ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠରେ ଆଧାର ମାମଲାର ଚୂଡ଼ାନ୍ତ ଶୁଶାଣି ଆଜି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏହି ପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଉଛନ୍ତି ଏ ଏମ୍ ଖାନଓ୍ଵିଲକର୍, ଆଦର୍ଶ କୁମାର ସିକ୍ରି, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଅଶୋକ ଭୂଷଣ। ଆଧାର ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଘଂନ କରୁଥିବା ଅଭିଯୋଗ କରି ଦାୟର ହୋଇଥିବା ମାମଲା ଚୂଡ଼ାନ୍ତ ଶୁଣାଣି ଆରମ୍ଭ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶ୍ୟାମ ଦିଓ୍ଵାନ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ ଆଧାର ନାଗରିକ ଅଧିକାର ମୃତ୍ୟୁର କାରଣ ହୋଇପାରେ। ଗତବର୍ଷ ଅଗଷ୍ଟରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସମ୍ବିଧାନ ପୀଠ ରାୟ ଦେଇଥିଲେ ଯେ ବ୍ୟକ୍ତିଗତ ଗୋପନୀୟତାର ଅଧିକାର ହେଉଛି ମୌଳିକ ଅଧିକାର। ଆଧାର ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଘଂନ ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟରେ ଅନେକ ମାମଲା ଦାୟର କରାଯାଇଛି। ଯେହେତୁ ବିଭିନ୍ନ ପ୍ରକାର ସରକାରୀ ସ୍କିମ୍ ଏବଂ ଆର୍ଥିକ ସେବା ସହିତ ଆଧାରକୁ ବ୍ୟାପକ ଭାବେ ଲିଙ୍କ୍ କରାଯାଇ ସାରିଛି, ତେଣୁ ଆଧାରର ବୈଧତା ନେଇ ସୁପ୍ରିମକୋର୍ଟଙ୍କ ରାୟ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ବିଚାର କରାଯାଉଛି। ନିକଟରେ ଆଧାର ତଥ୍ୟ ଲିକ୍କୁ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏହା ପରେ ଆଧାର ଜାରି କରୁଥିବା ଭାରତୀୟ ସ୍ୱତନ୍ତ୍ର ପରିଚୟ କର୍ତୃପକ୍ଷ (ୟୁଆଇଡିଏଆଇ)ଙ୍କ ଦ୍ୱାରା ଭର୍ଚୁଆଲ୍ ଆଇଡି ଓ ଫେସିଆଲ୍ ଅଥେଣ୍ଟିକେସନ୍ (ଚେହେରା ସ୍ୱୀକ୍ୟତି) ଭଳି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବା ବିଷୟରେ ଘୋଷଣା କରାଯାଇଛି। ଏଭଳି ଏକ ସମୟରେ ଆଧାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଆରମ୍ଭ ହୋଇଛି। ବିଭିନ୍ନ ସେବା ସହିତ ଆଧାର ଲିଙ୍କ୍ କରିବାର ସମୟ ସୀମାକୁ ସରକାର ଚଳିତ ବର୍ଷ ମାର୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।
ଆଧାର ମାମଲାର ଚୂଡ଼ାନ୍ତ ଶୁଣାଣି ଆରମ୍ଭ
Advertisment
Follow Us