କରୋନା ମୁକାବିଲା: ଏଡିବି ଦେବ ୧୬,୫୦୦ କୋଟିର ସହାୟତା

Advertisment
କରୋନା ମୁକାବିଲା: ଏଡିବି ଦେବ ୧୬,୫୦୦ କୋଟିର ସହାୟତା

ନୂଆଦିଲ୍ଲୀ,: କୋଭିଡ୍‌-୧୯ ବି‌ରୋଧୀ ମୁକାବିଲା ପାଇଁ ଭାରତକୁ ୨୨୦ କୋଟି ଡଲାର (ପ୍ରାୟ ୧୬,୫୦୦ କୋଟି ଟଙ୍କା) ସହାୟତା ପ୍ରଦାନ କରିବାକୁ ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଘୋଷଣା କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏଡିବି ସଭାପତି ମାସାସୁଗୁ ଆସାକାୱା ଏହି ପ୍ରତିଶ୍ରୁତି ଦେଇଛନ୍ତି। କୋଭିଡ୍‌-୧୯ର ମୁକାବିଲା ଲାଗି ଭାରତ ସରକାର ଗ୍ରହଣ କରିଥିବା ବିଭିନ୍ନ ପ୍ରକାର ପଦକ୍ଷେପକୁ ଶ୍ରୀ ଆସାକାୱା ପ୍ରଶଂସା କରିଛନ୍ତି। ବି‌ଶେଷ କରି ଜାତୀୟ ସ୍ବାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମ, ଟିକସ ଏବଂ ବ୍ୟବସାୟ ଜଗତ ପାଇଁ ଘୋଷଣା କରାଯାଇଥିବା ରିଲିଫ୍‌ ପ୍ୟାକେଜ୍ ଓ ୧.୭ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ରିଲିଫ୍ ପ୍ୟାକେଜ୍ ଗରିବ ଲୋକ, ମହିଳା ଏବଂ ଶ୍ରମିକମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ଭାରତରେ ଘୋଷଣା କରାଯାଇଥିବା ୨୧ ଦିନିଆ ଲକ୍‌ଡାଉନ୍ ଯୋଗୁଁ ଏହି ବର୍ଗ ଅଧିକ ପ୍ରଭାବିତ ହୋଇଛନ୍ତି।

ଭାରତର ଜରୁରୀକାଳୀନ ପରସ୍ଥିତି ପାଇଁ ସହାୟତା ପ୍ରଦାନ କରିବାକୁ ଏଡିବି ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଆମେ ଏବେ ୨୨୦ କୋଟି ଡଲାରର ସହାୟତା ଦେବା ଉପରେ କାର୍ଯ୍ୟ କରୁଛୁ ଯାହା ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଏବଂ ଏହି ବିଶ୍ବ ମହାମାରୀ ପ୍ରଭାବ ଯୋଗୁଁ ସଙ୍କଟରେ ପଡ଼ିଯାଇଥିବା ଗରିବ ଲୋକ, ଅଣସଂଗଠିତ କ୍ଷେତ୍ରର ଶ୍ରମିକ, ଏମ୍ଏସ୍‌ଏମ୍‌ଏଇ ଓ ଆର୍ଥିକ କ୍ଷେତ୍ରକୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଏହି ସଙ୍କଟ ସମୟରେ ପାଣ୍ଠି ଯୋଗାଡ଼ କରିବା ପାଇଁ ଏଡିବି ଘରୋଇ ସଂସ୍ଥାଗୁଡ଼ିକ ପାଖରେ ପହଞ୍ଚିଛି। ଯଦି ଦରକାର ପଡ଼ିବ ତେବେ ଭାରତକୁ ଅଧିକ ସହାୟତା ଦିଆଯିବ। ଭାରତର ଆବଶ୍ୟକତା ପୂରଣ କରିବା ଲାଗି ପାଣ୍ଠି ଯୋଗାଡ଼ କରିବାର ସମସ୍ତ ବିକଳ୍ପକୁ ଆମେ ସନ୍ଧାନ କରିବୁ ବୋଲି ସେ କହିଛନ୍ତି। କରୋନା ପ୍ରଭାବରେ ଭାରତରେ ବ୍ୟବସାୟ ଓ ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପର୍ଯ୍ୟଟନ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ପ୍ରାୟ ସବୁ ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଏମ୍ଏସ୍‌ଏମ୍‌ଇଗୁଡ଼ିକ ଗୁରୁତର ସଙ୍କଟରେ ଫସିଥିବା ବେଳେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଶ୍ରୀ ଆସାକାୱା କହିଛନ୍ତି ଯେ, କରୋନା ମୁକାବିଲା ଲାଗି ଭାରତ ସରକାର ଘୋଷଣା କରିଥିବା ପଦକ୍ଷେପ ଗରିବ ଲୋକ ଏବଂ ବ୍ୟବସାୟ ଜଗତ ପାଇଁ ସହାୟକ ହେବ। ଅର୍ଥନୀତିରେ ସୁଧାର ଆଣିବା କ୍ଷେତ୍ରରେ ତାହା ସହାୟକ ହେବ। ଗତ ମାର୍ଚ୍ଚ ୧୮ରେ ଏଡିବି ପକ୍ଷରୁ କୁହାଯାଇଥିଲା ଯେ କୋଭିଡ୍‌-୧୯ ମୁକାବିଲା ଲାଗି ୬.୫ ବିଲିଅନ ଡଲାର ସହାୟତା ପ୍ରଦାନ କରାଯିବ। ଭାରତ ସମେତ ବିଭିନ୍ନ ବିକାଶଶୀଳ ଦେଶଗୁଡ଼ିକୁ ସେହି ପାଣ୍ଠି ଯୋଗାଇ ଦିଆଯିବ ବୋଲି ଏଡିବି କହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe