଚ ୩୧ ସୁଦ୍ଧା ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ପାନ୍ ନମ୍ବର ଯୋଡ଼ିବା ଆବଶ୍ୟକ ତାହା କରିବା ସହିତ ପ୍ରତ୍ୟେକ ଆକାଉଣ୍ଟ ସହିତ ଆଧାର ନମ୍ବର ଯୋଡ଼ିବା ଲାଗି ସେ କହିଛନ୍ତି। ଏଥିସହିତ ବ୍ୟାଙ୍କଗୁଡ଼ିକ ଅଣ ଡିଜିଟାଲ କାରବାରକୁ ନିରୁତ୍ସାହିତ କରିବା ଆବଶ୍ୟକ। ଦେଶରେ ଡିଜିଟାଲ କାରବାର ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବା ସହିତ ୟୁପିଆଇ ମାଧ୍ୟମରେ ପେମେଣ୍ଟକୁ ଉତ୍ସାହିତ କରିବା ଉଚିତ ବୋଲି ସେ କହିଛନ୍ତି। ସେହିଭଳି ବ୍ୟାଙ୍କଗୁଡ଼ିକ ମଧ୍ୟ ରୁପେ କାର୍ଡକୁ ପ୍ରୋତ୍ସାହନ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି।
Follow Us