ଏଲ୍‌ଆଇସି ମୁଖ୍ୟ ସିଦ୍ଧାର୍ଥଙ୍କ ସାମ୍ନାରେ ଆଦାନି ଆହ୍ବାନ

Advertisment
ଏଲ୍‌ଆଇସି ମୁଖ୍ୟ ସିଦ୍ଧାର୍ଥଙ୍କ ସାମ୍ନାରେ ଆଦାନି ଆହ୍ବାନ

ନୂଆଦିଲ୍ଲୀ: ସରକାରୀ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଓଡ଼ିଶାର ସିଦ୍ଧାର୍ଥ ମହାନ୍ତି ଆସନ୍ତାକାଲିଠାରୁ କାର୍ଯ୍ୟ କରିବେ। ତିନି ମାସ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି। ସେ ଏଭଳି ଏକ ସମୟରେ କଂପାନିର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି ଯେତେବେଳେ ଶିଳ୍ପପତି ଗୌତମ ଆଦାନିଙ୍କ କଂପାନିରେ ନିବେଶକୁ ନେଇ ଏଲ୍‌ଆଇସିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।

କଂପାନିର ନିବେଶ ରଣନୀତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଦାନି ଗ୍ରୁପ୍‌ରେ କଂପାନି ଯେଉଁ ବଡ଼ ଧରଣର ନିବେଶ କରିଛି ତାହାକୁ ସମାଲୋଚନା କରାଯାଉଛି। ଆମେରିକାର ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନି ଗ୍ରୁପ୍ ବିରୋଧରେ ସେୟାର ମୂଲ୍ୟରେ ହେରଫେର, ଆକାଉଣ୍ଟ୍‌ ଜାଲିଆତି, ଜାଲ୍ କଂପାନି ଗଠନ ଭଳି ସଙ୍ଗିନ ଅଭିଯୋଗ ଆଣିଥିଲା। ଏହି ରିପୋର୍ଟ ପରେ ଆଦାନି ଗ୍ରୁପ୍‌ର ବିଭିନ୍ନ ସଂସ୍ଥାର ସେୟାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଇଥିଲା। ଗତ କିଛି ଦିନ ହେଲାଣି ଆଦାନିର ସେୟାର ମୂଲ୍ୟ ପୁଣି ଥରେ ବଢ଼ିବା ଆରମ୍ଭ ହୋଇଛି। ଫଳରେ ଆଦାନି କଂପାନିଗୁଡ଼ିକରେ ଏଲ୍‌ଆଇସି ଯେଉଁ ନିବେଶ କରିଥିଲା ତାହାର ମୂଲ୍ୟରେ ସୁଧାର ହେଉଛି। ଅଳ୍ପ ଦିନ ପାଇଁ ଅଧ୍ୟକ୍ଷ ଦାୟିତ୍ବ ତୁଲାଇବାକୁ ଯାଉଥିବା ଶ୍ରୀ ମହାନ୍ତିଙ୍କ ପାଇଁ ଏହା ନିଶ୍ଚିତ ରୂପେ ଏକ ବଡ଼ ଆହ୍ବାନ ହୋଇରହିବ।

୧୯୮୫ରେ ଏଲ୍‌ଆଇସିର ଜଣେ ଡାଇରେକ୍ଟ ରିକ୍ରୁଟ୍ ଅଫିସର ଭାବେ ଯୋଗ ଦେଇଥିବା ଶ୍ରୀ ମହାନ୍ତିଙ୍କୁ ୨୦୨୧ ‌ଫେବ୍ରୁଆରିରେ ପରିଚାଳନା ନିର୍ଦେଶକକୁ ପଦୋନ୍ନତି ମିଳିଥିଲା। ଚାରି ଜଣ ପରିଚାଳନା ନିର୍ଦେଶକଙ୍କ ମଧ୍ୟରୁ ସେ ଥିଲେ ଜଣେ। ଏଲ୍‌ଆଇସିର ଏମ୍‌ଡି ହେବା ପୂର୍ବରୁ ସେ ଏଲ୍‌ଆଇସି ହାଉସିଂ ଫାଇନାନ୍ସର ଏମ୍‌ଡି ଓ ସିଇଓ ଭା‌ବେ କାମ କରିଥିଲେ। ତା’ପୂର୍ବରୁ ସେ କଂପାନିର ଚିଫ୍‌ ଅପରେଟିଂ ଅଫିସର ଥିଲେ। ମାର୍କେଟିଂ, ମାନବ ସମ୍ବଳ, ନିବେଶ ଓ ଆଇନ ଭଳି ଚାରିଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସେ ସଫଳତାର ସହ ନିଜ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରିଛନ୍ତି। ଆର୍ଥିକ ସେବା କ୍ଷେତ୍ରରେ ତାଙ୍କର ଚାରି ଦଶଦ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe