ସବୁ ଆଧାର ଲିଙ୍କ୍‌ ସମୟ ମାର୍ଚ ପର୍ଯ୍ୟନ୍ତ ବଢ଼ିଲା

Advertisment
ସବୁ ଆଧାର ଲିଙ୍କ୍‌ ସମୟ ମାର୍ଚ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ: ସରକାରୀ କଲ୍ୟାଣମୂଳକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ମୋବାଇଲ୍‌ ନମ୍ବର ପର୍ଯ୍ୟନ୍ତ ସବୁ ପ୍ରକାର ସେବା ପାଇଁ ଆଧାର ଲିଙ୍କ୍‌ କରିବାର ସମୟ ସୀମା ୨୦୧୮ ମାର୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସୁପ୍ରିମକୋର୍ଟ ଆଜି ଏକ ଅନ୍ତରୀଣ ରାୟ ପ୍ରକାଶ କରି ଏହି ସମୟ ସୀମା ବଢ଼ାଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ମୋବାଇଲ୍‌ ନମ୍ବର-ଆଧାର ଲିଙ୍କ୍‌ ସମୟ ସୀମାକୁ ମଧ୍ୟ ବଦଳାଇଛନ୍ତି। ପୂର୍ବରୁ ମୋବାଇଲ୍‌ ନମ୍ବର ସହିତ ଆଧାର ଲିଙ୍କ୍‌ କରିବାର ସମୟ ସୀମା ୨୦୧୮ ଫେବ୍ରୁଆରି ୬ ଥିଲା। ଏବେ ତାହା ମାର୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ବ୍ୟାଙ୍କରେ ନୂଆ ଖାତା ଖୋଲିବା ବେଳେ ବ୍ୟାଙ୍କକୁ ଆଧାର ନମ୍ବର ପ୍ରଦାନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି। ତେବେ ଆଧାର ପାଇଁ ବ୍ୟକ୍ତି ଜଣକ ଆବେଦନ କରିଥିବାର ଏକ ପ୍ରମାଣ ବ୍ୟାଙ୍କକୁ ଦେଖାଇବାକୁ ପଡ଼ିବ। ଏହାର ଅର୍ଥ ହେଉଛି ବ୍ୟାଙ୍କ ଖାତା ଖୋଲିବା ପରେ ଯେ କୌଣସି ସମୟରେ ଆଧାର ନମ୍ବର ଦେବାକୁ ହେବ। ଆଧାର ସ୍କିମ୍‌କୁ ବିରୋଧ କରି ଯେଉଁ ମାମଲା ଦାୟର ହୋଇଛି ତାହାର ଶୁଣାଣୀ ୨୦୧୮ ଜାନୁଆରି ୧୭ରୁ ସମ୍ବିଧାନ ପୀଠରେ ଆରମ୍ଭ ହେବ ବୋଲି କୋର୍ଟ କହିଛନ୍ତି।

ନିକଟରେ ଏକ ୯ ଜଣିଆ ସମ୍ବିଧାନ ପୀଠ ପକ୍ଷରୁ ବ୍ୟକ୍ତିଗତ ଗୋପନୀୟତାକୁ ମୌଳିକ ଅଧିକାର ବୋଲି ରାୟ ଦିଆଯାଇଥିଲା। ଆଧାର ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଘଂନ ବୋଲି ଦାବି କରି କୋର୍ଟରେ ଅନେକ ମାମଲା ଦାୟର ହୋଇଛି। ସେହି ସବୁ ମାମଲାଗୁଡ଼ିକର ଶୁଣାଣି ସମ୍ବିଧାନ ଖଣ୍ଡପୀଠରେ ହେବ। କେତେକ ଆବେଦନକାରୀ କୋର୍ଟଙ୍କୁ ଜଣାଇଛନ୍ତି ଯେ ମୋବାଇଲ୍‌ ନମ୍ବର ଏବଂ ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗ କରିବା ହେଉଛି ସମ୍ପୂର୍ଣ୍ଣ ବେଆଇନ ଓ ଅଣ ସାମ୍ବିଧାନିକ। ସମ୍ବିଧାନ ପୀଠର ରାୟ ଉପରେ ଆଧାରର ଭାଗ୍ୟ ନିର୍ଭର କରୁଛି।

କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ: ରାଜ୍ୟସଭାର ସଂଶୋଧନ ପ୍ରସ୍ତାବକୁ ଅଣଦେଖା କରି ଗତବର୍ଷ ଆଧାର ବିଲ୍‌କୁ ଅର୍ଥ ବିଲ୍‌ ଭାବେ ସଂସଦରେ ପାସ୍‌ କରାଯାଇଥିଲା। ଏହାକୁ ବିରୋଧ କରି କଂଗ୍ରେସ ନେତା ଜୟରାମ ରମେଶ ସୁପ୍ରିମକୋର୍ଟରେ ଯେଉଁ ମାମଲା ଦାୟର କରିଥିଲେ ତାହାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଜୟରାମଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କପିଲ ଶିବଲ ଯୁକ୍ତି କରିଥିଲେ ଯେ ସରକାର ଆଧାର ବିଲ୍‌କୁ ଅର୍ଥ ବିଲ୍‌ ଭାବେ ଗ୍ରହଣ କରିବା ଭୁଲ। ଏହି ବିଷୟ ଉପରେ ବିତର୍କ ହେବା ଦରକାର ଏବଂ କୋର୍ଟଙ୍କୁ ଏହା ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe