ଆର୍‌ସିଇପି ପ୍ରସଙ୍ଗରେ ଚୀନ ଗଣମାଧ୍ୟମର ମତ, ସୁଯୋଗ ହାତଛଡ଼ା କଲା ଭାରତ

Advertisment
ଆର୍‌ସିଇପି ପ୍ରସଙ୍ଗରେ ଚୀନ ଗଣମାଧ୍ୟମର ମତ, ସୁଯୋଗ ହାତଛଡ଼ା କଲା ଭାରତ

The Economic Times

ନୂଆଦିଲ୍ଲୀ: ଭିଏତନାମ୍‌ର ରାଜଧାନୀ ହାନୋଇଠାରେ ଗତକାଲି ଆୟୋଜିତ ଆସିଆନ୍‌ର ଭର୍ଚୁଆଲ ସମ୍ମିଳନୀରେ ଚୀନ ନେତୃତ୍ବରେ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ରାଜିନାମା ସ୍ବାକ୍ଷର ହୋଇଯାଇଛି। ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଭାଗିତା(ଆର୍‌ସିଇପି) ନାମରେ ହୋଇଥିବା ଏହି ଚୁକ୍ତି ଦ୍ବାରା ବିଶ୍ବର ସର୍ବବୃହତ୍ ମୁକ୍ତ ବାଣିଜ୍ୟ ଅଂଚଳ ଗଠନ ହୋଇଛି। ଦୀର୍ଘ ଆଠ ବର୍ଷର କଥାବାର୍ତ୍ତା ପରେ ଏହି ରାଜିନାମା ଯଦିଓ ବାସ୍ତବତାର ରୂପ ନେଇଛି ତଥାପି ଏଥିରେ ଦକ୍ଷିଣ ପୂର୍ବ ଏସିଆର ଅନ୍ୟତମ ଆର୍ଥିକ ଶକ୍ତି ଭାରତ ସାମିଲ ହୋଇନାହିଁ। ଏହି ରାଜିନାମାରେ ସ୍ବାକ୍ଷର କଲେ ଚୀନ ବିପୁଳ ପରିମାଣର ଶସ୍ତା ସାମଗ୍ରୀ ଗଦା କରିବ ବୋଲି ଆଶଙ୍କା କରି ଗତବର୍ଷଠାରୁ ଏଥିରେ ସାମିଲ ହେବ ନାହିଁ ବୋଲି ଭାରତ ସ୍ପଷ୍ଟ କରିସାରିଛି। କିନ୍ତୁ ଏହି ରାଜିନାମା ସ୍ବାକ୍ଷର ପରେ ଚୀନର ସରକାରୀ ଗଣମାଧ୍ୟମରେ ବିବୃତିମାନ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଭାରତ ଏକ ବଡ଼ ରଣନୈତିକ ଭୁଲ କରିବା ସହ ଦୀର୍ଘ ମିଆଦୀ ଅଭିବୃଦ୍ଧି ହାସଲ କ୍ଷେତ୍ରରେ ରହିଥିବା ସୁଯୋଗକୁ ହାତଛଡ଼ା କରିଛି।

ଚୀନର ସରକାରୀ ଖବର ସରବରାହ ସଂସ୍ଥା ଜିନୁଆ ପକ୍ଷରୁ କୁହାଯାଇଛି, ଆରସିଇପି ରାଜିନାମା ଅଧୀନରେ ବିଶ୍ବର ୨୨୦ କୋଟି ଲୋକଙ୍କୁ ନେଇ ଏକ ମୁକ୍ତ ବାଣିଜ୍ୟ ଅଞ୍ଚଳ ସୃଷ୍ଟି ହୋଇଛି। ବିଶ୍ବ ଜନସଂଖ୍ୟାର ଏହା ପ୍ରାୟ ୩୦ ପ୍ରତିଶତ। ସେହିଭଳି ଏସବୁ ଦେଶଗୁଡ଼ିକର ମୋଟ ଘରୋଇ ଉତ୍ପାଦ (ଜିଡିପି) ରାଶି ହେଉଛି ୨୬.୨ ଲକ୍ଷ କୋଟି ଡଲାର ବା ବିଶ୍ବ ଜିଡିପିର ପ୍ରାୟ ୩୦ ପ୍ରତିଶତ। ଏହି ରାଜିନାମାକୁ ଜିନୁଆ ପ୍ରଶଂସା କରିଛି। ପୂର୍ବ ଏସୀୟ ଆଞ୍ଚଳିକ ସହଯୋଗ କ୍ଷେତ୍ରରେ ଏହା ଏକ ବିଶାଳ ବା ସ୍ମରଣୀୟ ସଫଳତା। ଅଧିକନ୍ତୁ ଏହା ହେଉଛି ବହୁପାକ୍ଷିକ ବ୍ୟବସ୍ଥା ଓ ମୁକ୍ତ ବାଣିଜ୍ୟର ବିଜୟ ବୋଲି ଜିନୁଆ କହିଛି।

ବିଶ୍ବର ଦୁଇ ପ୍ରମୁଖ ଦେଶ ଯଥା ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ଏହି ରାଜିନାମାର ଅଂଶବିଶେଷ ହୋଇନାହାନ୍ତି। ତେବେ ପ୍ରାଥମିକ ପର୍ଯ୍ୟାୟରେ ହୋଇଥିବା ଆଲୋଚନାରେ ଏହି ଦୁଇ ଦେଶ ସାମିଲ ହୋଇଥିଲେ। ଭାରତର ଏଭଳି ନିଷ୍ପତ୍ତିକୁ ଚୀନର ଦକ୍ଷିଣ ଏସୀୟ ରାଷ୍ଟ୍ର ବିଶେଷଜ୍ଞମା‌ନେ ସମାଲୋଚନା କରିଛନ୍ତି। ଭାରତ ସରକାରଙ୍କ ଯୁକ୍ତି ହେଲା ଏହି ଚୁକ୍ତିରେ ଚୀନ ସୁବିଧାଜନକ ସ୍ଥିତିରେ ରହିଛି। ଚୀନ ସହିତ ଭାରତର ବାଣିଜ୍ୟିକ ନିଅଣ୍ଟ ବହୁ ଅଧିକ ଥିବାବେଳେ ଏହା ବୃଦ୍ଧି ମଧ୍ୟ ପାଉଛି। ତେଣୁ ଭାରତ ଏହି ରାଜିନାମାରେ ସାମିଲ ନହେବାର କାରଣ ହେଲା ଭାରତ ଅସୁବିଧାଜନକ ସ୍ଥିତିରେ ରହିବ ବୋଲି ଭାବିଛି। ସାଂଘାଇ ଇନଷ୍ଟିଚ୍ୟୁଟ୍ସ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ର ଚୀନ- ଦକ୍ଷିଣ ଏସିଆ ସହଯୋଗ ଉପରେ ଗବେଷଣା କରୁଥିବା ଲିଉ ଜୋଙ୍ଗୟି ଗଣମାଧ୍ୟମରେ ଲେଖିଛନ୍ତି। ତେବେ ସେ ଏହା ମଧ୍ୟ ଲେଖିଛନ୍ତି ଭାରତରେ କେତେକ ସ୍ବାର୍ଥାନ୍ବେଷୀ ଗୋଷ୍ଠୀ ଯୋଗୁ ଏହା ହୋଇ ପାରିନାହିଁ। ଏହି ଗୋଷ୍ଠୀ ସେମାନଙ୍କ ସ୍ବାର୍ଥ ପାଇଁ ଭାରତକୁ ଉକ୍ତ ରାଜିନାମାରେ ସାମିଲ କରାଇ ଦେଲେ ନାହିଁ। ସେହିଭଳି ସିଂଘୁଆ ବିଶ୍ବବିଦ୍ୟାଳୟର ନ୍ୟାସନାଲ ଷ୍ଟ୍ରାଟେଜି ଇନଷ୍ଟିଚ୍ୟୁଟର ଗବେଷଣା ବିଭାଗ ନିର୍ଦ୍ଦେଶକ କ୍ବିଆନ ଫେଙ୍ଗ୍ କହିଛନ୍ତି ଯେ, ଅର୍ଥନୈତିକ ବିକାଶରେ ସୁଧାର ଆଣିବା ପାଇଁ ରହିଥିବା ସୁଯୋଗକୁ ଭାରତ ହାତଛଡ଼ା କରିଛି। ଗ୍ଲୋବାଲ ଟାଇମ୍ସରେ ସେ ଏହା ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe