Times of India
ନୂଆଦିଲ୍ଲୀ: ଆଦାନି ଗ୍ରୁପ୍ ଅଧୀନରେ ଥିବା ସମ୍ପତ୍ତିଗୁଡ଼ିକୁ ଜାତୀୟକରଣ କରି କେନ୍ଦ୍ର ସରକାର ସେଗୁଡ଼ିକୁ ନିଲାମ କରାଯାଉ। ସେଥିରୁ ଯେଉଁ ଟଙ୍କା ମିଳିବ ତାହାକୁ କ୍ଷତିଗ୍ରସ୍ତ ଲୋକଙ୍କ ଭିତରେ ବଣ୍ଟାଯାଉ ବୋଲି ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟନ ସ୍ବାମୀ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସାଧାରଣରେ ଏକ ଧାରଣା ରହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଲୁଚାଉଛନ୍ତି। ତେଣୁ ଏହି ଘଟଣାରେ ଦଣ୍ଡବିଧାନ କରିବା ସରକାରଙ୍କ କାମ ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୨୦୨୩-୨୪ ବଜେଟ୍ ସମ୍ପର୍କରେ ମତ ରଖି ସେ ତାହାକୁ ଏକ ଫମ୍ପା ବଜେଟ୍ ବୋଲି କହିଛନ୍ତି।
ସରକାରଙ୍କ ଲକ୍ଷ୍ୟ କ’ଣ ତାହା ବଜେଟ୍କୁ ଦେଖିଲେ ଜଣାପଡ଼ୁନି। ବଜେଟ୍ରେ କୁହାଯାଇଛି ଯେ ଆସନ୍ତା ବର୍ଷ ଅଭିବୃଦ୍ଧି ୬.୫% ହେବ। ଯଦି ୨୦୧୯ରୁ ଆଜିପର୍ଯ୍ୟନ୍ତ ଅଭିବୃଦ୍ଧି ହାର ୩-୪ % ରହିଛି ତାହା ୬% କିଭଳି ହେବ? ବଜେଟ୍ରେ କୃଷି, ଶିଳ୍ପ କିମ୍ବା ସେବା କ୍ଷେତ୍ରକୁ ନିର୍ଦିଷ୍ଟ ଭାବେ ଅଗ୍ରାଧିକାର ଦିଆଯାଇନାହିଁ। ସରକାରଙ୍କ ରଣନୀତି କ’ଣ ବୁଝାପଡ଼ୁନି। ଯେତେବେଳେ ଚୀନ୍ ଆମକୁ ଡରାଉଛି ସେଭଳି ସମୟରେ ପ୍ରତିରକ୍ଷା ବ୍ୟୟବରାଦ ହ୍ରାସ କରାଯାଇଛି। କେଉଁଠାରୁ ସମ୍ବଳ ଆସିବ ତାହା ମଧ୍ୟ ସ୍ପଷ୍ଟ ହୋଇନି ବୋଲି ଶ୍ରୀ ସ୍ବାମୀ କହିଛନ୍ତି।
Follow Us