Photograph: ( Business Standard)
ନୂଆଦିଲ୍ଲୀ: ଚୀନ ପାଇଁ ଆମେରିକୀୟ କମ୍ପାନି ବୋଇଂ ତିଆରି କରିଥିବା ପ୍ରାୟ ୧୦ଟି ବିମାନକୁ ଭାରତର ଏୟାର ଇଣ୍ଡିଆ କିଣିପାରେ। ବୋଇଂ ପ୍ରଥମେ ୭୩୭ ମାକ୍ସ ବିମାନ ଚୀନ କମ୍ପାନି ପାଇଁ ନିର୍ମାଣ କରିଥିଲା। କିନ୍ତୁ ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହେବା ପରେ ଚୀନ ଏହି ବିମାନ ଆଣିବାକୁ ମନା କରିଦେଇଛି। ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ ଏହି କମ୍ ଚଉଡ଼ା ବିଶିଷ୍ଟ ବିମାନକୁ ଆଣି ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଲଗାଇବା ପାଇଁ ଯୋଜନା କରିଛି। ତେବେ ଏହି ଆଲୋଚନା ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି।
ଯଦି ଆଲୋଚନା ସଫଳ ହୁଏ ତାହେଲେ ଚଳିତବର୍ଷ ଶେଷସୁଦ୍ଧା ବୋଇଂର ଉକ୍ତ ବିମାନ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ସାମିଲ ହୋଇପାରେ। ବୋଇଂ ସିଇଓ କେଲି ଓର୍ଟବର୍ଗ କହିଛନ୍ତି ଯେ ଚଢ଼ା ଆମଦାନୀ ଶୁଳ୍କ ଯୋଗୁ ଚୀନର ଅନେକ କମ୍ପାନି ଏବେ ବିମାନ ନେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଚୀନ ଓ ଆମେରିକା ପରସ୍ପର ଉପରେ ଚଢ଼ା ଆମଦାନୀ ଶୁଳ୍କ ଲଗାଇବା ଫଳରେ ବିମାନ ସେବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଶିଳ୍ପର ବ୍ୟବସାୟ ବାଧାପ୍ରାପ୍ତ ହୋଇଛି। ଓର୍ଟବର୍ଗ କହିଛନ୍ତି, ଡେଲିଭରି ହୋଇ ନଥିବା ବିମାନଗୁଡ଼ିକୁ ଅନ୍ୟ ଗ୍ରାହକଙ୍କୁ ପ୍ରଦାନ ଲାଗି ଯୋଜନା ଚାଲିଛି।
Follow Us