ଦୀର୍ଘ ୩୦ ବର୍ଷ ପରେ ଚୀନ୍‌ କିଣିବ ଭାରତ ଚାଉଳ

ଦୀର୍ଘ ୩୦ ବର୍ଷ ପରେ ଚୀନ୍‌ କିଣିବ ଭାରତ ଚାଉଳ

Exporters India

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଗତ ଜୁନ୍ ୧୫ରେ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିବା ବେଳେ ଦ୍ବିପାକ୍ଷିକ କାରବାର ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ଏକ ଗମ୍ଭୀର ସମୟରେ ପ୍ରଥମ ଥର ଲାଗି ଭାରତରୁ ଚାଉଳ ଆମଦାନି କରିବାକୁ ଚୀନ୍ ଆଗ୍ରହ ଦେଖାଇଛି। ତିରିଶ ବର୍ଷ ବ୍ୟବଧାନ ପରେ ଏଭଳି ଚମତ୍କାର ହେବାକୁ ଯାଉଛି। ଚାଉଳ ଆମଦାନି କରିବାରେ ଚୀନ୍ ବିଶ୍ବର ଏକ ନମ୍ବର ସ୍ଥାନରେ ଥିବା ବେଳେ ରପ୍ତାନିରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି। କିନ୍ତୁ ଚୀନ୍ କେବେବି ଭାରତ ଚାଉଳ କିଣିବାକୁ ଆଗ୍ରହ ପ୍ରକାଶ କରେ ନାହିଁ। ଭାରତ ଚାଉଳକୁ ଏହା ନିମ୍ନ ମାନର ଆଖ୍ୟା ଦେଉଥିଲା। ଏହା ପ୍ରତିବର୍ଷ ଥାଇଲ୍ୟାଣ୍ଡ୍‌, ଭିଏତନାମ, ମିଆଁମାର ଏବଂ ପାକିସ୍ତାନରୁ ଚାଉଳ କିଣୁଥିଲା। ଚଳିତ ବର୍ଷ ସ୍ଥିତି ଭାରତ ସପକ୍ଷରେ ରହିଛି। ଚୀନ୍ ଯେଉଁ ସବୁ ଦେଶରୁ ଚାଉଳ କିଣୁଥିଲା ସେଠାରେ ବନ୍ୟା ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ କମ୍ ପରିମାଣର ବଳକା ଚାଉଳ ରହିଛି। ସେମାନଙ୍କ ଚାଉଳ ଦାମ୍ ମଧ୍ୟ ଅଧିକ ରହିଛି। ଏଭଳି ଏକ ସମୟରେ ଭାରତ ଏହାର ଚାଉଳ ଉପରେ ବିପୁଳ ପରିମାଣର ରିହାତି ଦେଉଛି। ତେଣୁ ଏହି ସୁଯୋଗକୁ ଚୀନ୍ ହାତ ଛଡ଼ା କରିବାକୁ ଚାହୁନାହିଁ। ଚୀନ୍ ପ୍ରତିବର୍ଷ ୪୦ ଲକ୍ଷ ଟନ୍ ଚାଉଳ ଆମଦାନି କରିଥାଏ। ଚାଉଳ ରପ୍ତାନିକାରୀ ସଂଘର ସଭାପତି ବିବି କ୍ରିଷ୍ଣା ରାଓ କହିଛନ୍ତି ଯେ ତିନି ଦଶନ୍ଧୀ ପରେ ଚୀନ୍ ଚାଉଳ ଆମଦାନି କରିବାକୁ ଆଗ୍ରହ ଦେଖାଇଛି। ଚଳିତ ବର୍ଷ ଡିସେମ୍ବରରୁ ଆସନ୍ତା ବର୍ଷ ଫେବ୍ରୁଆରି ମଧ୍ୟରେ ଚୀନ୍‌କୁ ୧ ଲକ୍ଷ ଟନ୍ ଚାଉଳ ପଠାଇବା ଲାଗି ଭାରତୀୟ ରପ୍ତାନିକାରୀମାନେ ବରାଦ ହାସଲ କରିଛନ୍ତି। ଟନ୍ ପିଛା ୨୨,୧୩୨ ଟଙ୍କା ମୂଲ୍ୟରେ ଚୀନ୍‌କୁ ଚାଉଳ ରପ୍ତାନି କରାଯିବ।

ବିଶ୍ବ ବଜାର
ରପ୍ତାନିରେ ଆଗରେ: ଭାରତ, ଥାଇଲ୍ୟାଣ୍ଡ୍‌, ଆମେରିକା, ଭିଏତନାମ, ପାକିସ୍ତାନ, ଚୀନ୍, ଇଟାଲି, ମିଆଁମାର, କାମ୍ବୋଡିଆ, ଉରୁଗୁଏ
ଆମଦାନିରେ ଆଗରେ: ଚୀନ୍, ନାଇଜେରିଆ, ସାଉଦିଆରବ, ଇରାନ, ଇରାକ, ୟୁଏଇ, ବ୍ରିଟେନ, ଆମେରିକା‌, ବେନିନ, ଫ୍ରାନ୍ସ
ଉତ୍ପାଦନରେ ଆଗୁଆ: ଚୀନ୍, ଭାରତ, ଇଣ୍ଡୋନେସିଆ, ବାଲାଂଦେଶ, ଭିଏତନାମ, ଥାଇଲ୍ୟାଣ୍ଡ୍‌, ଫିଲିପାଇନ୍ସ, ମିଆଁମାର, ଜାପାନ, ବ୍ରାଜିଲ୍‌
ଭାରତର ରପ୍ତାନି ବଜାର: ବାସମତି ଚାଉଳ: ସାଉଦି ଆରବ, ଇରାନ, ୟୁଏଇ, ଇରାକ, କୁଏତ୍‌, ବ୍ରିଟେନ୍, ଆମେରିକା, ୟେମେନ୍, ଓମାନ, କାନାଡା
ଅଣ-ବାସମତି ବଜାର: ବାଲାଂଦେଶ, ବେନିନ, ସେନେଗାଲ, ନେପାଳ, ଶ୍ରୀଲଙ୍କା, ଗିନିଆ, ୟୁଏଇ, କୋଟେ ଡି’ ଆଇଭରି, ସୋମାଲିଆ, ଲାଇବେରିଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe