ନୂଆଦିଲ୍ଲୀ : ମେ’ ମାସର ପ୍ରଥମ ସପ୍ତାହ ଶେଷ ହେବାକୁ ବସିଛି। ଏହି ସମୟରେ ଦେଶରେ ତାପମାତ୍ରା ଅଧିକ ରହିଥାଏ। ଲୋକମାନେ ଗରମରେ ଆଉଟୁପାଉଟୁ ହୋଇଥାନ୍ତି। ତାତି ଏବଂ ଗରମରୁ ରକ୍ଷା ପାଇଁ ଲୋକମାନେ ଏସି, ଫ୍ରିଜ, ଆଇସକ୍ରିମ ସମେତ ମୃଦୁପାନୀୟ ଭଳି ସାମଗ୍ରୀ କିଣିଥାନ୍ତି। କିନ୍ତୁ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଗ୍ରୀଷ୍ମ ଋତୁ ପୂର୍ବରୁ ଫେବ୍ରୁଆରି ମାସରେ ଦେଶରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା। ତେଣୁ ଆଶା କରାଯାଉଥିବା ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ ମଧ୍ୟ ଏଭଳି ଗରମ ଲାଗି ରହିବ। କିନ୍ତୁ ଦେଶର ବିଭିନ୍ନ ରାଜ୍ୟରେ ମଝିରେ ମଝିରେ ହେଉଥିବା ଅଦିନିଆ ବର୍ଷା ଏବଂ କେତେକ ରାଜ୍ୟରେ ବରଫପାତ ଯୋଗୁ ତାପମାତ୍ରା କମ୍ ରହୁଛି। ଲୋକେ ଗରମ ଜନିତ ଅସୁବିଧା କମ୍ ଅନୁଭବ କରୁଛନ୍ତି। ଏହାର ପ୍ରଭାବ ଏସି, ଫ୍ରିଜ, ୱାଟର କୁଲର, ଆଇସକ୍ରିମ ଏବଂ ମୃଦୁପାନୀୟ ଭଳି ଉତ୍ପାଦର ବଜାର ଉପରେ ପଡ଼ିଛି। ଫଳରେ ଏସବୁ କମ୍ପାନିର ଅସୁବିଧା ବଢ଼ିଯାଇଛି।
ଲୋକମାନେ ଥଣ୍ଡା ଅନୁଭବ କରିବା ଫଳରେ ଲୋକମାନେ ଏସି, ଫ୍ରିଜ ଏବଂ କୁଲର ଆଦି କିଣିବାରେ ପଛଘୁଞ୍ଚା ଦେଉଛନ୍ତି।
ଚଳିତବର୍ଷ ମାର୍ଚ୍ଚ ଏବଂ ଏପ୍ରିଲରେ ଏସି ବିକ୍ରି ଉତ୍ତର ଭାରତରେ ପ୍ରାୟତଃ ସ୍ଥିର ରହିଛି। ଅବଶ୍ୟ ଦିଲ୍ଲୀ ଏବଂ ପଞ୍ଜାବ ଭଳି ସ୍ଥାନରେ ଏଥିରେ ହ୍ରାସ ଦେଖାଦେଇଛି। କିନ୍ତୁ ସାରା ଦେଶରେ ଏହାର ବିକ୍ରି ଗତବର୍ଷ ତୁଳନାରେ ୮ରୁ ୧୦ ପ୍ରତିଶତ ବୃଦ୍ଧି ଘଟିଛି। ପୂର୍ବ ଏବଂ ଦକ୍ଷିଣ ଭାରତ ପାଇଁ ଏହା ସମ୍ଭବ ହୋଇଛି। ଜାତୀୟସ୍ତରରେ ରେଫ୍ରିଜରେଟର ବିକ୍ରି ୧୫ ପ୍ରତିଶତ ହ୍ରାସ ଘଟିଥିବାବେଳେ ଉତ୍ତର ଭାରତରେ ଏପ୍ରିଲରେ ଏଥିରେ ୩୦ ପ୍ରତିଶତ ହ୍ରାସ ଘଟିଛି।
ଦେଶରେ ସାଧାରଣତଃ ମାର୍ଚ୍ଚ ମାସରୁ ମୌସୁମୀ ଆସିବା ପର୍ଯ୍ୟନ୍ତ ଗରମ ହୋଇଥାଏ। ଏହି ସମୟରେ ଏସି, ଫ୍ରିଜ ଭଳି ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ ବିକ୍ରି କରୁଥିବା କମ୍ପାନି ସେମାନଙ୍କ ବର୍ଷକ ଯାକର ପାଖାପାଖି ୫୦ ପ୍ରତିଶତ ବିକ୍ରି ହାସଲ କରି ନେଇଥାନ୍ତି। ଆଇସକ୍ରିମ ଓ ମୃଦୁପାନୀୟର ବିକ୍ରି ମଧ୍ୟ ଏହି ଦିନେ ଅଧିକ ରହିଥାଏ। କିନ୍ତୁ ଚଳିତବର୍ଷ ପରିସ୍ଥିତି ଏଭଳି ହୋଇଛି ଏପ୍ରକାର କମ୍ପାନିଗୁଡ଼ିକ ସେମାନଙ୍କ ବାର୍ଷିକ ବିକ୍ରି ଲକ୍ଷ୍ୟ କିଭଳି ହାସଲ କରିବେ ତାହାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ଉତ୍ତର ଭାରତରେ ମାର୍ଚ୍ଚ ମଧ୍ୟଭାଗ ସୁଦ୍ଧା ଏସି, ଫ୍ରିଜ, ମୃଦୁପାନୀୟ ଏବଂ ଆଇସକ୍ରିମ ବିକ୍ରିରେ ୨୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ଉତ୍ତର ଭାରତରେ ଏସବୁ ଖରାଦିନିଆ ସାମଗ୍ରୀର ବିକ୍ରି ଦେଶର ମୋଟ ବିକ୍ରିରେ ୫୦ ପ୍ରତିଶତରୁ ଅଧିକ ରହିଥାଏ।
Follow Us