ଏୟାର ଇଣ୍ଡିଆର ଘରୋଇକରଣ ପ୍ରସଙ୍ଗ: ୬୯ ବର୍ଷର ଭୁଲ୍‌କୁ ଠିକ୍ କରାଯାଇଛି

Advertisment
ଏୟାର ଇଣ୍ଡିଆର ଘରୋଇକରଣ ପ୍ରସଙ୍ଗ: ୬୯ ବର୍ଷର ଭୁଲ୍‌କୁ ଠିକ୍ କରାଯାଇଛି

ନୂଆଦିଲ୍ଲୀ : ୬୯ ବର୍ଷର ଭୁଲ୍‌କୁ ଠିକ୍ କରାଯାଇଛି। ଏୟାର ଇଣ୍ଡିଆକୁ ଗତକାଲି ସରକାର ବିଧିବଦ୍ଧଭାବେ ହସ୍ତାନ୍ତର କରିବା ପରେ ଆଜି ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଘରୋଇ ଏୟାରଲାଇନ୍ସର ଜାତୀୟକରଣ ଫଳରେ ସେହି ଭୁଲ୍‌ ପଦକ୍ଷେପ ଆରମ୍ଭ ହୋଇଥିଲା। ବର୍ତ୍ତମାନ ତାହାକୁ ଠିକ୍ କରାଯାଇଛି। ସରକାର, ଟାଟା ଗ୍ରୁପ୍ ଏବଂ ଅନ୍ୟ ସମସ୍ତ ପକ୍ଷ ପାଇଁ ଏହା ଲାଭଦାୟକ ବୋଲି ସେ କହିଛନ୍ତି। ଏୟାର ଇଣ୍ଡିଆର ଘରୋଇକରଣର ଶ୍ରେୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଛନ୍ତି। ମୋଦୀଙ୍କ ସଂକଳ୍ପ ଏବଂ ଇଚ୍ଛାଶକ୍ତି ଯୋଗୁ ଏହା ସମ୍ଭବ ହୋଇଛି। ସରକାର ବ୍ୟବସାୟ କରିବା ପାଇଁ ରହିବା ଆବଶ୍ୟକ ନୁହେଁ। ବରଂ ବ୍ୟବସାୟ ଏବଂ ଉଦ୍ୟୋଗ କ୍ଷେତ୍ର ପାଇଁ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି କରିବା ସରକାରଙ୍କ କାମ। ଘରୋଇକରଣ ପ୍ରକ୍ରିୟାକୁ ରୂପ ଦେଇଥିବା ଅର୍ଥ ମନ୍ତ୍ରାଳୟର ସବୁ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ସିନ୍ଧିଆ ଧନ୍ୟବାଦ ଜଣାଇଛନ୍ତି।

ଏୟାର ଇଣ୍ଡିଆ ଗତ ୧୪ ବର୍ଷ ହେଲା କ୍ଷତି ସହି ଆସୁଛି। କମ୍ପାନି ୮୫ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି କରିଛି। କମ୍ପାନି ଉପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ଋଣ ବୋଝ ରହିଛି। ଦିନକୁ ୨୦ କୋଟି ଟଙ୍କା ବା ବର୍ଷକୁ ପ୍ରାୟ ୭୫୦୦ କୋଟି ଟଙ୍କାର କ୍ଷତି ଏୟାର ଇଣ୍ଡିଆ କରୁଥିଲା। ସେହି ଅର୍ଥକୁ ଏବେ ଦେଶର ବିକାଶ କାର୍ଯ୍ୟରେ ବିନିଯୋଗ କରାଯାଇ ପାରିବ। ଏଥିସହିତ ଟାଟା ଅଧୀନକୁ ଯାଇଥିବା ଏୟାର ଇଣ୍ଡିଆ ମଧ୍ୟ ଏହାର ଗ୍ରାହକମାନଙ୍କୁ ଉତ୍ତମ ମୂଲ୍ୟ ପ୍ରଦାନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe