ଭୁବନେଶ୍ୱର: ପାଇପ୍ଲାଇନ୍ ଜରିଆରେ ବିମାନବନ୍ଦରରେ ବିମାନ ଇନ୍ଧନ ପହଞ୍ଚାଇବାକୁ ଇଣ୍ଡିଆନ୍ ଅଏଲ୍ ଯୋଜନା ରଖିଛି। କଂପାନିର ପାଇପ୍ଲାଇନ୍ ଡିଭିଜନ୍-ଏସ୍ଇଆର୍ପିଏଲ୍ ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ବିମାନବନ୍ଦରରେ ସିଧାସଳଖ ପାଇପ୍ଲାଇନ୍ ଜରିଆରେ ବିମାନରେ ଇନ୍ଧନ ଭାବେ ବ୍ୟବହୃତ ହେଉଥିବା ଆଭିଏସନ୍ ଟର୍ବାଇନ୍ ଫୁଏଲ୍ (ଏଟିଏଫ୍) ପହଞ୍ଚିବ।
ପାରାଦୀପ-ରାୟପୁର-ରାଞ୍ଚି ପ୍ରଡକ୍ଟ ପାଇପ୍ଲାଇନ୍ (ପିଆର୍ଆର୍ପିଏଲ୍) ଜରିଆରେ ଏଟିଏଫ୍ ଯୋଗାଣ କରାଯିବ। ଏହି ପାଇପ୍ଲାଇନ୍ ଜରିଆରେ କଂପାନି ପେଟ୍ରୋଲ୍, ଡିଜେଲ୍, କିରାସିନି ଓ ଏଟିଏଫ୍ ଆଦି ବିଭିନ୍ନ ପ୍ରକାର ଇନ୍ଧନ ପରିବହନ କରିବ।
ପ୍ରଥମ ପର୍ଯ୍ୟାୟରେ ରାୟପୁର ବିମାନବନ୍ଦରକୁ ପାଇପ୍ଲାଇନ୍ ଜରିଆରେ ବିମାନ ଇନ୍ଧନ ଯୋଗାଇ ଦିଆଯିବ। ପର୍ଯ୍ୟାୟକ୍ରମେ ଭୁବନେଶ୍ୱର ସମେତ ଅନ୍ୟ ବିମାନବନ୍ଦରଗୁଡ଼ିକୁ ମଧ୍ୟ ପାଇପ୍ଲାଇନ୍ ଜରିଆରେ ସଂଯୋଗ କରାଯିବ ବୋଲି ସାଉଥ୍ ଇଷ୍ଟର୍ଣ୍ଣ ରିଜିଅନ୍ ପାଇପ୍ଲାଇନ୍ସ (ଏସ୍ଇଆର୍ପିଏଲ୍)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପି ସି ଚୌବେ କହିଛନ୍ତି।
ଶ୍ରୀ ଚୌବେ କହିଲେ, କଂପାନି ଦୁଇଟି ନୂଆ ପାଇପ୍ଲାଇନ୍ ସ୍ଥାପନ କରିବାକୁ ଯୋଜନା ରଖିଛି। ଗୋଟିଏ ପାରାଦୀପ-ହାଇଦ୍ରାବାଦ ପାଇପ୍ଲାଇନ୍ ହୋଇଥିବା ବେଳେ ଅନ୍ୟଟି ହେଉଛି ପାରାଦୀପ-ସୋମନାଥପୁର-ହଳଦିଆ ପ୍ରଡକ୍ଟ ପାଇପ୍ଲାଇନ୍। ୧୨୧୨ କିମି ବିଶିଷ୍ଟ ପାରାଦୀପ-ହାଇଦ୍ରାବାଦ ପାଇପ୍ଲାଇନ୍ କାମ ଚଳିତ ବର୍ଷ ଆରମ୍ଭ କରାଯାଇଛି। ଏହି ପ୍ରକଳ୍ପରେ ୧୩୪୨ କୋଟି ଟଙ୍କା ବିନିଯୋଗ କରାଯିବ। ୨୦୨୦ ଅଗଷ୍ଟ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହେବ। ଏହି ପାଇପ୍ଲାଇନ୍ ବ୍ରହ୍ମପୁର ଡିପୋ ଦେଇ ହାଇଦ୍ରାବାଦ ପର୍ଯ୍ୟନ୍ତ ଯିବ।
ମାତ୍ର, ପାରାଦୀପ-ସୋମନାଥପୁର-ହଳଦିଆ ପାଇପ୍ଲାଇନ୍ ଏବେ ଯୋଜନା ପର୍ଯ୍ୟାୟରେ ରହିଛି। ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇନାହିଁ। ସୋମନାଥପୁର ହେଉଛି ବାଲେଶ୍ୱର ଜିଲ୍ଲାର ଏକ ସ୍ଥାନ।
ସେହିପରି, ଧାମରା-ହଲ୍ଦିଆ-ପାରାଦୀପ ଏଲ୍ଏନ୍ଜି ପାଇପ୍ଲାଇନ୍ରେ କଂପାନି ୩୩୨୧ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା ରଖିଛି। କାମ ଆରମ୍ଭ ହେବାର ୧୮ ମାସ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ଚୌବେ କହିଛନ୍ତି। ଏସ୍ଇଆର୍ପିଏଲ୍ ପକ୍ଷରୁ ବିଭିନ୍ନ ପ୍ରକଳ୍ପରେ ବର୍ତ୍ତମାନ ସୁଦ୍ଧା ୩୧୨୭ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି। ଆଗାମୀ ଦିନରେ ଆଉ ୩୬୬୩ କୋଟି ଟଙ୍କାର ନିବେଶ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଅବସରରେ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପାଇପ୍ଲାଇନ୍ରେ ପହଞ୍ଚିବ ବିମାନ ଇନ୍ଧନ:ପ୍ରଥମେ ରାୟପୁର, ପରେ ଭୁବନେଶ୍ୱର
Advertisment
Follow Us