ଏୟାର ଇଣ୍ଡିଆ ସ୍ଥିତି ଅସମ୍ଭାଳ, ଗ୍ରାହକ ନମିଳିଲେ ୬ ମାସରେ ବନ୍ଦ ହୋଇଯିବ

Advertisment
ଏୟାର ଇଣ୍ଡିଆ ସ୍ଥିତି ଅସମ୍ଭାଳ, ଗ୍ରାହକ ନମିଳିଲେ ୬ ମାସରେ ବନ୍ଦ ହୋଇଯିବ

Photo Credit: Representative Image

ନୂଆଦିଲ୍ଲୀ: ଘରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆ ପାଇଁ ଗ୍ରାହକ ଖୋଜା ହେଉଛି। ଆସନ୍ତା ୬ ମାସ ଭିତରେ ଯଦି ଗ୍ରାହକ ନମିଳିବେ ତେବେ କଂପାନିରେ ତାଲା ପଡ଼ିବ ବୋଲି ଆକଳନ କରାଯାଇଛି। କଂପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏୟାର ଇଣ୍ଡିଆ ମୁଣ୍ଡ‌ରେ ୬୦ ହଜାର କୋଟି ଟଙ୍କାର ଋଣ ରହିଛି। ଏହାର ଘରୋଇକରଣ କରିବା ଲାଗି ସରକାର ଉଦ୍ୟମ କରୁଥିଲେ ମଧ୍ୟ ଗ୍ରାହକ ମିଳୁନଥିବାରୁ କାର୍ଯ୍ୟ ଆଗକୁ ବଢ଼ିପାରୁନାହିଁ। ଯଦି ସ୍ଥିତି ଏଭଳି ରହିବ ତେବେ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା କଂପାନିରେ ତାଲା ପଡ଼ିଯିବ। ଏୟାର ଇଣ୍ଡିଆକୁ ଜେଟ୍ ଏୟାରୱେଜ୍ ଭଳି ଦଶା ଭୋଗିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି।

ଏୟାର ଇଣ୍ଡିଆକୁ ଅଧିକ ପାଣ୍ଠି ଦେବାକୁ ସରକାର ମନା କରିଦେଇଛନ୍ତି। କଂପାନିକୁ ବିକ୍ରି କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଉଛି। ବିଭିନ୍ନ ପ୍ରକାର ଉଦ୍ୟମ କରି କଂପାନି ନିଜକୁ ବଞ୍ଚାଇ ରଖିଛି। କିନ୍ତୁ ଏଭଳି ଯୋଗାଡ଼ କରି କଂପାନି ବେଶି ଦିନ ଚାଲିପାରିବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି। ୨୦୧୧-୧୨ରୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ୩୦,୫୨୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିସାରିଛନ୍ତି। ୨୦୧୨ରେ ଉପା ସରକାରଙ୍କ ତରଫରୁ ଏୟାର ଇଣ୍ଡିଆ ଲାଗି ପୁନରୁଦ୍ଧାର ପ୍ୟାକେଜ୍ ଘୋଷଣା କରାଯାଇଥିଲା। ୧୦ ବର୍ଷ ଭିତରେ କଂପାନିକୁ ୩୦ ହଜାର କୋଟି ଟଙ୍କା ଦିଆଯିବ ବୋଲି ଯେଉଁ ପ୍ରସ୍ତାବ ଆସିଥିଲା ତାହାକୁ ମଞ୍ଜୁର କରାଯାଇଥିଲା। କଂପାନିର ଅଧିକାରୀ ଜଣକ କହିଛନ୍ତି ଯେ, ପରିଚାଳନା ପାଇଁ ଆମେ ସରକାରଙ୍କୁ ୨୪୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ମାଗିଥିଲୁ। କିନ୍ତୁ ଆମକୁ ୫୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ଦିଆଯାଇଛି। ଯେକୌଣସି ପ୍ରକାରରେ ପାଣ୍ଠି ଯୋଗାଡ଼ କରି ଆମେ କଂପାନିକୁ ଚାଲୁ ରଖିଛୁ। କିନ୍ତୁ ଜୁନ୍ ସୁଦ୍ଧା କୌଣସି ଗ୍ରାହକ ନଆସିଲେ ଆମେ ବାଧ୍ୟ ହୋଇ କଂପାନି ବନ୍ଦ କରିଦେବୁ ବୋଲି ଅଧିକାରୀ ଜଣକ କହିଛନ୍ତି। କଂପାନିର ୧୨ଟି ଅଣଓସାରିଆ ବଡ଼ି ଥିବା ଏୟାରବସ୍ ଏ୩୨୦ ଠିଆ ହୋଇରହିଛି। ଏହି ବିମାନଗୁଡ଼ିକର ଇଞ୍ଜିନ ବଦଳାଇବାକୁ ପଡ଼ିବ। କିନ୍ତୁ କଂପାନିର ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ବିଚାରକୁ ନେଲେ ଏହି ବିମାନଗୁଡ଼ିକ ଯେ ନିକଟ ଭବିଷ୍ୟତରେ ପୁଣି ଥରେ ଆକାଶରେ ଉଡ଼ିବ ତାହାର ଆଶା କ୍ଷୀଣ ବୋଲି ସେ କହିଛନ୍ତି। ତେବେ ଇଞ୍ଜିନ ପରିବର୍ତ୍ତନ ଲାଗି ଅନେକ ଦିନରୁ ଠିଆ ହୋଇ ରହିଥିବା ଆଠଟି ଚଉଡ଼ା ବଡିର ବିମାନ ପୁଣି ଥରେ ଆକାଶରେ ଉଡ଼ିବା ଆରମ୍ଭ କରିଛି ଯାହା କଂପାନି ପାଇଁ ଏକ ଶୁଭ ସଙ୍କେତ ବୋଲି ସେ କହିଛନ୍ତି। ଦୀର୍ଘ ୨୫ ବର୍ଷ ଆକାଶରେ ଉଡ଼ିବା ପରେ ଘୋର ଆର୍ଥିକ ସଙ୍କଟ ଯୋଗୁଁ ଘରୋଇ ବିମାନ କଂପାନି ଜେଟ୍ ଏୟାରୱେଜ୍ ୨୦୧୯ରେ ବନ୍ଦ ହୋଇଯାଇଥିଲା। ଏୟାର ଇଣ୍ଡିଆ ଏବେ ସେଭଳି ସ୍ଥିତି ଆଡ଼କୁ ଅଗ୍ରସର ହେଉଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରିବା ଲାଗି ସରକାର ପ୍ରସ୍ତୁତ ହେଉଛନ୍ତି। ଆସନ୍ତା ମାସରେ ଏନେଇ ବିଡ୍ ଆହ୍ବାନ କରାଯିବ। କଂପାନି ଲାଗି ଗ୍ରାହକ ଯୋଗାଡ଼ କରିବା ନିମନ୍ତେ ସରକାର ନିକଟରେ ଲଣ୍ଡନ ଓ ସିଙ୍ଗାପୁରରେ ରୋଡ୍ ସୋ’ ଆୟୋଜନ କରିଥିଲେ। କିନ୍ତୁ ସେଠାରେ ଏୟାର ଇଣ୍ଡିଆ ପ୍ରତି ଗ୍ରାହକମାନେ ବିଶେଷ ଆଗ୍ରହ ଦେଖାଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe