ଆଦାନି ଗ୍ରୁପ୍ ହରାଇଲା ୨୦,୧୫୦ କୋଟି

Advertisment
ଆଦାନି ଗ୍ରୁପ୍ ହରାଇଲା ୨୦,୧୫୦ କୋଟି

ମୁମ୍ବାଇ: ଗତ ସପ୍ତାହରେ ହିଣ୍ଡେନ୍‌ବର୍ଗ ଜାରି କରିଥିବା ନୂଆ ରିପୋର୍ଟର ପ୍ରଭାବ ଆଜି ଷ୍ଟକ୍ ବଜାର କାରବାରରେ ପ୍ରତିଫଳିତ ହୋଇଥିଲା। କାରବାର ଆରମ୍ଭ ହେବା ପରେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା ଶିଳ୍ପପତି ଗୌତମ ଆଦାନିଙ୍କ କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ହ୍ରାସ ଘଟିଥିଲା। ଏକ ସମୟରେ ତାଙ୍କ କମ୍ପାନିଗୁଡ଼ିକର ମୋଟ୍ ବଜାର ପୁଞ୍ଜିରେ ୫୩ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ମାତ୍ର କାରବାର ଶେଷ ବେଳକୁ ସେଥିରେ ସୁଧାର ଘଟିଥିଲା। ମୋଟ ଉପରେ ଆଜି ଆଦାନି ଗ୍ରୁପ୍‌ର ବିଭିନ୍ନ କମ୍ପାନି ୨୦,୧୫୦ କୋଟି ଟଙ୍କା ହରାଇଛନ୍ତି। ଆଜି ଆଦାନି ଗ୍ରୁପ୍‌ର କମ୍ପାନି ଆଦାନି ଏଣ୍ଟରପ୍ରାଇଜେସ୍‌ର ସେୟାର ମୂଲ୍ୟ ୧.୧ ପ୍ରତିଶତ କମିଥିବା ବେଳେ ଆଦାନି ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌, ଆଦାନି ଟୋଟାଲ୍ ଗ୍ୟାସ୍‌, ଆଦାନି ପାୱାର, ଆଦାନି ୱିଲ୍‌ମାର୍‌, ଆଦାନି ଏନର୍ଜି ସଲ୍ୟୁସନ୍ସର ସେୟାର ମୂଲ୍ୟରେ ୦.୬ ପ୍ରତିଶତରୁ ୪.୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ଆଦାନି ଗ୍ରିନ୍‌ ସେୟାର ମୂଲ୍ୟ କିନ୍ତୁ ୧ ପ୍ରତିଶତ ବଢ଼ିଛି। ତେବେ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରଭାବରେ ଷ୍ଟକ୍ ବଜାରରେ ଯେଉଁଭଳି ଝଡ଼ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲା ତାହା ଦେଖିବାକୁ ମିଳିନାହିଁ।

ଆଜି କାରବାର ଆରମ୍ଭ ବେଳକୁ କିଛିଟା ଅସ୍ଥିରତା ରହିଥିଲା। ମାତ୍ର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୫୭ ପଏଣ୍ଟ ହ୍ରାସ ପାଇ ୭୯୬୪୮ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୨୦ ପଏଣ୍ଟ ହ୍ରାସ ପାଇ ୨୪୩୪୭ ପଏଣ୍ଟରେ ବନ୍ଦ ହୋଇଛି। ବିଶେଷଜ୍ଞଙ୍କ ମତରେ ମନ୍ଦ ଉଦ୍ଦେଶ୍ୟ ରଖି ହିଣ୍ଡେନବର୍ଗ ରିପୋର୍ଟ ଜାରି କରୁଥିବା ନିବେଶକମାନେ ଜାଣିପାରିଛନ୍ତି। ତେଣୁ‌ ସେମାନେ ବଜାରରେ ହେଉଥିବା ଚର୍ଚ୍ଚାକୁ ବିଶେଷ ଗୁରୁତ୍ବ ନଦେଇ ମୁଳଦୁଆ ଦୃଢ଼ ଥିବା କମ୍ପାନିରେ ନିବେଶ କରିବା ଉପରେ ଧ୍ୟାନ ଦେଉଛନ୍ତି। ସେଥିପାଇଁ ଏଥର ବଜାରରେ ବିଶେଷ ଅସ୍ଥିରତା‌ ଦେଖିବାକୁ ମିଳିନାହିଁ। ଆଦାନି ଗ୍ରୁପ୍ ଓ ହିଣ୍ଡେନବର୍ଗ ମଧ୍ୟରେ ଲଢ଼େଇ ୧୮ ମାସ ପୂର୍ବରୁ ଆରମ୍ଭ ହୋଇଛି। ୨୦୨୩ ଜାନୁଆରି ୨୪ରେ ଏହା ଆଦାନି ଗ୍ରୁପ୍‌ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe