ଚୁକ୍ତି କଲେ, କାରଖାନା କଲେନି: ଦୁଇ ଦଶନ୍ଧି ପରେ ବି ଆରମ୍ଭ ହୋଇନି ୧୧ ଇସ୍ପାତ ପ୍ରକଳ୍ପ, ପ୍ରକଳ୍ପରୁ ଓହରିଛନ୍ତି ୪ କମ୍ପାନି

ଖଣିଜ ସମ୍ପଦରେ ଭରପୁର ଥିବାରୁ ଇସ୍ପାତ ଜଗତର ନିବେଶକମାନଙ୍କର ଓଡ଼ିଶା ପ୍ରତି ଏକ ସ୍ବତନ୍ତ୍ର ଆକର୍ଷଣ ରହିଛି। ସେହି ଆକର୍ଷଣ ବିଶ୍ବର ଅନେକ ଖ୍ୟାତନାମା କମ୍ପାନିକୁ ଓଡ଼ିଶା ଟାଣିଆଣିଥିଲା।

factory

Photograph: (Sciencing)

ଭୁବନେଶ୍ବର: ଖଣିଜ ସମ୍ପଦରେ ଭରପୁର ଥିବାରୁ ଇସ୍ପାତ ଜଗତର ନିବେଶକମାନଙ୍କର ଓଡ଼ିଶା ପ୍ରତି ଏକ ସ୍ବତନ୍ତ୍ର ଆକର୍ଷଣ ରହିଛି। ସେହି ଆକର୍ଷଣ ବିଶ୍ବର ଅନେକ ଖ୍ୟାତନାମା କମ୍ପାନିକୁ ଓଡ଼ିଶା ଟାଣିଆଣିଥିଲା। ସେମାନେ ସ୍ବପ୍ନର ପ୍ରକଳ୍ପ ବସାଇବା ଲାଗି ରାଜ୍ୟ ସରକାରଙ୍କ ସହ ଚୁକ୍ତି ବି କରିଥିଲେ। କିନ୍ତୁ କେତେକ କାରଣ ଲାଗି ସେମାନଙ୍କ ସ୍ବପ୍ନ ପୂରଣ ହୋଇନଥିଲା। ଗତ ଅଢ଼େଇ ଦଶନ୍ଧି ମଧ୍ୟରେ ଏଭଳି ୪ଟି କମ୍ପାନି ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିବା ସତ୍ତ୍ବେ ପ୍ରକଳ୍ପରୁ ଓହରିଯାଇଛନ୍ତି। ଆର୍ସେଲର ମିତ୍ତଲ, ମହାରାଷ୍ଟ୍ର ସିମ୍‌ଲେସ୍‌, ପୋସ୍କୋ ଇଣ୍ଡିଆ ଓ ଷ୍ଟେର୍‌ଲାଇଟ୍‌ ଆଇରନ୍ ଆଣ୍ଡ୍‌ ଷ୍ଟିଲ୍‌ ପ୍ରକଳ୍ପରୁ ଓହରିଯାଇଥିଲେ ବୋଲି ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ତଥ୍ୟରୁ ଜଣାପଡ଼ିଛି।

ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା ଦେଇଥିବା ତଥ୍ୟ ଅନୁସାରେ କେନ୍ଦୁଝରରେ ଏକ ଇସ୍ପାତ କାରଖାନା କରିବା ଲାଗି ୨୦୦୬ରେ ଆର୍ସେଲ ମିତ୍ତଲ ଇଣ୍ଡିଆ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ବୁଝାମଣା ସ୍ବାକ୍ଷର କରାଯାଇଥିଲା। ୨୦୦୫ରେ ପୋସ୍କୋ ଏବଂ ୨୦୦୬ରେ ମହାରାଷ୍ଟ୍ର ସିମ୍‌ଲେସ୍ ଓ ଷ୍ଟର୍‌ଲାଇଟ୍‌ ଆଇରନ୍ ଆଣ୍ଡ୍ ଷ୍ଟିଲ୍‌ ସରକାରଙ୍କ ସହ ଏମ୍‌ଓୟୁ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଚାରି କମ୍ପାନି ପ୍ରସ୍ତାବିତ ପ୍ରକଳ୍ପରୁ ଓହରିଯାଇଥିଲେ। ଏହି ଚାରି କମ୍ପାନି କେନ୍ଦୁଝର, ଯାଜପୁର ଓ ଜଗତସିଂହପୁରରେ ଇସ୍ପାତ କାରଖାନା କରିବାର ସ୍ବପ୍ନ ଦେଖାଇଥିଲେ।
ସେହିପରି, ୨୦୦୩-୧୦ ମଧ୍ୟରେ ସରକାରଙ୍କ ସହ ଏମ୍‌ଓୟୁ କରିଥିବା ୧୧ଟି ଇସ୍ପାତ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ମନ୍ତ୍ରୀ ଦେଇଥିବା ତଥ୍ୟରୁ ଜଣାପଡ଼ିଛି।

ପ୍ରକଳ୍ପ ଆରମ୍ଭ କରି ନ ଥିବା କମ୍ପାନିଗୁଡ଼ିକ ହେଉଛି ଆମ୍‌ଟେକ୍ ମେଟାଲ୍ ଆଣ୍ଡ୍‌ ମାଇନିଂ, ଅଠା ମାଇନ୍‌ସ, ଡିଓ ମାଇନ୍‌ସ ଆଣ୍ଡ୍‌ ମିନେରାଲ୍‌ସ, ଜେନ୍ ଷ୍ଟିଲ୍ ଆଣ୍ଡ୍‌ ପାୱାର, କୋଣାର୍କ ଇସ୍ପାତ, ମୋନେଟ୍ ଇସ୍ପାତ ଆଣ୍ଡ୍‌ ଏନର୍ଜି, ପ୍ରଧାନ ଷ୍ଟିଲ୍ ଆଣ୍ଡ୍‌ ପାୱାର, ଏସ୍‌ଏସ୍‌ଏଲ୍‌ ଏନର୍ଜି, ଟେକ୍‌ଟନ୍ ଇସ୍ପାତ, ଉତ୍ତମ ଗାଲ୍‌ଭା ଏବଂ ୱେଲ୍‌ସ୍ପୁନ୍ ପାୱାର ଆଣ୍ଡ୍‌ ଷ୍ଟିଲ୍‌। ଏହି ସଂସ୍ଥାଗୁଡ଼ିକ ସୁନ୍ଦରଗଡ଼, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, ଅନୁଗୁଳ, ଗଞ୍ଜାମ ଓ କେନ୍ଦୁଝରରେ କାରଖାନା ସ୍ଥାପନ କରିବା ଲାଗି ଚୁକ୍ତି କରିଥିଲେ। ରାଜ୍ୟ ସରକାର ଇସ୍ପାତ କାରଖାନା ପାଇଁ ୪୯ଟି କମ୍ପାନି ସହ ଚୁକ୍ତି କରିଥିଲେ। ସେଥିରୁ ୩୦ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି। ଝାରସୁଗୁଡ଼ାର ଆକ୍ସନ ଇସ୍ପାତ ଆଣ୍ଡ୍‌ ପାୱାର, କଟକର ବି କେ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍, କେନ୍ଦୁଝରର ଦୀପକ ଷ୍ଟିଲ୍ ଆଣ୍ଡ୍ ପାୱାର ଓ ସୁନ୍ଦରଗଡ଼ର ଓସିଏଲ୍‌ ଆଇରନ୍ ଆଣ୍ଡ୍‌ ଷ୍ଟିଲ୍‌ସ ପ୍ରକଳ୍ପ ବର୍ତ୍ତମାନ ଅସ୍ଥ‌ାୟୀ ଭା‌େବେ କାର୍ଯ୍ୟକ୍ଷମ ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe